ହସ୍ତକଳାରେ ମାଣିଆବନ୍ଧ ଶ୍ରେଷ୍ଠ ପର୍ଯ୍ୟଟନ ଗାଁ

ମାଣିଆବନ୍ଧ : ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଚଳିତ ବର୍ଷର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ବିଭାଗ ଦ୍ବାରା ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ଉତ୍ସବରେ ହସ୍ତକଳା କ୍ଷେତ୍ରରେ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ କଟକ ଜିଲା ଅନ୍ତର୍ଗତ ହସ୍ତତନ୍ତ ତଥା ବୟନ କଳା ଓ ଏହାର କୁଶଳୀ କାରିଗରଙ୍କ ଗ୍ରାମ ମାଣିଆବନ୍ଧ ପୁରସ୍କୃତ ହୋଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିନିଧି ଭାବେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ବିଶ୍ୱଜିତ୍ ରାଉତରାୟ, ପର୍ଯ୍ୟଟନ ସହକାରୀ ନିର୍ଦେଶକ ଅଞ୍ଜନ ବାରିକ ଏବଂ ମାଣିଆବନ୍ଧ ଗ୍ରାମରୁ ମନୋନୀତ ଜୀବନକୃଷ୍ଣ ମହାପାତ୍ର ଓ ଟୁଲୁ ପ୍ରଧାନ ଏହି ସମ୍ମାନ ଗ୍ରହଣ କରିଛନ୍ତି। ସାଂସ୍କୃତିକ ପ୍ରସିଦ୍ଧି ଓ ପ୍ରାକୃତିକ ସମ୍ପଦ ସାଙ୍ଗକୁ ମୂଲ୍ୟବୋଧ ଭିତ୍ତିକ ଗୋଷ୍ଠୀଗତ ଜୀବନଶୈଳୀକୁ ସଂରକ୍ଷଣ କରିବା ଏବଂ ପ୍ରୋତ୍ସାହିତ କରି ଅର୍ଥନୈତିକ, ସାମାଜିକ ଏବଂ ଅନ୍ୟାନ୍ୟ ଦିଗରେ ସ୍ଥିରତା ଆଣିବା​‌ରେ ପ୍ରତିବଦ୍ଧତା ସୃଷ୍ଟି କରୁଥିବା ଗ୍ରାମକୁ କେନ୍ଦ୍ର ସରକାର ସର୍ବୋତ୍ତମ ପର୍ଯ୍ୟଟନ ଗ୍ରାମର ସମ୍ମାନ ପ୍ରଦାନ କରିଆସୁଛନ୍ତି। ଗ୍ରାମକୁ ଭାରତର ଆତ୍ମା ଭାବେ ଗ୍ରହଣ କରାଯାଇ ୨୦୨୩ ମସିହାରୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ସମ୍ମାନ ପ୍ରତିଯୋଗିତା ପ୍ରଚଳନ କରାଯାଇଛି। ପ୍ରଥମ ବର୍ଷରେ ସମଗ୍ର ଭାରତରୁ ୭୯୫ଟି ଗ୍ରାମରୁ ଆବେଦନ ଆସିଥିବାବେଳେ ଚଳିତ ବର୍ଷ ତଥା ଦ୍ବିତୀୟ ବର୍ଷ ୨୦୨୪ ପାଇଁ ୩୦ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ସମୁଦାୟ ୯୯୧ ଟି ଆବେଦନ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରେ ୩୬ ଗୋଟି ଗ୍ରାମ ପର୍ଯ୍ୟଟନର ୮ଟି ବର୍ଗରେ ବିଜେତା ଭାବେ ମାନ୍ୟତା ପାଇବା ସହ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି।
କଟକ ଜିଲ୍ଲା ବଡମ୍ବା ବ୍ଳକ ଅନ୍ତର୍ଗତ ମାଣିଆବନ୍ଧ ଗ୍ରାମ ପ୍ରାଚୀନ ହସ୍ତତନ୍ତ ବୟନ କାରିଗରୀର ଐତିହାସିକ ସୁନାମ ରହିଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆଦରଣୀୟ ହୋଇ ରହିଛି। ଗ୍ରାମରେ ୮୦ ପ୍ରତିଶତ ଲୋକେ ହସ୍ତତନ୍ତ ବୟନ ଉପରେ ନିର୍ଭରଶୀଳ କରି ଜୀବନ ଜୀବିକା ନିର୍ବାହ କରି ଆସୁଛନ୍ତି। ପ୍ରାୟ ୧୨୦୦ ବୁଣାକାର ପରିବାର ଗ୍ରାମରେ ବୟନ ବୃତ୍ତିରେ ନିୟୋଜିତ ରହୁଛନ୍ତି। ହସ୍ତତନ୍ତ ବୟନ କାରିଗରୀ ସହିତ ଗ୍ରାମରେ ଧାର୍ମିକ ଓ ସାଂସ୍କୃତିକ ସମନ୍ୱୟ ଦେଖିବାକୁ ମିଳେ। ଏବେବି ଗ୍ରାମର ୧୬ ଗୋଟି ମନ୍ଦିର ସାଙ୍ଗକୁ ୧୧ ଗୋଟି ବୁଦ୍ଧ ମନ୍ଦିର ରହିଛି। ଉକ୍ତ ଅଞ୍ଚଳରେ ପ୍ରାୟ ୫କ୍ଟ ପ୍ରତିଶତ ବୈଦ୍ଧ ଧର୍ମାବଲମ୍ବୀ ପରିବାରଙ୍କୁ ଦେଖିବାକୁ ମିଳେ। ଉଭୟ ହିନ୍ଦୁ ଓ ବୌଦ୍ଧର ଅପୂର୍ବ ସମନ୍ବୟରେ ଗ୍ରାମର ବୟନ ପ୍ରସିଦ୍ଧି ଏକ ସ୍ବତନ୍ତ୍ର ପର୍ଯ୍ୟଟନ ସ୍ଥଳ ସୃଷ୍ଟି କରି ପାରିଛି। ପାଟ ଏବଂ ରେଶମରେ ଧୋତି, ଯୋଡ଼, ଖଣ୍ଡୁଆ, ତାରାବଳି, କୁମ୍ଭ, ବୁଟି ଆଦି ପ୍ରାୟ ୫୦ ରୁ ଅଧିକ ପ୍ରକାରର ଉତ୍କୃଷ୍ଟ ମାଣିଆବନ୍ଧି ବସ୍ତ୍ର ସାମଗ୍ରୀ ଉତ୍ପାଦନ କରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ହସ୍ତକଳା ଓ କାରିଗରୀ କୁ ବଜାୟ ରଖିଛନ୍ତି ଏଠାକାର ବୁଣାକାର ପରିବାର। ପ୍ରାଚୀନ ବୁଦ୍ଧ ମନ୍ଦିର ସାଙ୍ଗକୁ ଏଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁଦ୍ଧ ବିହାର ପ୍ରତିଷ୍ଠା ପାଇଛି। କୁଶଳୀ କାରିଗରଙ୍କ ଦ୍ୱାରା ହସ୍ତତନ୍ତରେ ଉତ୍କୃଷ୍ଟ ବସ୍ତ୍ର ସାମଗ୍ରୀ ଉତ୍ପାଦନ ସାଙ୍ଗକୁ ସାଂସ୍କୃତିକ, ଐତିହ୍ୟ ଓ ଅର୍ଥନୈତିକ ସ୍ଥିରତା ଆଣିବାରେ ମାଣିଆଆବନ୍ଧ ଉଦାହରଣ ସୃଷ୍ଟି କରିଛି। କୁଶଳୀ କାରିଗରଙ୍କ ଦ୍ୱାରା ବୁଣଯାଉଥିବା ବିଭିନ୍ନ ବସ୍ତ୍ର ସାମଗ୍ରୀ ସାଙ୍ଗକୁ ହିନ୍ଦୁ ଏବଂ ବୌଦ୍ଧର ଧାର୍ମିକ ଓ ସାଂସ୍କୃତିକ ପ୍ରଭାବରେ ଏକ ସମନ୍ୱିତ ସଂସ୍କୃତିର ଗ୍ରାମ ଭାବେ ମଣିଆବନ୍ଧ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ବୟନ ପର୍ଯ୍ୟଟନ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ଏବଂ ପର୍ଯ୍ୟଟନ ମାଧ୍ୟମରେ ସ୍ଥାୟୀ ଗ୍ରାମୀଣ ବିକାଶ ପାଇଁ ମାଣିଆବନ୍ଧ ଏକ କ୍ଷେତ୍ର ସୃଷ୍ଟି କରି ପାରିଛି। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ପର୍ଯ୍ୟଟକ ଓ ପରିଦର୍ଶକଙ୍କୁ ମାଣିଆବନ୍ଧର କଳା ଓ ସଂସ୍କୃତି ସହିତ ହସ୍ତତନ୍ତ ବସ୍ତ୍ର ଏବଂ କୁଶଳୀ ବୁଣାକାରଙ୍କ ହସ୍ତ କାରିଗରୀ ବିଦ୍ୟା ବେଶ ଆକୃଷ୍ଟ କରିଚାଲିଛି।

Comments are closed.