www.samajalive.in
Tuesday, December 9, 2025
16.1 C
Bhubaneswar

ମମତାଙ୍କ ତୃତୀୟ ପାଳି ୫ରୁ ଆରମ୍ଭ

କଲକାତା : ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଆସନ୍ତା ୫, ବୁଧବାର ସେ ତାଙ୍କର ତୃତୀୟ ପାଳି ସରକାର ଆରମ୍ଭ କରିବେ। ସୋମବାର ଅନୁଷ୍ଠିତ ନବନିର୍ବାଚିତ ବିଧାୟକ ଦଳ ବୈଠକରେ ମମତାଙ୍କୁ ବିଧିବଦ୍ଧ ଭାବେ ସର୍ବସମ୍ମତ ନେତା ନିର୍ବାଚିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସେ ସନ୍ଧ୍ୟାରେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟି ନିଜ ପଦରୁ ଇସ୍ତଫା ଦେବା ସହ ନୂଆ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଏହି ଅବସରରେ ରାଜ୍ୟପାଳ ମମତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ମମତା ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣର ୬ମାସ ମଧ୍ୟରେ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହେବେ।
ଅପରପକ୍ଷରେ ନନ୍ଦିଗ୍ରାମ ପରାଜୟକୁ ସହଜରେ ହଜମ କରିପାରୁ ନ ଥିବା ମମତା ଫଳାଫଳ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଘୋଷଣା କରିଛନ୍ତି। ତାଙ୍କୁ ପରାସ୍ତ କରିବା ପାଇଁ ନିର୍ବାଚନ ଆୟୋଗ କାରସାଦି କରିଥିବା ସେ ଅଭିଯୋଗ କରିଛନ୍ତି। ପ୍ରଥମେ ମମତା ୧୨ ଭୋଟ୍‌ରେ ବିଜୟୀ ହୋଇଥିବାବେଳେ ରାଜ୍ୟପାଳ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ ଫଳାଫଳ ଘୋଷଣା ପୂର୍ବରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୭୦୦ ଭୋଟ୍‌ରେ ବିଜୟୀ ହୋଇଥିବା ନେଇ ଟ୍ବିଟରରେ ସୂଚନା ଦେବା ଓ ଏହାର କିଛି ସମୟ ପରେ ଶୁଭେନ୍ଦୁଙ୍କୁ ୧୯୫୬ଭୋଟ୍‌ରେ ବିଜୟୀ ଘୋଷଣା କରାଯିବା ଅତ୍ୟନ୍ତ ସନ୍ଦେହଜନକ। ଦୀର୍ଘ ୪ଘଣ୍ଟା କାଳ ସର୍ଭର ଅକାମୀ ହେବା ପରେ ଫଳାଫଳ ଅଚାନକ ଭାବେ ବଦଳିବା ସନ୍ଦେହଜନକ। କେବଳ ସେତିକି ନୁହେଁ; ରବିବାର ଭୋଟ୍‌ର ପୁନଃ ଗଣତି ପାଇଁ ତୃଣମୂଳ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ଆୟୋଗ ଅତି ତରବରିଆ ଭାବେ ଏହାକୁ ଅଗ୍ରାହ୍ୟ କରିଦେବା ସନ୍ଦେହକୁ ଅଧିକ ଘନୀଭୂତ କରିଛି। ଏହା ପଛରେ ନିର୍ବାଚନ ଆୟୋଗ ନିଶ୍ଚୟ କିଛି କାରସାଦି କରିଥିବା ଓ ଫଳାଫଳକୁ ବଦଳା ଯାଇଥିବା କହିଛନ୍ତି ମମତା। ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ ମମତା କହିଛନ୍ତି ଯେ ନନ୍ଦିଗ୍ରାମର ରିଟର୍ଣ୍ଣିଂ ଅଫିସରଙ୍କର ଏକ ମୋବାଇଲ ଫୋନ୍‌ ବାର୍ତ୍ତା (ଏସ୍‌ଏମ୍‌ଏସ୍‌) ତାଙ୍କ ଦୃଷ୍ଟିକୁ ଆସିଛି; ଯେଉଁଥିରେ ସେ ପୁନଃ ଗଣତି ପାଇଁ ନିର୍ଦେଶ ଦେଲେ ତାଙ୍କ ଜୀବନ ପ୍ରତି ଭୟ ଥିବା ଉଲ୍ଲେଖ କରିଛନ୍ତି। ଫଳାଫଳ ବଦଳାଯାଇଥିବା ସନ୍ଦେହକୁ ଏହା ନିଶ୍ଚିତି କରୁଛି ବୋଲି ମମତା ଦାବି କରିଛନ୍ତି। ଏସବୁ ଦୃଷ୍ଟିରୁ ନିର୍ବାଚନ ଆୟୋଗ ତାଙ୍କୁ ହରାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ସ୍ପଷ୍ଟ ହୋଇଛି। ଆୟୋଗଙ୍କ ଷଡ଼ଯନ୍ତ୍ର ଯୋଗୁଁ ୫୦ରୁ ଅଧିକ ଆସନ ଜିତିବା କଷ୍ଟକର ଥିବା ବିଜେପି ୭୭ଟି ଆସନ ପାଇଲା ବୋଲି ମମତା ଦର୍ଶାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories