ଦିନ ଦ୍ୱିହପରରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଟଙ୍କା ଲୁଟ

ସମ୍ବଲପୁର : ସମ୍ବଲପୁର ଭଳି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଅପରାଧିଙ୍କ ଭୟ ନ ଥିବାର ବାରମ୍ବାର ଲକ୍ଷ୍ୟ କରାଯାଉଥିବା ବେଳେ ନିର୍ଭୟରେ ଅପରାଧୀ ମାନେ ଦିନ ଦ୍ୱିହପରରେ ଲୁଟ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଆସନ୍ତା ବୁଧବାରରୁ ରାଜ୍ୟ ବ୍ୟାପି ତାଲା ବନ୍ଦ ହେବାକୁ ଥିବା ବେଳେ ସୋମବାର ସମ୍ବଲପୁର ଅତ୍ୟନ୍ତ ଚଳଚଞ୍ଚଳ ରହିଥିବା ବେଳେ ସହରର ବ୍ୟସ୍ତତମ ବୁଢ଼ାରଜା ମୁଖ୍ୟ ରାସ୍ତା କଡରେ ରହିଥିବା ଏକ ଘରୁ ବନ୍ଧୁକ ମୁନରେ ସଂଘବଦ୍ଧ ଭାବରେ ଲୁଟ କରାଯାଇଛି। ଦିନ ପ୍ରାୟ ୧ଟା ୩୦ ମିନିଟରେ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରହିଥିବା ଏସଆରଆଇଟି କଲୋନୀର ମୁଖ୍ୟ ରାସ୍ତାକଡରେ ରହିଥିବା ବରିଷ୍ଠ ଆଇନଜୀବୀ ସୁଧାକର ସୁପକାରଙ୍କ ଘରୁ ଡକାୟତି ଘଟଣା ଘଟିଯାଇଛି। ଆଇନଜୀବୀ ସୁପକାରଙ୍କ ପୁତ୍ର ଘରୁ କୌଣସି ଏକ କାମରେ ଦିନ ପ୍ରାୟ ୧ଟା ୧୫ ରୁ ୩୦ ମିନିଟ ମଧ୍ୟରେ ବାହାରି ଯିବାର ପ୍ରାୟ ୫ ମିନିଟ ପରେ ଡକାୟତ ଦଳର ଜଣେ ଯୁବକ ପ୍ରଥମେ ଘର ପରିସର ମଧ୍ୟକୁ ପ୍ରବେଶ କରିଥିଲେ। ସେ ଘର ବାହାରେ ବୁଲା ବୁଲି କରିବା ପରେ ଝରକା ଦେଇ ଘର ମଧ୍ୟକୁ ଦେଖିବା ପରେ ତୁରନ୍ତ ତାଙ୍କ ଜଣେ ସହଯୋଗୀଙ୍କୁ ଭିତରକୁ ଆସିବା ପାଇଁ ଇଶାରା ଦେଇ ଗୃହ ମଧ୍ୟକୁ ପ୍ରବେଶ କରିଥିଲେ। ଏହା ପରେ ଦୁଇ ଡକାୟତ ଘର ମଧ୍ୟକୁ ପ୍ରବେଶ କରିବା କ୍ଷଣି ବାହାରେ ଅପେକ୍ଷା କରିଥିବା ଆଉ ଦୁଇ ଜଣ ଡକାୟତ ମଧ୍ୟ ଘର ମଧ୍ୟକୁ ପ୍ରବେଶ କରିଥିଲେ ଏବଂ ଭିତର ପଟରୁ ମୁଖ୍ୟ ଲୁହା କବାଟକୁ ବନ୍ଦ କରି ଦେଇଥିଲେ। ଏହା ପରେ ସେମାନେ ମଧ୍ୟ ଘର ମଧ୍ୟକୁ ପ୍ରବେଶ କରିଥିଲେ। ପୂର୍ବରୁ ଘର ମଧ୍ୟକୁ ପ୍ରବେଶ କରିଥିବା ଦୁଇ ଡକାୟତ ଗୃହକର୍ତ୍ତା ସୁପକାରଙ୍କ ବେକକୁ ଧରି ତାଙ୍କୁ ଏକ ଖଟ ଉପରେ ପକାଇ ଦେବା ସହିତ ଏକ ବନ୍ଧୁକ ତାଙ୍କ ମୁଣ୍ଡ ଉପରେ ରଖି ଜାବୁଡି ଧରି ବାନ୍ଧି ଦେଇ ପାଟି ନ କରିବାକୁ ଧମକ ଦେଇଥିଲେ। ଅଚାନକ ଘର ମଧ୍ୟକୁ ଅଜଣା ବ୍ୟକ୍ତି ପଶିଥିବାର ଦେଖି ଧର୍ମପତ୍ନୀ ଆସିଯିବାରୁ ତାଙ୍କୁ ପାଟି ନ କରି ଯେତିକି ନଗଦ ଓ ସୁନା ଗହଣା ଦେବା ପାଇଁ କହିଥିଲେ। ସୁପକାରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବାରୁ ତାଙ୍କ ପତ୍ନୀ ଘରେ ଯାହା ଅଛି ତୁମେ ନେଇ ଯାଅ, କିନ୍ତୁ ଆମକୁ କିଛି କର ନାହିଁ ବୋଲି ଡକାୟତ ମାନଙ୍କୁ କହିଥିଲେ। ଏହା ପରେ ଡକାୟତ ଦଳ ଗୃହକର୍ତ୍ତା ସୁପକାରଙ୍କୁ ବାନ୍ଧି ଦେଇ ଏକ ଶୟନ କକ୍ଷରେ ପକାଇ ଦେଇ ସେହି କକ୍ଷ ସମେତ ଘରର ଅନ୍ୟ ୨ଟି ଶୟନ କକ୍ଷ ଏବଂ ଅନ୍ୟ କୋଠରୀ ଗୁଡିକରେ ରହିଥିବା ବିଭିନ୍ନ ଆଲମାରୀ, ବାକ୍ସ, ବେଡ ଆଦି ତନ ତନ କରି ଯାଞ୍ଚ କରି ଟଙ୍କା ଓ ସୁନାଗହଣା ଖୋଜିଥିଲେ।

କିନ୍ତୁ ଡକାୟତ ମାନେ ଆଶାନୁଯାୟୀ ଟଙ୍କା ଓ ସୁନାଗହଣା ଘରୁ ନ ମିଳିବାରୁ ସେମାନେ ଗୃହକର୍ତ୍ତୀଙ୍କୁ ପିସ୍ତଲ ଦେଖାଇ ୧ ଲକ୍ଷ ୫୦ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ। ମୋର ପାଖରେ ଯାହା ଅଛି ତୁମେ ଦେଖି କି ନେଇ ଯାଅ ବୋଲି ସେ କହିବାରୁ ତାଙ୍କୁ ସୁନା ଚେନ, କାନ ଫୁଲ ଓ ଏକ ସୁନା ମୁଦିକୁ ଦେବାକୁ କହି ଛଡାଇ ନେଇ ଯାଇଥିଲେ। ପ୍ରାୟ ୩୦ ମିନିଟ ଯାଏ ଡକାୟତ ଦଳ ଆରାମରେ ଘର ମଧ୍ୟରେ ଲୁଟ ପାଟ କରୁଥିବା ବେଳେ ଏ ସର୍ମ୍ପକରେ ଆଖପାଖ ପଡୋଶୀ କିମ୍ବା ରାସ୍ତାରେ ଯାଉଥିବା କୌଣସି ବ୍ୟକ୍ତି ଜାଣିପାରି ନ ଥିଲେ। ଲୁଟପାଟ ପରେ ଡକାୟତ ଦଳ ଆରାମରେ ଘରୁ ବାହାରି ଯାଇଥିଲେ। ଅପର ପଟରେ ବନ୍ଧା ପଡ଼ିଥିବା ଗୃହକର୍ତ୍ତା ଓ ଗୃହକର୍ତ୍ତୀ ଝରକା ଦେଇ ପାଟି କରିବାରୁ ଜଣେ ପଡୋଶୀ ଆସି ଘରର କବାଟ ଖୋଲି ସେମାନଙ୍କୁ ବନ୍ଧନ ମୁକ୍ତ କରିଥିଲେ। ଏହା ପରେ ତାଙ୍କର ପୁତ୍ର ଆଲୋକଙ୍କୁ ଖବର ଦିଆଯିବା ସହିତ ପୁଲିସକୁ ଖବର ଦିଆଯାଇଥିଲା।

ତୁରନ୍ତ ସଦର ଏସଡିପିଓ ତପନ କୁମାର ମହାନ୍ତି ଓ ଅଇଁଠାପାଲି ଥାନାଧିକାରୀ ଯୋଗେଶ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଥିଲେ। ଘରେ ଲାଗିଥିବା ସିସିଟିଭିରେ ଡକାୟତ ଦଳର ଗୃହ ମଧ୍ୟକୁ ପ୍ରବେଶ କରିବା ଏବଂ ବାହାରିବା ଘଟଣା ରେକର୍ଡ ରହିଥିବାରୁ ସମସ୍ତ ସିସିଟିଭି ଫୁଟେଜ ପୁଲିସ କବଜାକୁ ନେଇ ତଦନ୍ତ କରୁଛି। ଏହା ସହିତ ଘର ଆଖାପାଖ ଅଞ୍ଚଳରେ ଲାଗିଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଘର ଗୁଡିକରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୁଲିସ ଯାଞ୍ଚ କରି ଡକାୟତ ମାନଙ୍କୁ ଧରିବାକୁ ଚେଷ୍ଟା କରୁଛି। ଗୃହ ମାଲିକଙ୍କ ପୁତ୍ର ଆଲୋକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ବେଳେ ପ୍ରାଥମିକ ତଦନ୍ତରେ ୪ ଜଣ ଡକାୟତ ଘର ମଧ୍ୟକୁ ପ୍ରବେଶ କରିଥିବା ବେଳେ ଗୃହ ପାଚେରୀର ବାହାରେ ଆଉ ଜଣେ ସାଥି ପହରା ଦେଉଥିବାର ଜଣାପଡ଼ିଛି। ଏହି ଲୁଟରେ ଡକାୟତ ମାନେ ଆନୁମାନିକ ଲକ୍ଷାଧିକ ଟଙ୍କାର ନଗଦ ଓ ସୁନାଗହଣା ଲୁଟ କରିଥିବାର ଜଣାପଡ଼ିଛି। ସ୍ପଷ୍ଟ ଦିବାଲୋକରେ ଘଞ୍ଚ ଜନବସତି ଓ ବ୍ୟସ୍ତବହୁଳ ଅଞ୍ଚଳରୁ ଡକାୟତି ଘଟିବା ଘଟଣାକୁ ନେଇ ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ସମ୍ବଲପୁରର ପୁଲିସର ଦକ୍ଷତା ଉପରେ ଏହା ପ୍ରଶ୍ନ ଉଠାଉଛି।

ସମ୍ବଲପୁରୀ ଓ ହିନ୍ଦିରେ କଥାବାର୍ତ୍ତା ହେଉଥିଲେ ଡକାୟତ
ଏସଆରଆଇଟି କଲୋନୀରେ ହୋଇଥିବା ଡକାୟତି ଘଟଣାରେ ସଂପୃକ୍ତ ଡକାୟତ ଦଳ ସମ୍ବଲପୁରୀ ଓ ହିନ୍ଦିରେ କଥାବାର୍ତ୍ତା ହେଉଥିବାର ଗୃହକର୍ତ୍ତା ଓ ଗୃହକର୍ତ୍ତି କହିଛନ୍ତି।

ପୂର୍ବରୁ ଘରର ରେକି  କରିଥିବା ଅନୁମାନ
ଡକାୟତ ଦଳ ଯେଭଳି ଭାବରେ ଗୃହକର୍ତ୍ତାଙ୍କ ପୁତ୍ର ଘରୁ ବାହାରି ଯିବା ଏବଂ ଠିକ ତା’ ପରେ ଘର ମଧ୍ୟକୁ ଜଣେ ପ୍ରବେଶ କରି ଝରକା ଦେଇ ଘର ମଧ୍ୟରେ କିଏ କିଏ ରହିଥିବାର ଦେଖିବା ପରେ ନିର୍ଭୟରେ ଡକାୟତିକୁ ଚୁଡାନ୍ତ ରୂପ ଥିଲେ, ସେଥିରୁ ସ୍ପଷ୍ଟ ହେଉଛି ଯେ ଏହା ଏକ ଯୋଜନାବଦ୍ଧ ଡକାୟତି। ଡକାୟତ ମାନେ ଅଞ୍ଚଳକୁ ପ୍ରଥମରୁ ରେକି କରିବା ସହିତ କେଉଁ ଘରେ କିଏ ରହୁଛି, କେତେ ସମୟରେ ଆସୁଛି, ବାହାରକୁ ଯାଉଛି ଆଦି ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ରେକି କରିବା ପରେ ଯୋଜନାବଦ୍ଧ ଭାବରେ ଡକାୟତି କରିଥିବାର ଅନୁମାନ କରାଯାଉଛି।

କିଛି ଦିନ ପୂର୍ବରୁ ଘର ଭଡା ପାଇଁ ଆସି ରେକି କରି ଯାଇଥିଲେ !
ଏସଆରଆଇଟି କଲୋନୀରେ ସ୍ପଷ୍ଟ ଦିବାଲୋକରେ ହୋଇଥିବା ଘଟଣାରେ ସଂପୃକ୍ତ ଡକାୟତ ମାନଙ୍କ ମଧ୍ୟରୁ ଜଣେ ଯୁବକ ଉକ୍ତ ଘରକୁ ଘର ଭଡାରେ ଅଛି କି ପଚାରିବା ପାଇଁ ଆସିଥିବାର କୁହାଯାଉଛି। ସେହି ସମୟରେ ଉକ୍ତ ଯୁବକ ଘର ଭିତରକୁ ରେକି କରିଥିବାର ଅନୁମାନ କରାଯାଉଛି।

୪ ଜଣଙ୍କ ମଧ୍ୟରୁ ଜଣେ ଭିତରେ ଓ ଜଣେ ବାହାରେ ପହରା ଦେଉଥିଲା
ଦିନ ଦ୍ୱିହପରରେ ଘଟି ଯାଇଥିବା ଡକାୟତି ଘଟଣା ସମୟରେ ୪ ଜଣ ଡକାୟତ ଘର ମଧ୍ୟକୁ ପ୍ରବେଶ କରିଥିବା ବେଳେ ଅତିକମରେ ଜଣେ ସାଥି ଘର ପାଚେରୀ ବାହାରେ ପହରା ଦେଉଥିବାର ଅନୁମାନ କରାଯାଉଛି।

ଡକାୟତ ମାନଙ୍କ ବୟସ ୨୦ ରୁ ୩୦ ବର୍ଷ !
ଦିନ ଦ୍ୱିହପରରେ ଘଟି ଯାଇଥିବା ଡକାୟତି ଘଟଣାରେ ସଂପୃକ୍ତ ଡକାୟତ ମାନେ ସମସ୍ତେ ୨୦ ରୁ ୩୦ ବର୍ଷ ମଧ୍ୟରେ ରହିଥିବା ଅନୁମାନ କରାଯାଉଛି। ଡକାୟତ ମାନଙ୍କର ଆସିବା ଓ ଯିବା ଘଟଣାବଳି ସିସିଟିଭିରେ ରେକର୍ଡ ହୋଇଥିବାରୁ ପୁଲିସ ତଦନ୍ତରେ ଏହା ବିଶେଷ ସହାୟ ହେବ ବୋଲି କୁହାଯାଉଛି।

Comments are closed.