ଯୋଡା: ଯୋଡା ଥାନା ତଥା ଯୋଡା ସହରାଞ୍ଚଳ ଅନ୍ତର୍ଗତ ଆଜାଦବସ୍ତି ସ୍ଥିତ ପଣଶଗୋଡାରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଦ୍ୟାବିଧି ୭ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ସମୟରେ ପୁଲିସ ଆଖିରେ ଧୂଳି ଦେଇ ନିଜକୁ ନିର୍ଦ୍ଦୋଶ ପ୍ରମାଣ କରିବା ଦିଗରେ ଲାଗି ପଡିଥିବା ନାବାଳିକା ପ୍ରେମିକ ଜଣକ ଶେଷରେ ପୁଲିସ ହାତରେ ଧରାପଡି ମଙ୍ଗଳବାର କୋର୍ଟ ଚାଲାଣ ହୋଇଥିବାର ଖବର ମିଳିଛି।
ଗଣଦୁଷ୍କର୍ମର ଶିକାର ନାବାଳିକା ଘରୁ ସମ୍ପୃକ୍ତ ପ୍ରେମିକ ସହ ଲୁଚି ପଳାଇବା ଏବଂ ଶେଷରେ ଗଣଦୁଷ୍କର୍ମ ଘଟଣାକୁ ପୁଲିସ ବିଭିନ୍ନ ଦିଗରୁ ବିହଙ୍ଗାବଲୋକନ କରିବା ସବୁକ୍ଷେତ୍ରରେ ଉପସ୍ଥିତ ଥିବା ପ୍ରେମିକ ଶ୍ରୀବାସ୍ତବ ଲୋହାର (୧୯)ର ଭୂମିକାକୁ ସନ୍ଦେହ ପରିସରଭୁକ୍ତ ଆଣିଥିଲା। ଘଟଣାଦିନ ଚକ୍ରାନ୍ତ କରି ନାବାଳିକା ଜଣକୁ ପଡିଆକୁ ନେଇ ଦୈହିକ ପ୍ରେମ ସମ୍ପର୍କ ସ୍ଥାପନ ପରେ ପୂର୍ବ ଯୋଜନା ମୁତାବକ ସାଙ୍ଗମାନଙ୍କ ଦ୍ୱାରା ଘଟଣାସ୍ଥଳରେ ରଚିଥିବା ଏହି ଅମାନବୀୟ କାଣ୍ଡ ପ୍ରସଙ୍ଗକୁ ପୁଲିସ ବିଭିନ୍ନ ଦିଗରୁ ତନତନ କରି ଯାଞ୍ଚ କରିବା ପରେ ପ୍ରତାରକ ପ୍ରେମିକ ଶ୍ରୀବାସ୍ତବର ବର୍ବୋରଚିତ୍ତ ଭୂମିକା ସ୍ପଷ୍ଟ ବାରି ହୋଇପଡିଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ସବୁତଥ୍ୟ ପ୍ରମାଣ ଆଧାରରେ ଯୋଡା ଥାନା ପୁଲିସ ଶେଷରେ ପ୍ରତାରକ ପ୍ରେମିକକୁ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଥିବାର ଖବରରୁ ପ୍ରକାଶ।



