ମୁମ୍ବଇ: କର୍କଟରେ ପୀଡ଼ିତ ଥିବା ଲୋକପ୍ରିୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା-ନିର୍ଦେଶକ ମହେଶ ମାଞ୍ଜରେକର ଏବେ କର୍କଟମୁକ୍ତ ହୋଇଛନ୍ତି। ଏନେଇ ମହେଶ ନିଜେ ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାରର ଦୁଇ ମାସ ପରେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ କର୍କଟ ମୁକ୍ତ ଥିବା କହିଛନ୍ତି। କିଛି ମାସ ତଳେ ହିଁ ସେ କର୍କଟରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ଦୁଇ ମାସ ତଳେ ତାଙ୍କର କ୍ୟାନ୍ସର ଅସ୍ତ୍ରୋପଚାର ହୋଇଥିଲା, ଯାହା ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହି ଅସ୍ତ୍ରୋପଚାର ମୁମ୍ବଇର ଏଚ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ କରାଯାଇଥିଲା। ଅସ୍ତ୍ରୋପଚାର ପରେ କିଛି ଦିନ ସେ ଡାକ୍ତରଖାନାରେ ରହିଥିଲେ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଅନ୍ତିମ’ର ଟ୍ରେଲର ରିଲିଜ୍ ସମୟରେ ସେ ଏହା ପ୍ରକାଶ କରିଛନ୍ତି।
ମହେଶ ମାଞ୍ଜରେକର କହିଛନ୍ତି ଯେ, ‘‘ମୁଁ ୩୫ କିଲୋ ଓଜନ କମାଇଛି। ‘ଅନ୍ତିମ’ ଚଳଚ୍ଚିତ୍ରର ଶୁଟିଂ ସମୟରେ ମୁଁ କର୍କଟରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲି। ମୁଁ ଚଳଚ୍ଚିତ୍ରର ଶେଷ ଭାଗ ଶୁଟିଂ ସେତେବେଳେ କରିଥିଲି, ଯେତେବେଳେ ମୋତେ କର୍କଟ ହୋଇଥିଲା ଓ ମୋର କେମୋଥେରାପୀ ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ମୋତେ ଏହା ଆପଣମାନଙ୍କୁ କହିବାକୁ ଖୁସି ଲାଗୁଛି ଯେ, ବର୍ତ୍ତମାନ ମୁଁ କର୍କଟମୁକ୍ତ’’।



