ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ପୁଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶା ପୁଲିସ ମୁଖ୍ୟାଳୟ ପରିଦର୍ଶନ କରି ଓଡ଼ିଶା ପୁଲିସ ଦ୍ଵାରା ବିକଶିତ ଏବଂ ସଫଳ ଭାବେ ରୂପାୟିତ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବିଷୟରେ ଅବଗତ ହୋଇଛି। ବିଭିନ୍ନ ଡିଜିଟାଲ୍ ମଡ୍ୟୁଲ୍ର ସୁପରିଚାଳନା ଏବଂ ଉପକାରିତା, ପୁଲିସ ପ୍ରଶାସନରେ ଏହାର ଭୂମିକା, କାର୍ଯ୍ୟକୁଶଳତା, ପାରଦର୍ଶିତା ଓ ତଥ୍ୟ-ଆଧାରିତ ସମ୍ପର୍କରେ ମହାରାଷ୍ଟ୍ର ପୁଲିସ ଟିମ ଜ୍ଞାନ ଆହରଣ କରିଛି।
ଆର୍ମସ୍ ଏବଂ ଆମୁନିସନ୍ ଇନଭେଣ୍ଟରି ମଡ୍ୟୁଲ୍ (AAIMS):
ଏହି ମଡ୍ୟୁଲ୍ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ତତ ସମ୍ପର୍କିତ ସାମଗ୍ରୀର ପରିଚାଳନା, ନିରୀକ୍ଷଣ ଓ ଦାୟିତ୍ୱକୁ ସୁପରିଚାଳନା କରିଥାଏ। ଏହି ମଡ଼୍ୟୁଲ ଦ୍ୱାରା ନିରୀକ୍ଷଣ ଓ ଦକ୍ଷ ଇନଭେଣ୍ଟରି ପରିଚାଳନା କାର୍ଯ୍ୟ ଠିକ ଭାବେ ସମ୍ପାଦିତ ହୋଇଥାଏ।
ଆଭ୍ୟନ୍ତରୀଣ ପୁଲିସ ଅଡିଟ୍ ସିଷ୍ଟମ୍:
ଏହା ଏକ ଆଧୁନିକ ଡିଜିଟାଲ୍ ସିଷ୍ଟମ୍ ଯାହା ସମ୍ପୂର୍ଣ୍ଣ ଅଡିଟ୍ ବ୍ୟବସ୍ଥାକୁ ଡିଜିଟାଇଜ୍ ଓ ସୁବ୍ୟବସ୍ଥିତ କରୁଛି। ଏହା ବିଭିନ୍ନ ସଂସ୍ଥା ପାଇଁ ବାର୍ଷିକ ଅଡିଟ୍ ପ୍ଲାନ୍ ସୃଷ୍ଟି କରିବାର ସୁବିଧା ପ୍ରଦାନ କରିଥାଏ । ଅଡିଟ୍ ସମାପ୍ତି ପରେ ଏହା ଡିଜିଟାଲ୍ ରିପୋର୍ଟ ତିଆରି କରି ସମ୍ବନ୍ଧିତ ୟୁନିଟ୍ଗୁଡ଼ିକୁ ପଠାଇବା ସହ ସମୀକ୍ଷା ପାଇଁ ମୁଖ୍ୟାଳୟ ଅଡିଟ୍ ଟିମ୍କୁ ପଠାଇଥାଏ।
ASUMP ପାଇଁ ସେଣ୍ଟ୍ରାଲ୍ ମନିଟରିଂ ଇନଫରମେସନ୍ ସିଷ୍ଟମ୍:
ଏହି ମଡ୍ୟୁଲ୍ “Assistance to States for Upgradation of Police Infrastructure (ASUMP)” ର ନିରୀକ୍ଷଣ ପାଇଁ ଏକ ପ୍ଲାଟଫର୍ମ ଯୋଗାଇଥାଏ।
ମୋଟର ଯାନ ଫ୍ଲିଟ୍ ଓ ସରକାରୀ ସମ୍ପତ୍ତି ଷ୍ଟୋର:
ଓଡ଼ିଶା ପୁଲିସ ମୋଟର ଯାନ ଫ୍ଲିଟ୍ ଓ ସରକାରୀ ସମ୍ପତ୍ତି ଗଚ୍ଛିତ ପାଇଁ ସ୍ୱତନ୍ତ୍ର ଇନଭେଣ୍ଟରି ମ୍ୟାନେଜମେଣ୍ଟ ମଡ୍ୟୁଲ୍ ଶୁଭାରମ୍ଭ କରିଛି, ଯାହାର ସଠିକ ବ୍ୟବହାର ଓ ସୁପରିଚାଳନା ଦ୍ୱାରା ସମନ୍ୱୟ ସୁନିଶ୍ଚିତ ହୋଇଥାଏ।
ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (HRPC) ଯତିନ୍ଦ୍ର କୋୟଲ୍, ଡେପୁଟି କମାଣ୍ଡାଣ୍ଟ ଆନନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ମହାରାଷ୍ଟ୍ର ପୋଲିସ ଦଳକୁ ଏହି ପ୍ରଣାଳୀଗୁଡ଼ିକର ଡିଜାଇନ୍, ବିକାଶ ଓ କାର୍ଯ୍ୟପ୍ରଣାଳୀ ବିଷୟରେ ବିସ୍ତୃତ ଭାବେ ଅବଗତ କରିଥିଲେ।
ଓଡ଼ିଶା ପୁଲିସର ପ୍ରଯୁକ୍ତିବିଦ୍ୟାର ବ୍ୟବହାରିକତାକୁ ମହାରାଷ୍ଟ୍ର ପୁଲିସ ଟିମ୍ ସ୍ୱାଗତ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ। ତଥ୍ୟର ଡିଜିଟାଇଜେସନ ଦ୍ୱାରା ଓଡ଼ିଶା ପୁଲିସ ପାରଦର୍ଶିତା, ଦାୟିତ୍ୱବୋଧତା ଓ କାର୍ଯ୍ୟକୁଶଳତାକୁ ତ୍ୱରାନ୍ୱିତ କରୁଛି।



