ମହାନଦୀକୁ ନେଇ ଗୃହରେ ଉଦ୍‌ବେଗ

ସରକାର ସମସ୍ୟା ଡାକିକି ଆଣିଛନ୍ତି : ନରସିଂହ

-ଆୟୋଗରେ ଗଡୁଛି ୭ରୁ ଊର୍ଦ୍ଧ୍ବ ପ୍ରକଳ୍ପ, -ଜଳ ଆୟୋଗଙ୍କୁ ଅବଗତ କରାଯିବ:ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଯେଉଁଥି ପାଇଁ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ଶତାଧିକ ବ୍ୟାରେଜ ନିର୍ମାଣ କରିବାରେ ସକ୍ଷମ ହେଲେ। ସରକାର ଏହାକୁ ରୋକିବାପାଇଁ ଟ୍ରିବ୍ୟୁନାଲକୁ ଗଲେ। ହେଲେ କଥା କ’ଣ ହେଲା, ଏବେ ରାଜ୍ୟର ୭ରୁ ଊର୍ଦ୍ଧ୍ବ ପ୍ରକଳ୍ପ କେନ୍ଦ୍ରୀୟ ଜଳଆୟୋଗ(ସିଡବ୍ଲୁସି)ରେ ଗଡୁଛି। ସରକାର ଡାକିକି ମହାନଦୀ କିଳା ଆଣିଛନ୍ତି ବୋଲି କହି ବିରୋଧୀଙ୍କ ପକ୍ଷରୁ ସରକାରଙ୍କୁ କଡା ସମାଲୋଚନା କରାଯାଇଥିବାବେଳେ ଶାସକଦଳ ସଭ୍ୟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। ରାଜ୍ୟ ସରକାର ତୁରନ୍ତ ଜଳଆୟୋଗଙ୍କୁ ଦେଖାକରି ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ଗୃହରେ ଦାବି ହୋଇଥିଲା।
ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ମହାନଦୀ ପ୍ରସଙ୍ଗରେ ଗୃହରେ ଶାସକ ଦଳର ସଦସ୍ୟ ଭୂପିନ୍ଦର ସିଂହ କହିଥିଲେ ଯେ କେଉଁସବୁ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଅନୁମୋଦନ ଲାଗି ସିଡବ୍ଲ୍ୟୁସି ନିକଟରେ ପଡ଼ି ରହିଛି ? ରାହୁଳ ଓ ଉ‌ତ୍ତେଇ ପ୍ରକଳ୍ପ କାର୍ଯ୍ୟକାରୀ ନହେବା ଯୋଗୁଁ ୫୦ହଜାର ହେକ୍ଟରରୁ ଅଧିକ ଜମିକୁ ପାଣି ମାଡି ପାରୁନାହିଁ। ମନ୍ତ୍ରୀ ରଘୁନନ୍ଦନ ଦାସ ଏହାର ଉତ୍ତରରେ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଟି ଜଳସେଚନ ପ୍ରକଳ୍ପ ଅନୁମୋଦନ ପାଇଁ ଆୟୋଗଙ୍କୁ ରିପୋର୍ଟ ଦେଇଛନ୍ତି। ଅପର ଉଦନ୍ତୀ,ମିଡ଼ିଲ କୋଲାବ, ଖଇରିବନ୍ଧନ, ଅପର ବଂଶଧାରା, ଲୋୟର ବଂଶଧାରା, ତେଲ-ଇଣ୍ଟିଗ୍ରେଟେଡ୍, ଲକ୍ଷ୍ମୀପଥର ଓ ନବରଙ୍ଗପୁରର ୭ଟି ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ଅନୁମୋଦନ ଲାଗି ସିଡବ୍ଲ୍ୟୁସିକୁ ଯାଇଛି।
ସେଥିରୁ ତେଲ-ଇଣ୍ଟିଗ୍ରେଟେଡ୍, ଲକ୍ଷ୍ମୀପଥର, ତେଲିଜୋର, ଖଡଗୋ ଓ ସତିଘାଟ ପ୍ରକଳ୍ପ ଗୁଡିକର ମହାନଦୀ ଜଳ ବିବାଦ ଯୋଗୁଁ ଚୂଡାନ୍ତ ନିଷ୍ପତ୍ତି ପ୍ରାପ୍ତ ହେବା ପର୍ଯ୍ୟନ୍ତ ଅନୁମୋଦନ ପ୍ରକ୍ରିୟାକୁ ସ୍ଥଗିତ ରଖି ଫେରସ୍ତ କରିଛନ୍ତି। ରାଉଲ, ଉତ୍ତେଇ ପ୍ରକଳ୍ପର ସର୍ଭେ ଅନୁସନ୍ଧାନ କାର୍ଯ୍ୟ ଚାଲୁଥିବାରୁ ଏବଂ ଅପର ଉଦନ୍ତୀ ପ୍ରକଳ୍ପ ଆୟୋଗର ଅନୁମୋଦନ ପାଇ ନଥିବାରୁ ଏହାର ଟେଣ୍ଡର ଡକାଯାଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସ ଗୃହକୁ ଜଣାଇଥିଲେ। ମନ୍ତ୍ରୀଙ୍କ ଉତ୍ତରକୁ ନେଇ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ।
ଲୋୟର ଶୁକତେଲ ପ୍ରକଳ୍ପ ଆୟୋଗକୁ ପଠାଯାଇଥିଲା କି ନାହିଁ, କେବେ ପଠାଯାଇଥିଲା, ଯଦି ଫେରାଇଛନ୍ତି ତେବେ କ’ଣ ଉଲ୍ଲେଖ ରହିଛି। ଏନେଇ ସରକାର କିପ୍ରକାର ପଦକ୍ଷେପ ନେଇଛନ୍ତି। ଏଭଳି ଭାବେ ଶ୍ରୀ ମିଶ୍ର ଗୁଡେଇତୁଡେଇ ମନ୍ତ୍ରୀଙ୍କୁ ହଲାପଟା କରିଥିଲେ। ସେ କହିଥିଲେ ଯେ ସରକାର ଜାଣିଶୁଣି ମହାନଦୀ ସମସ୍ୟା ଡାକି ଆଣିଛନ୍ତି। ଉପର ମୁଣ୍ଡରେ ତ ଛତିଶଗଡ଼ ପାଣି ନେଇ ଯାଉଛି। ତଳମୁଣ୍ଡରେ ସରକାର ନିଜସ୍ବ ପ୍ରକଳ୍ପ କରିପାରୁ ନାହାନ୍ତି।
ଆଲୋଚନାରେ ଭାଗ ନେଇ ଶାସକଦଳ ସଭ୍ୟ ପ୍ରଦୀପ ଅମାତ କହିଥିଲେ ଯେ ମହାନଦୀ ତଳମୁଣ୍ଡରେ ଯଦି ପ୍ରକଳ୍ପ ନହେବ ତେବେ ଜଳକ୍ଲିଷ୍ଟ ଦେଖାଦେବ। ସବୁ ପାଣି ସମୁଦ୍ରକୁ ବୋହି ଯାଉଛି। ତାକୁ ସଂରକ୍ଷଣ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ। ବୌଦ୍ଧ ଜିଲାର ଦୁଇଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି। ସତୀଘାଟ, ଲାଷ୍ମୀପଦର ପ୍ରକଳ୍ପ ଫେରାଇ ଦେଇଛନ୍ତି ସିଡବ୍ଲ୍ୟୁସି। ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ସିଡବ୍ଲ୍ୟୁସି ପ୍ରକଳ୍ପକୁ ସ୍ଥଗିତ ରଖିଛନ୍ତି, ଟ୍ରିବ୍ୟୁନାଲର ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ଅଛି। ଟ୍ରିବ୍ୟୁନାଲ ୩ବର୍ଷ ପାଇଁ ହୋଇଥିଲା, ଆଉ ୨ବର୍ଷ ପାଇଁ ବଢିପାରେ।
ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଇନଷ୍ଟ୍ରିମ୍ ଝରଣା ପ୍ରକଳ୍ପରେ ୧୧ହଜାର ୭୦୦କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିରେ ୫ବର୍ଷ ଭିତରେ ବହୁ ପ୍ରକଳ୍ପ ହେବାକୁ ରହିଛି। ଏହାଦ୍ବାରା ଭୂତଳ ଜଳ ମଧ୍ୟ ରିଚାର୍ଜ ହୋଇପାରିବ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଥିଲେ ଯେ ଛତିଶଗଡ଼ ବନ୍ଧ ପକାଇଲା ବେଳେ ଓଡ଼ିଶା ସରକାର କ’ଣ କରୁଥିଲେ ? ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ସିଂହ କହିଥିଲେ ଯେ ରାଜ୍ୟ ସରକାର ଜଳଆୟୋଗଙ୍କୁ ଭେଟି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରନ୍ତୁ। ଗୃହର ଉଦବେଗକୁ ଦେଖି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ସରକାରଙ୍କ ପକ୍ଷରୁ ପ୍ରକଳ୍ପଗୁଡିକର ଅନୁଧ୍ୟାନ କରାଯାଇ ଜଳଆୟୋଗଙ୍କୁ ଅବଗତ କରାଯିବ।

Comments are closed.