ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ପୁଣି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସରକାରଙ୍କ କଡ଼ା କଟକଣା ପରେ ବି ଲୋକ ମାନେ ଅସାବଧାନତା ଅବଲମ୍ବନ କରୁଛନ୍ତି । ଗତକାଲି ବିମାନବନ୍ଦରରେ କରୋନା ଟେଷ୍ଟ କରାଯାଉଥିବା ବେଳେ ଜଣେ ମହିଳାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଥିଲା । ମହିଳା ଜଣକ ପ୍ରାୟ ୧୨ ଦିନ ପୂର୍ବରୁ ତାଙ୍କ ସମ୍ପର୍କୀୟଙ୍କ ଘର ଇନ୍ଦୋରକୁ ଆସିଥିଲେ । ମହିଳା ଜଣକ ୪ଟି ଟିକା ମଧ୍ୟ ନେଇଥିବା ଜଣାପଡ଼ିଛି ।
ଏନେଇ ବିମାନବନ୍ଦର ପରିଚାଳନା ବିଭାଗ ପକ୍ଷରୁ ସୂଚନା ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳା ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ୧୨ ଦିନ ପୂର୍ବରୁ ମହିଳା ଜଣକ ଦୁବାଇରୁ ଇନ୍ଦୋର ବିମାନ ବନ୍ଦରକୁ ଆସିଥିଲେ । ପରେ ଦୁବାଇ ଯାଉଥିଲା, ଦୁବାଇରୁ ଇନ୍ଦୋରକୁ ଆସୁଥିବାବେଳେ ଟିକାକରଣର ଚାରିଟି ଡୋଜ ଏବଂ କରୋନାର ନେଗେଟିଭ୍ ରିପୋର୍ଟ ମଧ୍ୟ ଦେଖାଇଥିଲେ ।
ଜାନୁୟାରୀ ୩୧, ମାର୍ଚ୍ଚ ୨, ଜୁଲାଇ ୧୮ ଏବଂ ଅଗଷ୍ଟ ୮ରେ, ମହିଳା ଯାତ୍ରୀ ଜଣଙ୍କ ଟିକା ନେଇଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିବା ସହ ରିପୋର୍ଟ ମଧ୍ୟ
ନକାରାତ୍ମକ ଥିଲା । ହେଲେ ବର୍ତ୍ତମାନ ମହିଳା ଜଣକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ ତାଙ୍କୁ ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି । ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି ।



