ପୁଣେ: ମୋହସିନ୍ ଖାନ, କ୍ରୁନାଲ ପାଣ୍ଡ୍ୟା ଓ ଦୁଷ୍ମନ୍ତ ଚାମରାଙ୍କ ଶୃଙ୍ଖଳିତ ବୋଲିଂ ବଳରେ ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଷଷ୍ଠ ବିଜୟ ହାସଲ କରିଛି। ପୁଣେରେ ଶୁକ୍ରବାର ଖେଳାଯାଇଥିବା ୪୨ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ୨୦ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଲକ୍ଷ୍ନୌ ୯ମ ମ୍ୟାଚରୁ ୬ଷ୍ଠ ବିଜୟ ସହ ଟେବୁଲର ୩ୟ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ପଞ୍ଜାବ ୫ମ ପରାଜୟ ବରଣ କରିଛି।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ କ୍ବିଣ୍ଟନ ଡିକକ ଏବଂ ଦୀପକ ହୁଡାଙ୍କ ଉପଯୋଗୀ ଇନିଂସ ବଳରେ ୧୫୩ରନ କରିଥିଲା। ଜବାବରେ ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୮ ୱିକେଟ ହରାଇ ୧୩୩ରନ କରିବାକୁ ସକ୍ଷମ ହୋଇଥିଲା।
୧୫୪ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବର ଦୁଇ ଓପନର ଅଧିନାୟକ ମୟଙ୍କ ଅଗ୍ରୱାଲ ଓ ଶିଖର ଧାୱାନ ୩୫ରନ ସଂଗ୍ରହ କରିଥିଲେ। ମୟଙ୍କ ୧୭ଟି ବଲରୁ ୨ଟି ଛକା ଓ ୨ଟି ଚୌକା ସହ ୨୫ରନ କରି ଆଉଟ୍ ହୋଇଥିଲେ। ଧାୱନ ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ। ସ୍କୋର ୪୬ରନ ଥିବାବେଳେ ଧାୱନ ୧୫ଟି ବଲରୁ ୬ ରନ କରି ଆଉଟ୍ ହୋଇଥିଲେ। ତୃତୀୟ ୱିକେଟର ପତନ ୫୮ରନରେ ଘଟିଥିଲା । ଭାନୁକା ରାଜପାକ୍ଷେ ୯ରନ କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଦୁଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଏବଂ ଲିଆମ ଲିଭିଙ୍ଗଷ୍ଟୋନ ୩୦ରନ ଯୋଡିଥିଲେ। ୮୮ରନ ସ୍କୋର ଥିବାବେଳେ ଲିଭିଙ୍ଗଷ୍ଟୋନ ୧୮ରନ କରି ଆଉଟ୍ ହୋଇଥିଲେ। ଜିତେଶ ଶର୍ମା ମାତ୍ର ୨ରନ କରି ଆଉଟ୍ ହୋଇଥିଲେ। । ପଞ୍ଜାବକୁ ଶେଷ ୫ ଓଭରରୁ ୫୧ରନ ଆବଶ୍ୟକ ଥିଲା । ବେୟାରଷ୍ଟୋ ଦ୍ରୁତ ଗତିରେ ରନ କରିବାକୁ ଯାଇ ୩୨ରନ କରି ଆଉଟ ହୋଇଥିଲେ । ଶେଷ ଆଡକୁ ଋଷି ଧାୱନ ୨୧ରନର ଇନିଂସ ଖେଳିଥିଲେ ମଧ୍ୟ ଦଳ ବିଜୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିନଥିଲା। ଲକ୍ଷ୍ନୌ ପକ୍ଷରୁ ମୋହସିନ୍ ଖାନ ୩ଟି, ଦୁଷ୍ମନ୍ତ ଚାମରା ଓ କ୍ରୁନାଲ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।
ପଞ୍ଜାବ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫର୍ମରେ ଥିବା ଅଧିନାୟକ ଲୋକେଶ ରାହୁଲ ମାତ୍ର ୬ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ କ୍ବିଣ୍ଟନ ଡିକକ୍ ଓ ଦୀପକ ହୁଡା ୮୫ରନ ସଂଗ୍ରହ କରିଥିଲେ। ସ୍କୋର ୯୮ରନ ଥିବାବେଳେ ଡିକକ୍ ୩୭ଟି ବଲରୁ ୪ଟି ଚୌକା ଓ ୨ଟି ଛକା ସହ ୪୬ରନ କରି ଆଉଟ୍ ହୋଇଥିଲେ। ଏକଦା ଦଳ ଭଲ ସ୍ଥିତିରେ ଥିବାବେେଳ ୧୩ରନ ମଧ୍ୟରେ ୪ଟି ୱିକେଟ ହରାଇଥିଲା। ହୁଡା ଭଲ ଖେଳୁଥିଲେ ମଧ୍ୟ ୩୪ରନ କରି ରନ୍ ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୁନାଲ ପାଣ୍ଡ୍ୟା ୭ , ଅୟୁଷ ବାଦୋନି ୪ ଓ ମାର୍କୋସ ଷ୍ଟୋଇନିସ୍ ୧ରନ କରି ଆଉଟ୍ ହୋଇଥିଲେ। ୧୧୧ରନରେ ଦଳ ୬ଟି ୱିକେଟ ହରାଇଥିଲା। ସ୍କୋର ୧୨୬ରନ ଥିବାବେଳେ ଜାସନ ହୋଲଡର ୧୧ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ ଦୁଷ୍ମନ୍ତ ଚାମରାଙ୍କ ୧୦ଟି ବଲରୁ ୧୭ ଓ ମୋହସିନ୍ ଖାନଙ୍କ ୬ ବଲରୁ ୧୩ରନ ସହାୟତାରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୫୩ରନ କରିବାକୁ ସକ୍ଷମ ହୋଇଥିଲା । ପଞ୍ଜାବ କିଙ୍ଗ୍ସ ପକ୍ଷରୁ କାଗିସୋ ରାବଡା ୪ଟି, ଓ ରାହୁଲ ଚହର ୨ଟି ୱିକେଟ ନେଇଥିଲେ।



