ମୃତ ଅଙ୍ଗନବାଡି କର୍ମୀଙ୍କ ଘରୁ ଚୋରି

ସିମୁଳିଆ : ବରି ନୂଆ ହରିହାଟ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା କରିବାର ୯ ଦିନ ପରେ ଝରକା ଗ୍ରିଲ ତାଡି ଦେଇ ଚୋରି କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଲେଶ୍ୱରର ସାଇଣ୍ଟିଫିକ ଟିମ ଓ କୁକୁରକୁ ନେଇ ତଦନ୍ତ ଆରମ୍ଭ କରିଛି।
ସିମୁଳିଆ ବ୍ଲକ ବରି ପଂଚାୟତର ଅଙ୍ଗନବାଡି କର୍ମୀ ସୁକାନ୍ତି ସାହୁଙ୍କୁ ଗତ ୧୫ ତାରିଖରେ ଦୁର୍ବୁତ୍ତ ମାନେ ମରଣାତ୍ମକ ଆକ୍ରମଣ କରିଥିଲେ ମଧ୍ୟ କିଛି ଚୋରି କରି ନ ଥିଲେ। ମୃତ୍ୟୁ ସହିତ ସଂଗ୍ରାମ କରି ଗତ ୧୮ ତାରିଖରେ ମୃତ୍ୟୁ ବରଣ କରିଥିଲେ। ସେହିଦିନ ଡିଆଇଜି ସତ୍ୟଜିତ ନାୟକ ବାଲେଶ୍ୱର ଓ ଭଦ୍ରକ ଆରକ୍ଷୀ ଅଧିକ୍ଷଙ୍କ ଉପସ୍ଥିତରେ ସାମ୍ବାଦିକ ସମ୍ମିଳନୀ କରି ଭଦ୍ରକ ଜିଲ୍ଲା ବିଦେଇ ପୁର କସିଆ ଗ୍ରାମ ର ସତ୍ୟବ୍ରତ ମଲ୍ଲିକ ଓ ସନ୍ଦୀପ ମଲ୍ଲିକ ଙ୍କୁ ଗିରଫ କରିଥିବାର ସୂଚନା ଦେଇଥିଲେ। ଉକ୍ତ ଘଟଣାରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ଥିବାର ପରିବାର ଲୋକେ ଅଭିଯୋଗ କରିଥିଲେ।
ଗତ କାଲି ମହାଶିବ ରାତ୍ରିରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଚୋର ମାନେ ମୃତ ଅଙ୍ଗନବାଡି କର୍ମୀ ସୁକାନ୍ତି ସାହୁଙ୍କ ଝରକାର ଗ୍ରିଲ ଉପାଡି ଦେଇ ଝରକା ବାଟେ ଘରେ ପଶି ଗଡ଼ରେଜ ଖୋଲି କାଗଜ ପତ୍ର ପଲଙ୍କ ଉପରେ ଏଣେ ତେଣେ ପକାଇବା ସହିତ ଘରେ ଥିବା ଟିଭି ନେଇଯାଇଥିଲେ। ଏ ସମ୍ପର୍କରେ ମୃତକଙ୍କ ବାପା ଅକ୍ରୁର ସାହୁ ସକାଳେ ଦେଖି ସିମୁଳିଆ ପୋଲିସରେ ଖବର ଦେଇଥିଲେ । ସିମୁଳିଆ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ପୁନର୍ବାର ସନ୍ଧ୍ୟାରେ ବାଲେଶ୍ୱର ସାଇଣ୍ଟିଫିକ ଟିମ ସହିତ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିଲେ। ଘଟଣାସ୍ଥଳରୁ ଚୋରମାନେ ଗ୍ରିଲ ଓ ଗଡ଼ରେଜ ଭାଙ୍ଗିବା ପାଇଁ ବ୍ୟବହାର କରିଥିବା ଲୁହା ରଡ଼ ଓ ହାତୁଡି ଜବତ ହୋଇଥିଲା।
Comments are closed.