ଲକ୍ଷ୍ମୀପୁର: ନିର୍ବାଚନ ମୈଦାନରେ ଉଚ୍ଚଶିକ୍ଷିତା ପ୍ରାର୍ଥୀ । ଉକୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ପ୍ରଥମ ଥର ଜଣେ ଉଚ୍ଚଶିକ୍ଷିତା ଆଦିବାସୀ ଝିଅ ନିର୍ବାଚନ ମୈଦାନରେ ଉଭା ହୋଇଛନ୍ତି। ସେ ହେଉଛନ୍ତି ମାଧୁରୀ କୁଲେସିକା । ମାଧୁରୀ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ଏକ କଲେଜରେ ଅତିଥି ଶିକ୍ଷୟିତ୍ରୀ ଭାବେ କାର୍ୟ୍ୟ କରୁଛନ୍ତି। ସେ ଲକ୍ଷ୍ମୀପୁର ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରାର୍ଥୀ ହୋଇଛନ୍ତି। ଯୁକ୍ତ ଦୁଇ ପରେ ରମାଦେବୀ କଲେ ରୁ ବିଜ୍ଞାନରେ ସ୍ନାତକ କରିବା ପରେ ବ୍ରହ୍ମପୁର ୟୁନିଭରସିଟିରେ ସ୍ନାତକୋତ୍ତର ଶେଷକରି ଲକ୍ଷ୍ମୀପୁର ବ୍ଲକର ବୁର୍ଜା ସ୍ଥିତ ଆଦିବାସୀ ଊନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ କଲେଜରେ ଅତିଥି ଅଧ୍ୟାପକ ଭାବେ କିଛି ମାସ ହେଲା କାର୍ୟ୍ୟ କରୁଛନ୍ତି।
ଅନୁସୂଚିତ ଜନଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବା ଏହି ପଦବୀ ନିମନ୍ତେ ବର୍ତ୍ତମାନ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ଲକ୍ଷ୍ମୀପୁର ପଞ୍ଚାୟତରେ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଭାବେ ରହିଛନ୍ତି ନିର୍ବାଚନ ରଣାଙ୍ଗନରେ। ଏମାନଙ୍କ ମଧ୍ୟରେ କୁଟିଙ୍ଗା ପଞ୍ଚାୟତରୁ ପାଞ୍ଚଥର ସରପଞ୍ଚ ହୋଇଥିବା ନିରୂପମା ଓ୍ବାଡେକାଙ୍କ ସହିତ ରହିଛନ୍ତି ଅନ୍ୟ ତିନିଜଣ ନୟନା ମା’ ମାଣ୍ଡିଙ୍ଗା, ନିଲିସା ହିକକା ଓ ରଚିତା ମାଣ୍ଡିଙ୍ଗା । ତେବେ ମାଧୁରୀ ନିର୍ବାଚନରେ ଲଢ଼ି ଲୋକ ମାନଙ୍କ ପାଇଁ କିଛି କରିବେ ବୋଲି ସେ କହନ୍ତି।



