ଲାଞ୍ଜିଗଡ : ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ପୁଣି ଗତ ବୁଧବାର ବିଳମ୍ବିତ ରାତିରେ ଏକ ୧୫ ଟିକିଆ ହାତୀପଲ ମୂଷାନାଲ ବନ ବିଭାଗ ଅଧୀନରେ ଥିବା ବେନଗାଁ ପଞ୍ଚାୟତର ବେନଗାଁରେ ଘର ଭାଙ୍ଗିବା ସହିତ ଘରେ ଥିବା ଧାନ, ଚାଉଳ, ଶସ୍ୟ ଖାଇବା ସମେତ ଘରେ ଥିବା ଆସବାବ ପତ୍ର ନଷ୍ଟ କରିଛନ୍ତି । ଦୀର୍ଘ ଦିନ ହେବ ବିଶ୍ୱନାଥପୁର ରେଞ୍ଜରେ ଥିବା ଲାଞ୍ଜିଗଡ, ବେନଗାଁ, ତ୍ରିଲୋଚନପୁର, ଲାଖବାହାଲି ବିଜେପୁର, କଦମ ଗୁଡ଼ା, ବେଡ଼ାଗାଁ, କୁମଖାଲ ଓ ଭୁର୍ତିଗଡ଼ ପଞ୍ଚାୟତରେ ନିୟମିତ ଭାବେ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଅନେକ ଲୋକଙ୍କ ଜନଜୀବନ ସମେତ ଲୋକଙ୍କ ଘର, ଭାଙ୍ଗି ଆସବାବପତ୍ର ନଷ୍ଟ କରୁଥିବା ଚିତ୍ର ସାମ୍ନାକୁ ଆସୁଛି ।
ନୂଆବର୍ଷ ୨୦୨୫ରେ ବୃହସ୍ପତିଙ୍କ ଚଳନ : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ.. କାହାର ବଢିବ ଦରମା, ସଫଳତା..
ସୂଚନାନୁସାରେ ବୁଧବାର ବିଳମ୍ବିତ ରାତିରେ ଏକ ୧୦ରୁ ୧୫ ଟିକିଆ ହାତୀପଲ ବେନଗାଁ ଗାଁକୁ ପଶି ସରିସ ମାଝୀର ଘର ଭାଙ୍ଗି ଦେବା ସହିତ ଘରେ ଥିବା ଧାନ, ମାଣ୍ଡିଆ, କାନ୍ଦୁଲ ସମେତ ଆସବାବ ପତ୍ର ଦଳି ମକଚି ନଷ୍ଟ କରି ଦେଇଛନ୍ତି। ସେହିପରି ପ୍ରଭାତମାଝୀଙ୍କ ଘର କବାଟ ଭାଙ୍ଗି ଧାନ ଚାଉଳକୁ ଖାଇବା ସହିତ ଫିଙ୍ଗାଫୋପଡ଼ା କରି ଦେଇଥିବା ଜଣାପଡିଛି। ବୁଧବାର ବିଳମ୍ବିତ ରାତିରେ ଗାଁ ମୁଣ୍ଡରେ ହାତୀପଲ ଭୀଷଣ ଶବ୍ଦ କରିଥିଲେ। ହାତୀପଲ ରଡି ଶୁଣି ସରିସ ମାଝୀ ପରିବାର ସହ ଜୀବନ ବିକଳରେ ଘର ଛାଡି ଅନ୍ୟ ପଡୋଶୀ ଘରକୁ ପଳାଇ ଯାଇଥିଲେ।
ସୂଚନା ଥାଉକି ଗତ ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ବେନଗାଁ, ତାଳାଙ୍ଗସରୁ, ପାଜିବାହାଲି, ପେଙ୍ଗସୁରୁ, ଅଞ୍ଚଳକୁ ୧୦ରୁ ଉର୍ଦ୍ଧ ହାତୀ ଆସି ଉକ୍ତ ଗ୍ରାମର ରାଜିଙ୍ଗ ମାଝୀ, କୁମାର ମାଝୀ, ଅର୍ଜୁ ମାଝୀ, ଲାଖ ମାଝୀ, ପଟାଦେଇ ମାଝୀ, ଧାନମାଳି ମାଝୀ, ଧାନକୁଆଁର ମାଝୀ, ରୁଈ ମାଝୀ, ମନୁ ମାଝୀ, ଶିବାଜି ମାଝୀ, ଡମେ ମାଝୀ, ଜିରାଣା ମାଝୀ, ଦଶରଥ ମାଝୀ ସମେତ ଅନେକ ଲୋକଙ୍କ ଚାଷ ସମ୍ପୂର୍ଣ ନଷ୍ଟ ହୋଇ ଥିବା ଜଣାପଡ଼ିଛି। ଏଣୁ ଏ ସଂପର୍କରେ ବନବିଭାଗ ପକ୍ଷରୁ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯିବାକୁ ଦାବି ହେଉଛି । ଏ ସଂପର୍କରେ ସୂଚନା ପାଇବା ପରେ ଗୁରୁବାର ସକାଳେ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ଏବଂ ବନବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯିବା ସହିତ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି । ଏନେଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀଙ୍କୁ ପଚାରିବାରୁ ମୁଁ ଗୁରୁବାର ସକାଳେ ଖବରପାଇ ଘଟଣାସ୍ଥଳକୁ ଯାଇଥିଲି ଏବଂ ଘର ଭାଙ୍ଗିବା କ୍ଷୟକ୍ଷତି ଆକଳନ କରାଯାଇଛି ସରକାରଙ୍କ ପ୍ରକ୍ରିୟା ଅନୁଯାୟୀ ତାହା କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଥିଲେ ।



