www.samajalive.in
Thursday, December 11, 2025
15.1 C
Bhubaneswar

ସରକାର ନିଘୋଡ଼ ନିଦ୍ରାରେ ; ଆନ୍ଧ୍ର ଦଖଲ ନିଶାରେ : ନରସିଂହ

-କୋଟିଆ ପାଇଁ ସର୍ବଦଳୀୟ ବୈଠକ ଡକାଯାଉ
-ଚାଷୀଙ୍କୁ ମନ୍ତ୍ରୀ କ୍ଷମା ମାଗନ୍ତୁ : ବିରୋଧୀଦଳ ନେତା, -କଥା ରହିଲା ବାଚସ୍ପତିଙ୍କ ମୁଣ୍ଡକୁ

ଭୁବନେଶ୍ୱର : କୋଟିଆରେ ଅାନ୍ଧ୍ରର ଦାଦାଗିରି ଏବଂ ଚାଷୀଙ୍କ ଟୋକନ ଲାପ୍ସ ପ୍ରସଙ୍ଗକୁ ନେଇ ଆଜି ପୁଣିଥରେ ଗୃହ ସରଗରମ ହୋଇ ଉଠିଥିଲା। ରାଜ୍ୟ ସରକାର ନିଘୋଡ ନିଦ୍ରାରେ ଶୋଇପଡ଼ିଛନ୍ତି। ଏମିତିକି ସରକାରଙ୍କ ଗୁଇନ୍ଦା ସଂସ୍ଥା ଶିଥିଳ ହୋଇଯାଇଛି। ଯେଉଁଥି ପାଇଁ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବାରେ ସକ୍ଷମ ହୋଇପାରିଲା। ଏତେସବୁ କାଣ୍ଡ ଆନ୍ଧ୍ର କେବେଠାରୁ କଲାଣି କିଭଳି ସରକାର ତାହା ଜାଣିପାରିଲେ ନାହିଁ । ସେହିପରି ରାଜ୍ୟରେ ୨୦ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ହେଲେ ସରକାର କହୁଛନ୍ତି ଅବଧି ବଢ଼ିବ ନାହିଁ। ଟୋକନ ଲାପ୍ସ ନେଇ ସରକାରଙ୍କୁ ସମସ୍ତେ ଜଣାଇଛନ୍ତି, ଏମିତିକି ସବୁଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ହେଲେ ମନ୍ତ୍ରୀ କହୁଛନ୍ତି ତଥ୍ୟ ନାହିଁ। ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଆଉ କ’ଣ ଥାଇପାରେ ବୋଲି କହି ଉଭୟ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ପୁଣି ଥରେ ଆଜି ଶୂନ୍ୟକାଳରେ ଗୃହକୁ ହୁଲସ୍ତୁଲ କରିଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି, ରମେଶ ମାଝି, ସୁରେଶ ରାଉତରାୟ ଏବଂ ବିଜେପିର ଜୟନାରାୟଣ ମିଶ୍ର, କୁସୁମ ଟେଟେ, ମୋହନ ମାଝି ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି ଦେଇଥିଲେ। କୋଟିଆ ବଞ୍ଚାଅ, ଚାଷୀ ବଞ୍ଚାଅ ସ୍ଲୋଗାନ ଦେଇ ଗୃହକୁ ପ୍ରକମ୍ପିତ କରିଥିଲେ। ଏହି ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବି ଆଲୋଚନା ରହିଛି। କ୍ଷାନ୍ତ ହେବା ପାଇଁ ବିରୋଧୀଙ୍କୁ କହିଥିଲେ । ହେଲେ ବିରୋଧୀଙ୍କ ନାରାବାଜି ଏତେ ପ୍ରଚଣ୍ଡ ଥିଲା ଯେ ବିବାଦ ଥମି ନଥିଲା। ଗୃହର ଉଦବେଗ ଦେଖି ଉପବାଚସ୍ପତି ରଜନୀକାନ୍ତ ସିଂହ ଏକ ସର୍ବଦଳୀୟ ବୈଠକ ବସାଇଥିଲେ। ବୈଠକର ନିଷ୍ପତ୍ତିକ୍ରମେ ଏହାକୁ ବାଚସ୍ପତିଙ୍କ ଫେରିବା ପର୍ଯ୍ୟନ୍ତ ସ୍ଥଗିତ ରଖିଯାଇଛି।
ଆଜି ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୀମା ସୁରକ୍ଷା ପ୍ରସଙ୍ଗ ଉଠାଇ କହିଥିଲେ ଯେ ରାଜ୍ୟ ସରକାରଙ୍କ ସ୍ପେଶାଲ ବ୍ରାଞ୍ଚ କ’ଣ କରୁଛି। କିଭଳି ଭାବେ କୋଟିଆରେ ଆନ୍ଧ୍ର ସରକାର ନିର୍ବାଚନ ପର୍ଯ୍ୟନ୍ତ ଗଲେ ତାହା ଜାଣି ପାରିଲେ ନାହିଁ। ନେଡିଗୁଣ କହୁଣିକୁ ବୋହିଲା ଭଳି ଏବେ କଥା ସୁପ୍ରିମକୋର୍ଟରେ ଅଛି। ସେପଟେ ଆନ୍ଧ୍ର ଅନୁପ୍ରବେଶ କରି ଚାଲିଛି। ଯେଉଁ କଥା ନଖରେ ଛିଣ୍ଡିଥାନ୍ତା ତାହା ଏବେ କୁରାଢ଼ି ପର୍ଯ୍ୟନ୍ତ ଯାଇଛି।
ସେହିପରି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ଶତାଧିକ ବ୍ୟାରେଜ କରି ପାଣି ରୋକିଲା। ଏନେଇ ୨ଟି କମିଟି ଗଠନ ହୋଇଥିଲା। ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏବଂ ଅନ୍ୟଟି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ, ହେଲେ ଆଜି ପର୍ଯ୍ୟନ୍ତ ଥରଟିଏ ବି କମିଟି ବସିଲାନାହିଁ। ସରକାରୀ କଳ ଯଦି କୋଟିଆକୁ ଏହାପୂର୍ବରୁ ଯାଇଥାନ୍ତା ତେବେ ସେଠାକାର ଲୋକେ ଟିକିଏ ଢ଼ଳି ଥାନ୍ତେ। ସରକାର ତୁରନ୍ତ ଏନେଇ ସର୍ବଦଳୀୟ ବୈଠକ ଡାକନ୍ତୁ ଏବଂ ସେଠାକୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରନ୍ତୁ। ଏହାଦ୍ବାରା ସେଠାକାର ପ୍ରଶାସନିକ ଅଧିକାରୀ ଟିକିଏ ତତ୍ପରତା ଦେଖାଇବା ସହିତ ସାଧାରଣ ଲୋକେ ଆଶ୍ବସ୍ତି ଲାଭ କରିବେ । ଏହାସହିତ ଯେଉଁ ଚାଷୀଙ୍କ ଟୋକନ ଲାପ୍ସ ହୋଇଛି ତାହାର ଯାଞ୍ଚ କରାଯାଇ ଅବଧି ବୃଦ୍ଧି କରାଯାଉ। ମନ୍ତ୍ରୀ ଖାଲି ସେମିତି କହିଦେଲେ ଚଳିବ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ।
ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ଗୃହରେ ମନ୍ତ୍ରୀ ଚାଷୀଙ୍କୁ ଦଲାଲ ସହିତ ତୁଳନା କରିଛନ୍ତି। ପ୍ରଥମେ ମନ୍ତ୍ରୀ ଏନେଇ କ୍ଷମା ମାଗନ୍ତୁ। ଯେଉଁ ସବୁ ଚାଷୀଙ୍କ ଟୋକନ ଲାପ୍ସ ହୋଇଛି, ସମସ୍ତେ କ’ଣ ଦଲାଲ। ଆମେ କ’ଣ ଦଲାଲଙ୍କୁ ସହାୟତା କରିବାକୁ ବିଧାନସଭାକୁ ଆସିଛୁ କ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ମନ୍ତ୍ରୀ ପ୍ରଥମେ ଚାଷୀକୁଳକୁ କ୍ଷମା ମାଗନ୍ତୁ। ‌େ‌ସ କହିଥିଲେ ଯେ ରାଜ୍ୟରେ ୨୦ରୁ ୨୫ହଜାର ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ଏବେ ପ୍ରାୟ ୨୦ଲକ୍ଷ ମେଟ୍ରିକ ଟନ ଧାନ ମଣ୍ଡିରେ ପଡି ରହିଛି। ସରକାର ଏହାର ଅନୁଧ୍ୟାନ କରି ତୁରନ୍ତ ସବୁ ଧାନ ଉଠାନ୍ତୁ। ସେହିପରି ପ୍ରସଙ୍ଗରେ ସ୍ବର ମିଳାଇ ଜୟନାରାୟଣ ମିଶ୍ର କହିଥିଲେ ଯେ କୋଟିଆ ସୀମା ବିବାଦ ଏବଂ ଟୋକନ ପ୍ରସଙ୍ଗ ନେଇ ସର୍ବଦଳୀୟ ବୈଠକ ଡକାଯାଉ। ଏହି ଦୁଇ ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ପାଟିତୁଣ୍ଡ ହେବାରୁ ଉପବାଚସ୍ପତି ରଜନୀକାନ୍ତ ସିଂହ ହସ୍ତକ୍ଷେପ କରି ଆସନ୍ତାକାଲି ପାଇଁ ଆଲୋଚନାକୁ ସ୍ଥଗିତ ରଖିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories