ମୁମ୍ବଇ: ନିର୍ମାଣ ହେବାକୁ ଯାଉଛି ଭାରତର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ଡ. କିରଣ ବେଦୀଙ୍କ ବାୟୋପିକ୍। ଖୁବଶୀଘ୍ର କିରଣ ବେଦୀଙ୍କ ଜୀବନ କାହାଣୀକୁ ପରଦାରେ ଦେଖିବେ ଦର୍ଶକ। ମଙ୍ଗଳବାର ଫିଲ୍ମର ନିର୍ମାତାମାନେ ଏକ ଭିଡିଓ ଜାରି କରି ଏହି ଘୋଷଣା କରିଛନ୍ତି। ଏହି ବାୟୋପିକ୍ର ନାମ ‘ବେଦୀ: ଦି ନେମ୍ ୟୁ ନୋ, ଦି ଷ୍ଟୋରୀ ୟୁ ଡୋଣ୍ଟ’ ରଖାଯାଇଛି। ଭିଡିଓ ଲଞ୍ଚ ସମୟରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ନିଜେ କିରଣ ବେଦୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ଅନେକ ଥର ତାଙ୍କୁ ତାଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପ୍ରସ୍ତାବ ମିଳିଥିଲା, କିନ୍ତୁ ତାଙ୍କୁ ଅନୁଭବ ହେଉଛି ଯେ ଏହା ଉପଯୁକ୍ତ ସମୟ।
ନିର୍ଦ୍ଦେଶକ କୁଶାଲ ଚାୱଲାଙ୍କ ସାଢେ ଚାରି ବର୍ଷର ଅନୁସନ୍ଧାନକୁ ବିଚାର କରି କିରଣ ବେଦୀ ବାୟୋପିକ୍ ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି। ଫିଲ୍ମକୁ ନେଇ ଯେତେବେଳେ ତାଙ୍କୁ ପଚରାଗଲା ଯେ କେଉଁ ଅଭିନେତ୍ରୀ ତାଙ୍କ ଚରିତ୍ରକୁ ଭଲ ଭାବରେ ପ୍ରଦର୍ଶିତ କରିପାରିବେ, ସେତେବେଳେ ସେ କହିଥିଲେ, ଏହା କହିବା କଷ୍ଟକର, ଏହାକୁ ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ଉପରେ ଛାଡି ଦେବା ଭଲ। ଆସନ୍ତା ବର୍ଷ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିପାରେ ବୋଲି କିରଣ ସୂଚନା ଦେଇଛନ୍ତି।



