କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: ଆଜି ହେବ ଶବ ବ୍ୟବଚ୍ଛେଦ

ଭୁବନେଶ୍ବର : କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ। ଭୁବନେଶ୍ଵର ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ। ପରିବାର ଲୋକ ପହଞ୍ଚିବା ପରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବ। ତେବେ ରବିବାର ଅପରାହ୍ନରେ କିଟ୍ ହଷ୍ଟେଲ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ। ଏକ ରୁମରୁ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ନେପାଳ ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କ ବିରୋଧରେ ହୋ-ହଲ୍ଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନୟାନ୍ତ ହୋଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସକୁ ‘ସାଇନ-ଏ-ଡାଏ’ ଘୋଷଣା କରାଯାଇଥିଲା। ତୁରନ୍ତ ହଷ୍ଟେଲ ଖାଲି କରିବା ଲାଗି ସେମାନଙ୍କୁ ନିର୍ଦେଶ ଦିଆଯାଇ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ଓ କ୍ୟାମ୍ପସରୁ ଜୋରଜବରଦସ୍ତ ନେଇ ବସ୍‌ଯୋଗେ କଟକ ରେଳ ଷ୍ଟେସନରେ କର୍ତ୍ତୃପକ୍ଷ ଛାଡ଼ିଦେଇଥିଲେ। ସ୍ବଦେଶ ଫେରିବା ଲାଗି ସେମାନେ ନାହିଁ ନଥିବା ହିନସ୍ତା ହୋଇଥିଲେ। ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ସାମାଜିକ ଗଣମାଧ୍ୟମରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏପରିକି ଏହାକୁ ନେଇ ନେପାଳ ପାର୍ଲାମେଣ୍ଟରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଭାରତ-ନେପାଳ କୁଟନୈତିକସ୍ତରରେ ଆଲୋଚନା ଚାଲିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ଶର୍ମା ଦର୍ଶାଇଥିଲେ। ଏହାପରେ ଚାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସ୍‌ ଫେରି ଆସିବା ଲାଗି ନେପାଳ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମୃତ ଛାତ୍ରୀ ହେଲେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିବା ପ୍ରକୃତି ଲମସାଲ। ଅଭିଯୋଗ ପରେ ଇନ୍‌ଫୋସିଟି ଥାନା ପୁଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ସୋମବାର ଅଦାଲତ ଚାଲାଣ କରିଛି। ଗିରଫ ଛାତ୍ର ଲ‌େ‌କ୍ଷ୍ମୗର ଅଭିକ ଶ୍ରୀବାସ୍ତବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ, ଉକ୍ତ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହି ଛାତ୍ରୀ ପ୍ରକୃତି ପାଠ ପଢ଼ୁଥିଲେ। ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ୁଥିବା ଅଭିଯୁକ୍ତ ଛାତ୍ର ଅଭିକ ତାଙ୍କ ସହିତ ୩ ବର୍ଷ ଧରି ସମ୍ପର୍କ ରଖିଥିଲା। ‌ଛାତ୍ରୀଙ୍କ କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡ଼ିଓ ଅଭିକ ପାଖରେ ଥିଲା। ଏହି ଭିଡ଼ିଓ ଓ ଫଟୋକୁ ପ୍ରଘଟ ପାଇଁ ଧମକ ଦେଇ ଅଭିଯୁକ୍ତ ଛାତ୍ର ତାଙ୍କୁ ବ୍ଲାକମେଲିଂ କରୁଥିଲା। ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲା। ଅସହ୍ୟ ହେବାରୁ ଛାତ୍ରୀ ଜଣକ ରବିବାର ହଷ୍ଟେଲ ରୁମ୍‌ରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବା ମାତ୍ରେ କ୍ୟାମ୍ପସରେ ଅସନ୍ତୋଷ ଦେଖାଦେଇଥିଲା। ସେମାନେ ମୃତ ଦେହ ଦେଖିବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା। ପ୍ରାୟ ଏକ ହଜାରରୁ ଅଧିକ ନେପାଳୀ ଛାତ୍ରଛାତ୍ରୀ ପ୍ରତିବାଦ ସ୍ୱରୂପ କ୍ୟାମ୍ପସ ନିକଟରେ ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲା ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିବା ସହିତ ଛାତ୍ରଛାତ୍ରୀ କ୍ୟାମ୍ପସରେ ନାନା ପ୍ରକାର ସ୍ଲୋଗାନ ଦେଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଛାତ୍ରମାନେ ହୋ-ହଲ୍ଲା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ କ୍ୟାମ୍ପସରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପୁଲିସ ପଠାଇଥିଲା। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପୁଲିସ ସୂଚନା ଦେଇଛି।
ଅନ୍ୟପକ୍ଷରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିବାଦ କରୁଥିବା ନେପାଳୀ ବିଦ୍ୟାର୍ଥୀଙ୍କୁ ହଷ୍ଟେଲରୁ ବାହାର କରିଦିଆଯାଇଥିବା ଏକାଧିକ ନେପାଳୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିବା ସହ ସେମାନଙ୍କୁ ଜୋର ଜବରଦସ୍ତ କ୍ୟାମ୍ପସରୁ ବାହାର କରି ସ୍ବତନ୍ତ୍ର ବସ୍‌ରେ କଟକ ରେଳ ଷ୍ଟେସନରେ ଛାଡ଼ି ଦେଇଥିଲେ। ବହୁ ଛାତ୍ରଛାତ୍ରୀ ଟ୍ରେନ ଯୋଗେ ସଂରକ୍ଷିତ ତଥା ତତ୍‌କାଳ ସିଟ୍‌ ନପାଇ ସାଧାରଣ ଟିକଟରେ ପଳାଇ ଯାଇଥିବାବେଳେ କିଛି ବିଭିନ୍ନ ହୋଟେଲରେ ରହିଥିବା ଜଣାପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ କିଟ୍‌ କ୍ୟାମ୍ପସ୍‌କୁ ଫେରି ଆସିବାକୁ ଅନୁରୋଧ କରାଯାଇଛି। ନେପାଳୀ ଛାତ୍ରଛାତ୍ରୀ ଏବେ ଭୟଭୀତ ଅବସ୍ଥାରେ ରହିଥିବା କହିଛନ୍ତି। ଆସନ୍ତା ୨୮ ତାରିଖରୁ ସେମାନଙ୍କର ବିଭିନ୍ନ ସିମେଷ୍ଟର ପରୀକ୍ଷା ଆରମ୍ଭ ହେବ। ତେଣୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପକୁ ନେଇ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଠାରୁ ଭୁବନେଶ୍ବର ରେଳ ଷ୍ଟେସନ ଅତି ନିକଟରେ ରହିଛି। ଏହାସତ୍ତ୍ବେ ସେମାନଙ୍କୁ କେଉଁ କାରଣରୁ ଭୁବନେଶ୍ବରରୁ ଆଣି କଟକ ରେଳ ଷ୍ଟେସନରେ ଛଡ଼ାଗଲା ତାହା ଏବେ ସନ୍ଦେହ ସୃଷ୍ଟି କରିଛି।
ପୁଲିସ ଉପାୟୁକ୍ତ ପିନାକ ମିଶ୍ର କହିଛନ୍ତି, କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ଆଲୋଚନା ପରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଅଭିଯୋଗକାରୀ ସିଦ୍ଧାନ୍ତ ସିଗଦେଲଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଉକ୍ତ ଛାତ୍ର ମୃତ ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ମାନସିକ ନିର୍ଯାତନା ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଛାତ୍ରକୁ ଗିରଫ କରାଯାଇ ମୋବାଇଲ ଫୋନ୍‌ ଓ ଲାପ୍‌ଟପ୍‌ ଜବତ ହୋଇଛି। ମୃତକଙ୍କ ଅଭିଭାବକ ଆସିବା ପରେ ଆଲୋଚନା କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ କିଟ୍‌ର ଦୁଇ ସୁରକ୍ଷାକର୍ମୀଙ୍କୁ ପୁଲିସ ଅଟକ ରଖିଛି।
ଏହି ଘଟଣାକୁ ସରକାର ଗୁରୁତର ସହ ବିଚାରକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ବିଶ୍ବବିଦ୍ୟାଳୟକୁ ସାଇନ୍‌-ଏ-ଡାଏ କରାଯାଇଥିଲା। ପିଲାଙ୍କୁ କ୍ୟାମ୍ପସରୁ ବିଦା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବିଶ୍ବବିଦ୍ୟାଳୟକୁ ଫେରି ଆସିବା ପାଇଁ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ପୂର୍ବରୁ ବିଶ୍ବବିଦ୍ୟାଳୟର ଉଚ୍ଚ ଅଧିକାରୀଙ୍କ ନିକଟରେ ସମସ୍ୟା ନେଇ ଅଭିଯୋଗ କରିଥିଲେ। ଦୁଇରୁ ତିନି ଥର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଯେଉଁଥିପାଇଁ ସମ୍ପୃକ୍ତ ଛାତ୍ରୀ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ତେଣୁ ଅଭିଯୋଗ ପରେ ମଧ୍ୟ କାହିଁକି ପଦକ୍ଷେପ ନିଆଗଲା ନାହିଁ ବୋଲି ପ୍ରତିବାଦ ସ୍ବରୂପ ନେପାଳର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଏହାକୁ ବିରୋଧ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ କ୍ୟାମ୍ପସ୍‌ ଓ ହଷ୍ଟେଲରୁ ବାହାର କରିଥିବା ସେମାନେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଛାତ୍ରୀନିବାସରେ ଜଣେ ନେପାଳୀ ଝିଅ ଆତ୍ମହତ୍ୟା କରିବା ଏକ ଦୁର୍ଭାଗ୍ୟଜନକ ଏବଂ ଅପ୍ରତ୍ୟାଶିତ ଘଟଣା ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମାମଲା ପୁଲିସକୁ ହସ୍ତାନ୍ତର କରାଯାଇଛି। ଛାତ୍ରୀଙ୍କ ସହପାଠୀମାନେ ପ୍ରକାଶ କରିଛନ୍ତି ଯେ, ସେ ଜଣେ ଛାତ୍ର ସହିତ ସମ୍ପର୍କରେ ଥିଲେ, ଯାହାଫଳରେ ଏହି ହୃଦୟବିଦାରକ ଘଟଣାର ଘଟିଛି। ପରିସ୍ଥିତିକୁ ଶାନ୍ତ କରିବା ପାଇଁ କର୍ତ୍ତୃପକ୍ଷ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଉତ୍ତେଜିତ ଛାତ୍ରଛାତ୍ରୀଙ୍କ ସହ ପରାମର୍ଶ ଏବଂ ଆଲୋଚନା ଜାରି ରଖିଥିଲେ। ସମସ୍ତ ପ୍ରୟାସ ସତ୍ତ୍ୱେ, ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କଥା ଶୁଣିନଥିଲେ ଏବଂ ଆଇନଶୃଙ୍ଖଳା ପ୍ରତି ଏକ ଆହ୍ବାନ ସୃଷ୍ଟି କରି ଚାଲିଥିଲେ। ଘଣ୍ଟା ଘଣ୍ଟା ଧରି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ହୋଇଥିଲା ଏବଂ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହି ଅପ୍ରୀତିକର ଘଟଣା ରୋକିବା ସହ ନେପାଳୀ ଛାତ୍ରଙ୍କୁ ପୁଲିସର ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଭିଭାବକଙ୍କ ସହାୟତାରେ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କ ନିଜ ନିଜ ସ୍ଥାନକୁ ଫେରିବାକୁ ପରାମର୍ଶ ଦିଆଯାଇଥିଲା। ଛାତ୍ରାବାସର ଅସ୍ଥାୟୀ ନିଲମ୍ବନକୁ ବିଶ୍ବବିଦ୍ୟାଳୟ ‍ପକ୍ଷରୁ ପ୍ରତ୍ୟାହାର କରି ନେବା ସହ ଛାତ୍ରଙ୍କୁ କ୍ୟାମ୍ପସକୁ ଫେରି ପାଠପଢ଼ାରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି। ଏହି ସମୟ ମଧ୍ୟରେ ସେମାନଙ୍କର ଶିକ୍ଷାଗ୍ରହଣରେ ଯେଭଳି କୌଣସି ବ୍ୟାଘାତ ସୃଷ୍ଟି ନ ହୁଏ ସେଥିପ୍ରତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଯତ୍ନ ନିଆଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆଶ୍ବାସନା ଦେଇଛନ୍ତି।
କିଟ୍‌ ବିଶ୍ବବିଦ୍ୟାଳୟରେ…

Comments are closed.