www.samajalive.in
Sunday, December 7, 2025
14.1 C
Bhubaneswar

ବିଦ୍ୟୁତ୍ ତାରିଫ୍ ଲାଗି ଓଇଆରସି ଶୁଣାଣି

ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ନିରୂପଣ ନିମନ୍ତେ ଓଇଆରସିରେ ଜନଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆୟୋଗ ପୂର୍ବାହ୍ଣରେ ଓଏଚ୍‌ପିସି ଓ ଅପରାହ୍ଣରେ ଓପିଜିସି ପ୍ରସ୍ତାବ ଉପରେ ଶୁଣାଣି କରିଥିଲେ। ଅଧ୍ୟକ୍ଷ ପଦ ଖାଲିଥିବାରୁ କେବଳ ଦୁଇଜଣ ସଭ୍ୟଙ୍କୁ ନେଇ ଗଠିତ ବେଞ୍ଚ ଶୁଣାଣି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବାହ୍ଣରେ ଓଏଚ୍‌ପିସିର ଅର୍ଥ ନିର୍ଦେଶକ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଆସନ୍ତା ଆର୍ଥିକ ବର୍ଷ ପାଇଁ ରାଜସ୍ବ ଆବଶ୍ୟକତା ପରିମାଣ ଚଳିତବର୍ଷ ତୁଳନାରେ ୧୪୬.୩୧ କୋଟି ଟଙ୍କା ବୃଦ୍ଧି କରି ସମୁଦାୟ ୬୭୧.୧୨ କୋଟି ଟଙ୍କା ଦର୍ଶାଇଥିଲେ। ଏହାକୁ ଭରଣା କରିବା ପାଇଁ ହାରାହାରି ଉତ୍ପାଦନ ମୂଲ୍ୟରେ ୟୁନିଟ୍‌ ପିଛା ୨୬ ପଇସା ବୃଦ୍ଧି ନିମନ୍ତେ ପ୍ରସ୍ତାବ ରଖିଥିଲେ। ସେହିପରି ଗ୍ରିଡକୋଠାରୁ ବାର୍ଷିକ ପ୍ରାପ୍ୟ ଚଳିତବର୍ଷ ପାଇଁ ୧୧ କୋଟି ଟଙ୍କା ଅନୁମୋଦନ ଥିବାବେଳେ ଏହାକୁ ୯୧ କୋଟି ଟଙ୍କାକୁ ବୃଦ୍ଧି ନିମନ୍ତେ ପ୍ରସ୍ତାବ ରଖିଥିଲେ। ଓଏଚ୍‌ପିସିର ୨୬ ପଇସା ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘର ରମେଶ ଶତପଥୀ ପ୍ରବଳ ବିରୋଧ କରି ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇଁ ପ୍ରସ୍ତାବ ରଖିଥିଲେ। ପୂର୍ବବର୍ଷର ଅଡ଼ିଟେଡ଼ ଆର୍ଥିକ ବିବରଣୀ ରିପୋର୍ଟକୁ ଉଦ୍ଧାର କରି ବରିଷ୍ଠ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଲେ ଯେ, ଓଏଚ୍‌ପିସି ୩୯୭ କୋଟି ଟଙ୍କା ଲାଭ କରିଛି। ଓଏଚ୍‌ପିସିର ଅଂଶଧନ ବାବଦକୁ ଅଡ଼ିଟର ଯେଉଁ ୨୪୪୬ କୋଟି ଟଙ୍କା ଦର୍ଶାଇଛନ୍ତି ତାହା ଜନଗଣଙ୍କ ଅଂଶଧନ। ତେଣୁ ତାହା ଉପରେ ରିଟର୍ଣ୍ଣ ଅନ ଇକ୍ବିଟି ଆୟ ୧୨୩.୫୫ କୋଟି ଟଙ୍କା ଦର୍ଶାଇ ଭରଣା କରିବା ପାଇଁ ବିଦ୍ୟୁତ୍ ମୂଲ୍ୟ ପୁଣି ବୃଦ୍ଧି କରିବା ପ୍ରସ୍ତାବ ହାସ୍ୟାସ୍ପଦ ବୋଲି ଶ୍ରୀ ମହାପାତ୍ର କହିବା ସହିତ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧିକୁ ବିରୋଧ କରିଥିଲେ। ଆୟୋଗ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣି ଆଦେଶପତ୍ର ମାର୍ଚ୍ଚ ଶେଷ ସପ୍ତାହରେ ଜାରି କରିବେ। ଆୟୋଗ ସଭ୍ୟ ଗଜେନ୍ଦ୍ର ମହାପାତ୍ର ଅଧ୍ୟକ୍ଷ ଦାୟିତ୍ବରେ ରହି ଶୁଣାଣି ପ୍ରକ୍ରିୟା ପରିଚାଳନା କରିଥିବାବେଳେ ସଭ୍ୟ ସୁଶାନ୍ତ ରାୟ ମହାପାତ୍ର ସହଯୋଗ କରିଛନ୍ତି। ସେହିପରି ଅପରାହ୍ଣରେ ଓପିଜିସି ନିଜର ବାର୍ଷିକ ଭିତ୍ତିଭୂମି, କୋଇଲା ଓ ନଗଦ ଖର୍ଚ୍ଚକୁ ୧୧୩ କୋଟି ଟଙ୍କା ବୃଦ୍ଧି କରି ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛି। ଆୟୋଗଙ୍କ ଦ୍ବାରା ନିଯୁକ୍ତ ଟାରିଫ ସମୀକ୍ଷକ ୱାଇଜ୍ ଓଏଚ୍‌ପିସି ଆବେଦନ ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ ପ୍ରବଳ ବିରୋଧ କରି ଓପିଜିସିର ଅପାରଗତା ଉପରେ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିଥିଲା। ବରିଷ୍ଠ ଶକ୍ତି ସମୀକ୍ଷକ ଶ୍ରୀ ମହାପାତ୍ର ଓପିଜିସିର ପୂର୍ବବର୍ଷ ଅଡ଼ିଟ ରିପୋର୍ଟରେ ୬୩୮.୪୩ କୋଟି ଟଙ୍କା ଲାଭ କରିଥିବା ଖବର ଆୟୋଗଙ୍କୁ ଅବଗତ କରିଥିଲେ। ସେହିପରି ଓପିଜିସି ଅଂଶଧନରେ ଗଚ୍ଛିତ ଥିବା ୪୧୯୨.୩୯ କୋଟି ଟଙ୍କା ଉପରେ ଓପିଜିସି ଆୟ କରିବା ପ୍ରସ୍ତାବକୁ ବିରୋଧ କରିଥିଲେ। ଓପିଜିସି ରିଟର୍ଣ୍ଣ ଅନ୍‌ ଇକ୍ବିଟି ବାବଦକୁ ୭୨କୋଟି ଟଙ୍କା ଆୟ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ବରଖାସ୍ତ କରିବା ପାଇଁ ଆୟୋଗଙ୍କୁ ଆବେଦନ କରି ବିଦ୍ୟୁତ୍ ମୂଲ୍ୟ ବୃଦ୍ଧିକୁ ସେ ବିରୋଧ କରିଥିଲେ। ଶେଷରେ ଆୟୋଗ ଶକ୍ତି ବିଭାଗର ମତାମତକୁ ଶୁଣିବାକୁ ଚାହିଁଥିଲେ। ଶକ୍ତି ବିଭାଗ ଅଧିକାରୀ ସୋନାଲି ପଟ୍ଟନାୟକ ଶୁଣାଣି ସରିବା ପରେ କନସୋଲିଡେଟେଡ଼ ରିପୋର୍ଟ ଦାଖଲ କରିବେ ବୋଲି ଆୟୋଗଙ୍କୁ ଅବଗତ କରିଥିଲେ। ଆୟୋଗ ସବୁ ପକ୍ଷଙ୍କ ଯୁକ୍ତି ଶୁଣି ଆଦେଶ ସଂରକ୍ଷିତ ରଖିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories