ଭୁବନେଶ୍ୱର : ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ମୂଳ ସମ୍ବଳ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶନିବାର କିଟ୍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଜ୍ଞାନ ବିପ୍ଳବ ଆମ ଜୀବନର ପ୍ରତ୍ୟେକଟି ଦିଗକୁ ଏକ ସ୍ୱତନ୍ତ୍ର ରୂପ ଦେଇଥାଏ। ଦେଶକୁ ଏକ ନୂତନ ରୂପରେଖ ଦେବା ପାଇଁ ତୁମମାନଙ୍କ ପାଇଁ ସୁଯୋଗ ରହିଛି। କିଟ୍ର ଛାତ୍ରଛାତ୍ରୀମାନେ ସେମାନଙ୍କ ସର୍ଜନା ଓ ନୂତନ ଚିନ୍ତାଧାରା ବଳରେ ସମାଜ ଗଠନରେ ସହାୟକ ହେବେ। କିଟ୍ ତାର ରୌପ୍ୟ ଜୟନ୍ତୀ ଅବସରରେ ୧୮ତମ ସମାବର୍ତ୍ତନ ପାଳନ କରୁଛି। ଗତ ୨୫ବର୍ଷ ମଧ୍ୟରେ ଦେଶର ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ କିଟ୍ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଅଳ୍ପ ସମୟ ମଧ୍ୟରେ କିଟ୍ ଆମେରିକାର ଆବେଟ୍ ସ୍ୱୀକୃତି ସହ ବିଭିନ୍ନ ଅନ୍ତର୍ଜାତୀୟ ଓ ଜାତୀୟ ସ୍ୱୀକୃତି ଲାଭ କରିପାରିଛି। ଶିକ୍ଷା ସହ କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ ମଧ୍ୟ କିଟ୍ର ଉଲ୍ଲେଖନୀୟ ଅବଦାନ ରହିଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।
ଗୁଏଟମାଳାର ବିଶିଷ୍ଟ ସମାଜସେବୀ ତଥା ଶାନ୍ତି ନୋବେଲ ବିଜୟିନୀ ଡ. ରିଗୋବେର୍ତା ମେଞ୍ଚୁ ତୁମ୍ ଆଭାସି ଜରିଆରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରି କହିଲେ, ବର୍ତ୍ତମାନ ବିଶ୍ୱ ଏଭଳି ନେତୃତ୍ୱ ଆବଶ୍ୟକ କରୁୁଛି, ଯେଉଁମାନଙ୍କଠାରେ ମାନବିକତା ଭରି ରହିଛି। ନେତା ହେବା ପାଇଁ ଜଣେ ଭଲ ମଣିଷ ହେବା ସହ ବୈଷୟିକ ଜ୍ଞାନର ଆବଶ୍ୟକ ରହିଛି। ଛାତ୍ରଛାତ୍ରୀମାନେ ବୈଷୟିକ ଜ୍ଞାନର ବିନିଯୋଗ କରି ମାନବିକତାର ସହ ବିଶ୍ୱକୁ ନେତୃତ୍ୱ ଦେଇପାରିବ ବୋଲି ସେ କହିଥିଲେ। ଶିକ୍ଷା କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ସହ ଗୁଏଟମାଳା ଅନୁବନ୍ଧିତ ହେବା ଚାହେଁ ବୋଲି ସେ କହିଥିଲେ।
କିଟ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା କହିଲେ, ଦେଶ ସଶକ୍ତ ହେବା କ୍ଷେତ୍ରରେ ଶିକ୍ଷା ହେଉଛି ଏକ ମାଧ୍ୟମ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ନିଜ ନିଜ କ୍ଷେତ୍ରରେ ଅଗ୍ରସର ହେବା ସହ ସର୍ବଦା ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ବ୍ରିଟିଶ୍ ସାଂସଦ ଜନ୍ ଦେଶମଣ୍ଡ ଫୋବ୍ସ ଆଣ୍ଡେରସନ, ୟୁରୋପିଆନ୍ ୟୁନିଅନ ସାଂସଦ ହିମାଂଶୁ ଗୁଲାଟି, ଜର୍ମାନ୍ର ବରିଷ୍ଠ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଡେରେସ ଜନ, ପାରାଅଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆର ସଭାପତି, ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ଡ. ଦୀପା ମଲ୍ଲିକ, ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପ୍ରତିନିଧି ଏବଂ ଭାରତରେ ଅବସ୍ଥାପିତ ଏହାର ନିର୍ଦେଶକ ବିଶୋ ପାରୁଜୁଲି, ମୁମ୍ବାଇସ୍ଥିତ ଆଫ୍କନ୍ ଇନ୍ଫ୍ରାଷ୍ଟ୍ରକଚରର କାର୍ଯ୍ୟକାରୀ ଉପାଧ୍ୟକ୍ଷ କେ. ସୁବ୍ରମଣ୍ୟନ ଏବଂ ଏସଏନ ମହାନ୍ତି ଗ୍ରୁପ୍ର ପରିଚାଳନା ନିର୍ଦେଶକ ପ୍ରବୋଧ ମହାନ୍ତିଙ୍କୁ ଚଳିତବର୍ଷ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା।
ଚଳିତବର୍ଷ ୧୬୩ଜଣଙ୍କୁ ପିଏଚ୍ଡି ଡିଗ୍ରୀ ସମେତ ବିଭିନ୍ନ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ମୋଟ ୮୧୨୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହାସହ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ୩ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, ୩୪ ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ନନୀବାଳା ସ୍ୱର୍ଣ୍ଣପଦକ, କୃଷ୍ଣଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣପଦକ, ପିକେ ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍ ସ୍ୱର୍ଣ୍ଣପଦକ ଓ ୩୦ ଜଣଙ୍କୁ କୁଳପତି ରୌପ୍ୟପଦକ ପ୍ରଦାନ କରାଯାଇଥିଲା। ସମାବର୍ତ୍ତନ ଉତ୍ସବରେ ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଜ୍ଞାନରଞ୍ଜନ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ବିକାଶର ମୂଳ ସମ୍ବଳ ଜ୍ଞାନ : ମୁଖ୍ୟମନ୍ତ୍ରୀ
Popular Categories



