ରିୟାଦ : ସାମ୍ବାଦିକ ଜାମାଲ ଖାସୋଗିଙ୍କ ମୃତ୍ୟୁ ସମ୍ପର୍କରେ ବାରମ୍ବାର ମନା କରିବା ପରେ ଶନିବାର ସାଉଦିଆରବ ତାଙ୍କୁ ହତ୍ୟା କରାଯାଇଥିବା ସ୍ୱୀକାର କରିଛି। ତୁର୍କୀର ଇସ୍ତାନବୁଲସ୍ଥିତ ଏହାର ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟରେ ତାଙ୍କୁ ହତ୍ୟା କରାଯାଇଥିବା ସାଉଦିଆରବ ସ୍ପଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତ୍ୟ ପ୍ରକାଶ ନ କଲେ ସାଉଦିଆରବ ବିରୋଧରେ ଆର୍ଥିକ କଟକଣା ଲାଗୁ କରାଯିବ ବୋଲି ଧମକ ଦେବା ପରେ ଏହି ସ୍ୱୀକାରୋକ୍ତି ପ୍ରକାଶ ପାଇଛି। ଅପରପକ୍ଷରେ ଖାସୋଗିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସାଉଦିଆରବ ରାଜା ମହମ୍ମଦ ବିନ୍ ସଲମାନ ଦେଶର ଗୁଇନ୍ଦା ବିଭାଗ ଉପମୁଖ୍ୟ ଅହମ୍ମଦ ଅଲ ଆସିରି ଓ ରାଜାଙ୍କ ଗଣମାଧ୍ୟମ ପରାମର୍ଶଦାତା ସାଉଦ ଅଲ କ୍ୱାତାନିଙ୍କୁ ପଦଚ୍ୟୁତ କରିଛନ୍ତି। ସାଉଦି ଆରବ ଆଟର୍ଣ୍ଣି ଜେନେରାଲ ଶେଖ୍ ସାଉଦ ଅଲ ମୋଜେବଙ୍କ ସୂଚନାନୁଯାୟୀ, ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଆଲୋଚନା ସମୟରେ ଯୁକ୍ତିତର୍କ ହେବାରୁ ଉପସ୍ଥିତ ଅଧିକାରୀମାନେ ତାଙ୍କୁ ହତ୍ୟା କରିଥିଲେ। ଏହା ସତ୍ତ୍ବେ ଖାସୋଗିଙ୍କ ମୃତ୍ୟୁର ଆନ୍ତର୍ଜାତିକ ତଦନ୍ତ କରାଯିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଖାସୋଗି ଅକ୍ଟୋବର ୨ରେ ଇସ୍ତାନବୁଲସ୍ଥିତ ରାଷ୍ଟ୍ରଦୂତ କାର୍ଯ୍ୟାଳୟକୁ ଯାଇଥିଲେ; କିନ୍ତୁ ସେଠାରୁ ଆଉ ଫେରି ନଥିଲେ। ତାଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ ସେ ନିଖୋଜ ଥିବା ପ୍ରଚାର ହୋଇଥିଲା। ଏଥିନେଇ ଆନ୍ତର୍ଜାତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
Popular Categories



