ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମିବାରେ ନାଁ ଧରୁନ ହାତୀ ଉପଦ୍ରବ। ଗତକାଲି ବିଳମ୍ବିତ ରାତିରୁ ଏକ ଦନ୍ତା ହାତୀ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରିବା ସହ ଘର ଭାଙ୍ଗିବାରେ ଲାଗିଥିବା ବେଳ ଶୁକ୍ରବାର ଦନ୍ତା ହାତୀ ଉପଦ୍ରବର ସୀମାଟପି ଯାଇଛି। ଅଞ୍ଚଳବାସୀ ଦନ୍ତାକୁ ବନବିଭାଗ ସହାୟତାରେ ଘଉଡାଉଥିବାରୁ ଦନ୍ତାଟି ରାଗିଯାଇ ଜଣେ ନାବାଳିକାକୁ ଟେକି କଚାଡି ଦେବା ସହ ପାଦରେ ଦଳି ମାରଦେଇଥିବା ଜଣାପଡିଛି। ମୃତ ନାବାଳିକା ଜଣଙ୍କ ହରିହରପୁର ଗ୍ରାମର ସ୍ୱର୍ଗତ ରଘୁନାଥ ମହାନ୍ତଙ୍କ ଝିଅ ସସ୍ମିତା ମହାନ୍ତ (୧୦) ବୋଲି ଜଣାପଡିଛି । ସସ୍ମିତା ଆସନ୍ତାକାଲି ନବୋଦୟ ପ୍ରବେଶିକା ପାଇଁ ଘରେ ପାଠ ପଢୁଥିବା ବେଳେ ହାତୀ ସସ୍ମିତାଙ୍କୁ ଘରୁ ଟାଣିଆଣି ପାଦରେ ଦଳିଦେଇଥିଲା । ଦୁର୍ଭାଗ୍ୟ ଯେ ଗତବର୍ଷ ସସ୍ମିତାଙ୍କ ପିତା ରଘୁନାଥ ବଜ୍ରପାତରେ ମୃତ୍ୟୁବରଣ କରିଥିଲେ । ଘରେ ମାଆ ସୈରେନ୍ଦ୍ରୀଙ୍କ ସହ ଥିବା ବେଳେ ଏହି ଅଘଟଣ ଘଟିଛି।
ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରୁ ଉପଦ୍ରବ ଚଳାଇଥିବା ଦନ୍ତା ହାତୀ ପାଟଣା ରେଞ୍ଜର ବଡ଼ବିଲ, ଜମୁନାଳିଆ ତାଳସରୁଆ , ହଲଦୀବଟା , ନୂଆଗାଁ , ଦୁବେଇପେଣ୍ଠ ଆଦି ଗ୍ରାମରେ ଉକ୍ତ ହାତୀଟି ପଶି ୫ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ନଷ୍ଟ କରିବା ସହ ଲୋକେ କରିଥିବା ପନି ପରିବା ଚାଷ କୁ ମଧ୍ୟ ହାତୀ ଦଳି ଚକଟି ନଷ୍ଟ କରିଦେଇଥିବା ସୂଚନାମିଳିଛି।



