ଆସନ୍ତାକାଲିଠୁ ବିଜେପି ରାଜ୍ୟ ସଭାପତିଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ

ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

କେନ୍ଦୁଝରଗଡ଼: ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ନିଯୁକ୍ତ ହେବାପରେ ପ୍ରଥମଥର ପାଇଁ ସେପ୍ଟେମ୍ବର ୮ ଓ ୯ ତାରିଖ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସିବା ନେଇ ଜିଲା ବିଜେପି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଶ୍ରୀ ସାମଲ ୮ତାରିଖ ସକାଳ ସାଢ଼େ ୭ଟାରେ ଭୁବନେଶ୍ୱରୁ ବାହାରି ପୂର୍ବାହ୍ନ ୧୦ଟାରେ ଘଟଗାଁଠାରେ ପହଞ୍ଚି ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପୂର୍ବାହ୍ନ ୧୧ଟାରେ ଘଟଗାଁ ଦଳୀୟ କାର୍ଯ୍ୟାଳୟରେ ଘସିପୁରା ନିର୍ବାଚନମଣ୍ଡଳୀ କୋର କମିଟି ବୈଠକରେ ଉଦ୍‌‌ବୋଧନ ଦେବେ। ପୂର୍ବାହ୍ନ ୧୧ଟା ୪୫ମି.ରେ ଘଟଗାଁରୁ ବାହାରି ପାଟଣା ଅଭିମୁଖେ ଯାତ୍ରା କରି ୧୨ଟା ୧୫ମି.ରେ ପାଟଣାଠାରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୧ଟାରେ ସାହାରପଡ଼ା ବ୍ଲକ ଗୋଜିଟାଙ୍ଗିରୀରେ ସହିଦ ହେମନ୍ତ ମହାନ୍ତଙ୍କ ସ୍ମୃତି ସଭା ପରେ ଅପରାହ୍ନ ୩ଟାରେ କେନ୍ଦୁଝର ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୪ଟାରେ କେନ୍ଦୁଝରରେ ପହଞ୍ଚିବା ପୂର୍ବରୁ ଗୋବିନ୍ଦପୁର ଠାରୁ ଏକ ବାଇକ ଶୋଭାଯାତ୍ରାରେ ପାଛୋଟି ଆଣି କେନ୍ଦୁଝର ସହର ପରିକ୍ରମା ପରେ ଅପରାହ୍ନ ୫ଟାରେ ଜିଲା ସଂସ୍କୃତି ଭବନଠାରେ ଶ୍ରୀ ସାମଲଙ୍କୁ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

ଏହାପରେ ସନ୍ଧ୍ୟା ୬ଟାରେ ପାଟଣା ନିର୍ବାଚନମଣ୍ଡଳୀ, ସନ୍ଧ୍ୟା ୭ଟାରେ ତେଲକୋଇ ନିର୍ବାଚନମଣ୍ଡଳୀ ଓ ରାତି ୮ଟାରେ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ କୋର କମିଟି ବୈଠକରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦ୍‌‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ସର୍କିଟ୍‌‌ ହାଉସଠାରେ ରାତ୍ରିଯାପନ ପରେ ଶନିବାର ସକାଳ ୮ଟା ୩୦ମି.ରେ ଚମ୍ପୁଆ ଯାତ୍ରାରମ୍ଭ କରି ୧୦ଟାରେ ଜାମୁଦଲକ ଠାରେ ପହଞ୍ଚି ସହିଦ ସ୍ମାରକୀ ପରିଦର୍ଶନ ପରେ ପୂର୍ବାହ୍ନ ୧୦ଟା ୩୦ରେ ବଡବିଲ ଅଭିମୁଖେ ଯାତ୍ରା କରିବେ। ୧୧ଟା ୩୦ମି.ରେ ବଡବିଲରେ ପହଞ୍ଚିବା ପରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ଅମୃତ କଳସ ଶୋଭାଯାତ୍ରା ଶେଷ ହେବାପରେ ଅପରାହ୍ନ ୧ଟାରେ ରୁଙ୍ଗଟା ସମ୍ମିଳନୀ ଗୃହରେ ଚମ୍ପୁଆ ନିର୍ବାଚନମଣ୍ଡଳୀ କୋର କମିଟି ବୈଠକରେ ଉଦ୍‌‌ବୋଧନ ଦେବେ। ଅପରାହ୍ନ ୧ଟା ୪୫ମି.ରେ ବଡବିଲରୁ ଆନନ୍ଦପୁର ଅଭିମୁଖେ ବାହାରି ଅପରାହ୍ନ ୪ଟାରେ ଛେନାପଦି ଓ ଅଁରା ଗ୍ରାମରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମରେ ସାମିଲ ହେବାପରେ ସନ୍ଧ୍ୟା ୬ଟାରେ ହାଟଡିହି ଦଳୀୟ କାର୍ଯ୍ୟାଳୟଠାରେ ଆନନ୍ଦପୁର ନିର୍ବାଚନମଣ୍ଡଳୀର କୋର କମିଟି ବୈଠକରେ ଉଦ୍‌‌ବୋଧନ ଦେବାପରେ ରାତି ୯ଟାରେ ଭଦ୍ରକ ଅଭିମୁଖେ ଯାତ୍ରା କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏହି ଦୁଇଦିନିଆ କେନ୍ଦୁଝର ଗସ୍ତରେ ଜିଲାର ସମସ୍ତ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀର ନେତାଙ୍କ ସହ ବୈଠକରେ ଯୋଗଦେବାକୁ ଥିବାବେଳେ ବହୁ ଗୋଷ୍ଠୀରେ ବିଭାଜିତ ଜିଲାର ଦଳୀୟ ନେତା ଓ କର୍ମୀଙ୍କୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କେଉଁ ପ୍ରକାର ଗୁରୁମନ୍ତ୍ର ଦେବେ ସେ ନେଇ ଦଳୀୟ ମହଲରେ ବେଶ୍‌‌ ଆଲୋଚ୍ୟର ବିଷୟ ହୋଇଛି।

Comments are closed.