ବୋଲଗଡ଼: ରାଜସୁନାଖଳା ସିଟି ସ୍କୁଲ ପଡିଆରେ ଚାଲିଥିବା ରାଜ ସୁନାଖଳା ମହୋତ୍ସବ କାଉଁରି ୨୦୨୩ର ଶନିବାର ଦ୍ଵିତୀୟ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନଙ୍କ ସହ ଶିଳ୍ପ ନିକେତନର ଓଡିଶୀ ସମ୍ବଲପୁରୀ ଓ ମଡ଼ର୍ଣ ଡ୍ୟାନ୍ସ ସହ ସ୍ଥାନୀୟ କଳାକାରଙ୍କ ଖଞ୍ଜଣୀ ଭଜନ, ସଂକୀର୍ତନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଶେଷଭାବେ ମହିଳା ପାଇକ ଆଖଡ଼ା ନୃତ୍ୟକଳାରେ ଦର୍ଶକ ବିଭୋର ହୋଇଥିଲେ।
ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଚିତ୍ତ ରଂଜନ ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପର୍ଯ୍ୟଟନ ବିଭାଗ ଉପଦେଷ୍ଟା ଦୁର୍ଗା ସାମନ୍ତରାୟ, ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବଡକୁମାରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, କିଶୋର ଚନ୍ଦ୍ର ରାଉତରାୟ, ପ୍ରସନ୍ନ କୁମାର ସ୍ଵାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ମହୋତ୍ସବ ପାଇଁ ସ୍ୱର ଓ ବକ୍ତୃତା ପ୍ରତିଭା ପ୍ରତିଯୋଗିତାରେ ଚୟନ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ଅତିଥିମାନେ ସମ୍ମାନିତ କରିଥିଲେ। ସାମ୍ବାଦିକ ଜୟନ୍ଦ୍ର ବେହେରା ଓ ରାଜେନ୍ଦ୍ର ସାହୁ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ବିଳମ୍ୱିତ ରାତ୍ରୀ ପର୍ଯ୍ୟନ୍ତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ମିନା ବଜାରରେ ଗହଳି ଜମିଥିଲା।



