ବାରଣାସୀ : ବାରଣାସୀରୁ ଇନ୍ଦୋର ମଧ୍ୟରେ ଚଳାଚଳ କରୁଥିବା ଆଇଆରସିଟିସିର କର୍ପୋରେଟ ଟ୍ରେନ ‘କାଶୀ ମହାକାଳ ଏକ୍ସପ୍ରେସ’କୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ଭଗବାନ ଶିବଙ୍କ ତିନୋଟି ଜ୍ୟୋତିର୍ଲିଙ୍ଗ ଓଙ୍କାରେଶ୍ୱର, ମହାକାଳେଶ୍ୱର,ଏବଂ କାଶୀ ବିଶ୍ୱନାଥଙ୍କ ପୀଠକୁ ସଂଯୋଗ କରୁଥିବା ଏହି ‘କାଶୀ ମହାକାଳ ଏକ୍ସପ୍ରେସ’ ସପ୍ତାହରେ ୨ଦିନ ବାରଣାସୀରୁ ଇନ୍ଦୋର ମଧ୍ୟରେ ଚଳାଚଳ କରିବ। ଏଥିରେ ୧୨ଟିି କୋଚ୍ ରହିଛି। ସବୁ ଗୁଡିକ ଶୀତତାପ ନିୟନ୍ତ୍ରୀତ ବା ଏସି ଥ୍ରୀ-ଟିୟର କୋଚ୍। ତେବେ ଏଥିରେ ଭଗବାନ ଶିବଙ୍କ ପାଇଁ ଏକ ସିଟ୍ ସଂରକ୍ଷିତ ରହିଛି।

ରବିବାର ଏହି ଟ୍ରେନ ପ୍ରଥମଥର ପାଇଁ କାନପୁର ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିଥିଲା। ତେବେ ଟ୍ରେନର ବି-୫ କୋଚ୍ ର ଉପର ଭାଗରେ ଥିବା ସିଟରେ ଭଗବାନଙ୍କର ଛୋଟ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି। ସେଠାରେ ପୂଜାର୍ଚ୍ଚନା ପରେ ନଡିଆ ଭାଙ୍ଗି ଏହାକୁ ସ୍ୱାଗତ କରାଯାଇଥିଲା। ରେଳବାଇ ସୂତ୍ରରୁ କୁହାଯାଇଛି ଯେ ଦେଶରେ ପ୍ରଥମଥର ପାଇଁ ଏକ ଟ୍ରେନରେ ଭଗବାନଙ୍କ ପାଇଁ ଏକ ସିଟ୍ ସଂରକ୍ଷିତ ରହିଛି। ଟ୍ରେନର ବି-୫ କୋଚ୍ ର ଉପର ଭାଗରେ ଥିବା ୬୪ନଂ ସିଟ୍ କୁ ଭଗବାନ ଶିବଙ୍କ ପାଇଁ ଏକ ସିଟ୍ ସଂରକ୍ଷିତ ରଖାଯାଇଛି।
ତେବେ ଏହି ଟ୍ରେନର ବିଶେଷତ୍ୱ ହେଉଛି ଏସି ଥ୍ରୀ-ଟିୟର ସମସ୍ତ କୋଚରେ ସବୁ ସମୟରେ ‘ଓଁ ନମଃ ଶିବାୟ’ ମନ୍ତ୍ର ବାଜୁଛି। ଏହାବ୍ୟତୀତ ଭଗବାନ ଶିବଙ୍କର ଅନ୍ୟାନ୍ୟ ଭଜନ ଓ ଏହାର ସ୍ୱର ବାଜୁଛି। ଯାହାଦ୍ୱାରା ଏହି ଟ୍ରେନରେ ବସିଲେ ମଧ୍ୟ ଅନୁଭବ କରିହେବ ଯେ, ଏହା କାଶୀ ବିଶ୍ୱନାଥରୁ ମହାକାଳେଶ୍ୱର ଦର୍ଶନ କରାଇବାକୁ ଯାଉଛି। ଟ୍ରେନରେ ସେବା ଯୋଗାଉଥିବା କର୍ମଚାରୀଙ୍କ ପୋଷାକ କେଶରୀ ରଙ୍ଗର।

‘କାଶୀ ମହାକାଳ ଏକ୍ସପ୍ରେସ’ର ବିଶେଷତ୍ୱ :
-ଆଇଆରସିଟିସି ପକ୍ଷରୁ ସୁଗମ ଦର୍ଶନ ପାଇଁ ଯାତ୍ରୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ପ୍ୟାକେଜ
-ଆଇଆରସିଟିସିର ୱେବସାଇଟରେ ଏବଂ ମୋବାଇଲ ଆପ୍ ରେ ଅନ୍ ଲାଇନ ପ୍ୟାକେଜ ବୁକିଂ ସୁବିଧା
-ଟ୍ରେନ ସମସ୍ତ କୋଚ ଏସି ଏବଂ ସିସିଟିଭିର ବ୍ୟବସ୍ଥା ରହିଛି
-ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଯାତ୍ରା ସମୟରେ ରହିଛି ୧୦ଲକ୍ଷ ଟଙ୍କାର ଯାତ୍ରା ବୀମା
-୧୨୦ ଦିନ ପୂର୍ବରୁ ଅଗ୍ରୀମ ସଂରକ୍ଷଣ ବ୍ୟବସ୍ଥା
-ଟେନ ଛାଡିବାର ପାଞ୍ଚ ମିନିଟ ପୂର୍ବରୁ ବର୍ତ୍ତମାନର ବୁକିଂ ସୁବିଧା
-ଯାତ୍ରା ସଂପର୍କୀତ ସମସ୍ତ ସୂଚନା ଯାତ୍ରାର ସବୁ ସମୟରେ ମୋବାଇଲରେ ଯୋଗାଇ ଦିଆଯିବ



