ଫୁଲବାଣୀ : କୃଷି ଓ କୃଷକଙ୍କୁ କନ୍ଧମାଳ ଜିଲା ପ୍ରଶାସନ କେତେ ଗୁରୁତ୍ବ ଦେଉଛି ତାହା ଜିଲାର ଅଚଳାବସ୍ଥାରେ ରହିଥିବା ଶୀତଳଭଣ୍ଡାରଗୁଡିକର ସ୍ଥିତାବସ୍ଥାରୁ ସ୍ପଷ୍ଟ ଅନୁମିତ। କୃଷିର ବିକାଶ ପାଇଁ ନିଜେ ଜିଲାପାଳ ଜିଲାରେ ଆରମ୍ଭ କରିଛନ୍ତି ମିଶନ-୧୭୧। ଏହି ମିଶନ୍ ଜରିଆରେ ଜିଲାର ୧୭୧ ଟି ପଞ୍ଚାୟତରେ ବିଭିନ୍ନ ଯୋଜନାରେ କୃଷିର ବିକାଶ ପାଇଁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ସବୁ ଦିଗରୁ କୃଷିର ବିକାଶ ପାଇଁ ଅନୁଦାନ ଖର୍ଚ୍ଚ କରାଯାଉଥିଲେ ମଧ୍ୟ କନ୍ଧମାଳ ଜିଲାର ଗୋଟିଏ ବୃହତ୍ତ ଏବଂ ୧୭ଟି କ୍ଷୁଦ୍ର ଶୀତଳଭଣ୍ଡାର ବର୍ଷବର୍ଷ ଧରି ଅଚଳାବସ୍ଥାରେ ରହିଛି।
କନ୍ଧମାଳ ଜିଲାର ଜଳବାୟୁ ପନିପରିବା ଓ ଆଳୁ ଚାଷ ପାଇଁ ବେଶ ଅନୁକୂଳ। ପ୍ରଚୁର ପରିମାଣରେ ଜୈବିକ ପଦ୍ଧତିରେ ପନିପରିବା, ଆଳୁ ଓ ପିଆଜ ଚାଷ ହୋଇଥାଏ। ଉତ୍ପନ୍ନ କୃଷିଜାତ ପଦାର୍ଥର ସଂରକ୍ଷଣ ସୁବିଧା ଏବଂ ସ୍ଥାନୀୟ ବଜାର ଉପଲବ୍ଧ ନଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ମିଳିଥିବା ଏକ ରିପୋର୍ଟ ପ୍ରକାରେ, ଜିଲାରେ ପ୍ରାୟ ୧୬ ହଜାର ହେକ୍ଟର ଜମିରେ ପନିପରିବା, ପିଆଜ ଓ ଆଳୁ ଚାଷ ହେଉଛି ଏବଂ ପ୍ରାୟ ୧ ଲକ୍ଷ ୭୪ ଟନ୍ ପରିବା ଉତ୍ପାଦନ ହେଉଛି। ଜିଲାରେ ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଚାଷୀମାନେ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରୁଛନ୍ତି। ରାସାୟନିକ ବଦଳେ ଜୈବିକ ସାର ଉପଯୋଗ କରୁଥିବାରୁ ଏହି ସବୁ ପନିପରିବାର ଗୁଣାତ୍ମକ ମାନ ଅଧିକ ରହୁଛି । ହେଲେ ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀମାନେ ପରିବା ସଂରକ୍ଷଣ ରଖିବାର ସୁଯୋଗ ପାଇ ପାରୁନାହାନ୍ତି। ଯଦ୍ବାରା ପନିପରିବା ଉତ୍ପାଦନ ହେବା କ୍ଷଣି ଦଲାଲ ଓ ବ୍ୟବସାୟୀଙ୍କୁ ଶାଗମାଛ ଦରରେ ଚାଷୀ ବିକ୍ରି କରୁଛନ୍ତି। ଦଲାଲ ଏବଂ ବେପାରୀ ଖୁବ କମ ଦାମରେ ତଟକା ପରିବା କିଣି ନେଇ ଅନ୍ୟ ସହରରେ ଥିବା ଶୀତଳଭଣ୍ଡାରରେ ସଂରକ୍ଷଣ କରି ଅଧିକ ଦାମରେ ବିକ୍ରି କରି ଲାଭାନ୍ୱିତ ହେଉଛନ୍ତି। ଜିଲାରେ ପରିବା ଚାଷର ସ୍ଥିତିକୁ ଦେଖି ୧୯୮୧ ମସିହାରେ କନ୍ଧମାଳ ଜିଲା ଜି.ଉଦୟଗିରିଠାରେ ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ପକ୍ଷରୁ ଏକ ବୃହତ୍ତ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇଥିଲା। ଏହା ପ୍ରତିଷ୍ଠା ହେବା ପରେ ଟିକାବାଲି, ଜି.ଉଦୟଗିରି, ରାଇକିଆ ଓ ଚକାପାଦ ବ୍ଲକ ସମତେ ଆଖପାଖ ବ୍ଲକର ଚାଷୀ ଉପକୃତ ହେଉଥିଲେ। ଏହାର ପରିଚାଳନାଗତ ତ୍ରୁଟି ଏବଂ ଅତ୍ୟଧିକ ବିଦ୍ୟୁତ ବିଲ୍ ଯୋଗୁ କାର୍ଯ୍ୟକ୍ଷମର ୧୦ ବର୍ଷ ପରେ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ବର୍ତ୍ତମାନ ଏହି ଶୀତଳ ଭଣ୍ଡାର ଭୁତକୋଠି ପାଲଟିଛି। ଏହାର ଯନ୍ତ୍ରାଂଶଗୁଡ଼ିକ ନଷ୍ଟ ହୋଇଯାଇଛି।
ଦୁଇବର୍ଷ ତଳେ ଫୁଲବାଣୀ ଓ ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଜିଲାର ୧୭ଟି ସ୍ଥାନରେ କ୍ଷୁଦ୍ର ଶୀତଳ ଭଣ୍ଡାର( ୨୫ ମେଟ୍ରିକ୍ ଟନ ପରିବା ସଂରକ୍ଷଣ କରିବାର କ୍ଷମତା) ପ୍ରତିଷ୍ଠା ହୋଇଛି। ହେଲେ ଏପର୍ଯ୍ୟନ୍ତ ସେଗୁଡିକ କାର୍ଯ୍ୟକାରୀ ନହୋଇ ନଷ୍ଟ ହେବାରେ ଲାଗିଛି। ଏହାକୁ ପରିଚାଳନା କରିବା ପାଇଁ କୌଣସି ସଂସ୍ଥା ମିଳୁନଥିବାରୁ ତାହା କାର୍ଯ୍ୟକାରୀ ହେଇ ପାରୁନଥିବା ଫୁଲବାଣୀ ସମନ୍ୱିତ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ରକୁମାର ଦାସ ପ୍ରକାଶ କରିଛନ୍ତି। ଏନେଇ ଉଦ୍ୟମ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ସେହଭଳି ପରିବା ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏପିସିଟିଆରଓ (ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଇନ ଟ୍ରାଇବାଲ ରିଜିଓନ ଅଫ ଓଡିଶା) ଯୋଜନା ଆରମ୍ଭ କରିଥିବା ଉଦ୍ୟାନ କୃଷି ବିଭାଗ ସୂତ୍ରରୁ ଜଣାପଡିଛି। ଏହି ଯୋଜନାରେ ପ୍ରାୟ ୨୦୦ ଜଣ ମହିଳା ଚାଷୀଙ୍କୁ ନେଇ ଗୋଟିଏ ଗୋଟିଏ ଉତ୍ପାଦକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ଚାଷ ପାଇଁ ସହୟତା ଯୋଗାଇ ଦିଆଯିବା ସହ ଶୀତଳ ଭଣ୍ଡାର ପରିଚାଳନା ଓ ବଜାର ବ୍ୟବସ୍ଥା ଯୋଗାଇ ଦେବାର ଯୋଜନା ଗତ କିଛିବର୍ଷ ତଳେ କରାଯାଇଥିଲେ ମଧ୍ୟ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନି। ରାଜ୍ୟର ୧୨ଟି ଆଦିବାସୀ ପାହାଡିଆ ଜିଲାର ୪୦ଟି ବ୍ଲକକୁ ଏଥିରେ ସାମିଲ କରାଯାଇଥିବା ବେଳେ କନ୍ଧମାଳ ଜିଲାର ଫୁଲବାଣୀ, ବାଲିଗୁଡା ଓ କେ. ନୂଆଗାଁ ବ୍ଲକ ମଧ୍ୟ ସାମିଲ ହୋଇଛି। ଏହି ସବୁ ବ୍ଲକରେ ଉତ୍ପାଦକ ଗୋଷ୍ଠୀ ଗଠନ ହୋଇ ସାରିଥିବା ଉଦ୍ୟାନ କୃଷି ବିଭାଗର ଉପ ନିର୍ଦେଶକ ମନୋଜ କୁମାର ଦାସ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ସେମାନଙ୍କୁ ଶୀତଳ ଭଣ୍ଡାର ପରିଚାଳନା ଦାୟିତ୍ୱ ଦିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପଟେ କନ୍ଧମାଳ ଜିଲାପାଳଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଛି କନ୍ଧମାଳ ଫ୍ରେସ୍। ଉକ୍ତ ଫ୍ରେସ୍ରୁ ଅଞ୍ଚଳବାସୀ କିଣିବା ଅପେକ୍ଷା ବାହାର ବଜାରରୁ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଏହି କାରଣରୁ କେଉଁଠି ତାଲା ଝୁଲୁଛି ତ ଆଉ କେଉଁଠି ପରିବା ବଦଳରେ ବିକ୍ରି ହେଉଛି ତେଜରାତି ସାମଗ୍ରୀ। ବର୍ଷ ବର୍ଷ ଧରି ଅଚଳାବସ୍ଥାରେ ପଡ଼ିଥିବା କନ୍ଧମାଳ ଜିଲାର ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ନହେବା ଦ୍ବାରା ସରକାରଙ୍କ ସମସ୍ତ ଚାଷୀରହିତ ଯୋଜନାରେ ଚାଷୀ ବଦଳେ ବ୍ୟବସାୟୀ ହିଁ ଲାଭବାନ ହେଉଛନ୍ତି।
କନ୍ଧମାଳ : ୧୮ ଶୀତଳ ଭଣ୍ଡାର ଶିଥିଳ
Popular Categories



