ଏବେ ବି ପାରମ୍ପରିକ କଞ୍ଚାଇଟା, କାଠ-ବାଉଁଶ ଘରେ ରହିବାକୁ ପସନ୍ଦ କରନ୍ତି ନିୟମଗିରି ଆଦିମ ଜନଜାତି

କଲ୍ୟାଣସିଂହପୁର: ସମୃଦ୍ଧ ଓଡ଼ିଶାର ନୂତନ ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଶୁଭାରମ୍ଭ କରିଛନ୍ତି। ହେଲେ ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ନିକଟରେ ଏବେ ବି ବିକଶିତ ଭାରତର ବାର୍ତ୍ତା ପହଞ୍ଚି ପାରିନାହିଁ। କଚ୍ଚା ଘରକୁ ପକ୍କା କରିବାକୁ ରହିଥିବାବେଳେ ଆବାସ ଯୋଜନା ଏବେ ବି ସେମାନଙ୍କ ପାଇଁ ଅପହଞ୍ଚ, ଏଣୁ ପାରମ୍ପରିକ କଞ୍ଚା ଇଟାରେ ନିର୍ମାଣ କରିଥିବା ଘରକୁ ସେମାନେ ଛାଡ଼ି ପାରିନାହାନ୍ତି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡା ବ୍ଲକରେ ଏବେ ବି ବିରଳ ଜନଜାତି ଡଙ୍ଗରିଆ କନ୍ଧ ବସବାସ କରି ଆସୁଛନ୍ତି। ଏହି ବର୍ଗର ଲୋକେ ନିଜେ ନିଜେ କଞ୍ଚା ଇଟା ତିଆରି କରି ଘର ନିର୍ମାଣ କରାଯାଇଥିବା ଘରେ ରହୁଥିବା ଦେଖିବାକୁ ମିଳୁଛି। ଲୋକେ ପୂର୍ବେ ଛଣ ଛପର କରି କାଠ ଓ ବାଉଁଶରେ କାନ୍ଥ ନିର୍ମାଣ କରି ଘରେ ରହୁଥିଲେ। ହେଲେ ସମୟର ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ଆଜ୍ବେଷ୍ଟସ୍ ଓ ଟିଣ ଛପର କରୁଛନ୍ତି। ପୂର୍ବଭଳି ଛଣ ମିଳୁ ନ ଥିବାରୁ ଆଜବେଷ୍ଟସ୍ ଓ ଟିଣ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ରାୟଗଡ଼ା ଜିଲ୍ଲାର ତିନି ବ୍ଲକ ଓ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ପ୍ରାୟ ୧୧୨ଗାଁରେ ବସବାସ କରୁଥିବା ଜନଜାତିଙ୍କ ପାଇଁ ଏହି ଘର ହିଁ ଭରସା ବୋଲି କହିଛନ୍ତି। ଗ୍ରାମଗୁଡ଼ିକ ଦୁର୍ଗମ ପାହାଡ଼ ଉପରେ ରହୁଥିବାରୁ ରାସ୍ତା ନଥିବା ଓ ବଡ଼ବଡ଼ ଘାଟି ଉପରେ ରହୁଥିବାରୁ ଘରକରଣା ସାମଗ୍ରୀ ନେବା ଆଣିବା ଅସୁବିଧା ଯୋଗୁଁଁ ପୋଡା ଇଟା ଚିପ୍ସ ନେବାରେ ସମସ୍ୟା ସୃଷ୍ଟି ହୋଇଛି।
ସେହିପରି ବାଲି, ଇଟା, ଲୁହାଛଡ଼ ନେବା ଆଣିବା ପାଇଁ ଅଧିକ ଖର୍ଚ୍ଚ ହେବାକୁ ପଡୁଥିବାରୁ ଘର କରିବା ଏମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଗତ କୋଡ଼ିଏ ବର୍ଷ ପୂର୍ବେ ନିୟମଗିରି ଡଙ୍ଗରିଆଙ୍କୁ ତତ୍କାଳୀନ ଜିଲ୍ଲାପାଳ ବିଷ୍ଣୁପଦ ସେଠୀ ପ୍ରତି ଘରକୁ ମାଗଣା ଟିଣ ଯୋଗାଇଥିଲେ ମଧ୍ୟ ଅନେକ ରାସ୍ତା ସମସ୍ୟା ପାଇଁ ସେତେବେଳେ ବିକ୍ରି କରିଦେଇଥିଲେ। କିନ୍ତୁ ସେସମୟ ଆଉ ନାହିଁ ରାସ୍ତା ନିର୍ମାଣ ହୋଇଛି ଗାଡ଼ି ଚାଲିଲା ଘର ବି ଅନେକଙ୍କୁ ମିଳିଛି ସରକାର ଜନମନ ଯୋଜନାରେ ଦୁଇ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ବି ଘର କରିବା ପାଇଁ ଉକ୍ତ ଟଙ୍କା ନିଅଣ୍ଟ ପଡୁଛି ତ କାହାର ସରକାରୀ କଳରେ ବିଲ ବ୍ୟବସ୍ଥାରେ ହଇରାଣ ହୋଇ ହନ୍ତସନ୍ତ ହେବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି ଡଙ୍ଗରିଆମାନେ। ସରକାର ଡଙ୍ଗରିଆଙ୍କ ସମସ୍ତ ସୁବିଧାକୁ ଦୂର କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଡିକେଡିଏ ପ୍ରକଳ୍ପ ୧୯୮୬ ମସିହାରେ ଆରମ୍ଭ ହୋଇ ଚାଳିଶି ବର୍ଷ ବିତିଯାଇଥିଲେ ମଧ୍ୟ ବିକାଶର ଛାପ ବହୁ ଦୂରରେ କହିଲେ ଭୁଲ ହେବନାହିଁ। ଅନେକ ଡଙ୍ଗରିଆ ଅଛନ୍ତି, ଯେଉଁମାନେ ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ସେ ଆବାସ ଯୋଜନାରେ ପକ୍କା ଘରଟିଏ କରି ପାରିନାହାନ୍ତି। କଞ୍ଚା ଇଟା ମାଟିରେ ନିର୍ମାଣ ଘରେ ସ୍ତ୍ରୀ ଓ ପିଲାଛୁଆ ଚାରି ଜଣଙ୍କୁ ନେଇ ରୁହନ୍ତି। ତେବେ, ଏଭଳି ଘରେ ରହି ସେ ଖୁସି ବୋଲି କହନ୍ତି। ଶୀତ ସମୟରେ ବେଶୀ ଥଣ୍ଡା ଲାଗେ ନାହିଁ କି ଖରା ସମୟରେ ବେଶି ଗରମ ମଧ୍ୟ ହୁଏ ନାହିଁ। ଏହି ଇଟା ମାଟି କାଠ ବାଉଁଶ ଘର ଶୀତତାପ ନିୟନ୍ତ୍ରିତ ଭଳି କାମ କରିଥାଏ।
ଏହା ବ୍ୟତୀତ ଏହି ଘରେ ବିଭିନ୍ନ ପର୍ବ ପର୍ବାଣୀରେ ରଙ୍ଗ ଦେବା ପାଇଁ ରଙ୍ଗମାଟି କଳାମାଟି ଓ ଧଳା ପଥରକୁ ଚୂନାକରି ରଙ୍ଗ ଦେଇଥାନ୍ତି। ଘର ଭିତରେ ଆସବାବପତ୍ରଠାରୁ ଆରମ୍ଭ କରି ଧାନ ଚାଉଳ ଆଦି ରଖିବା ପାଇଁ ବାଉଁଶରେ ତିଆରି ଡାଲା କିମ୍ବା ଗୁଲି କରି ଖାଦ୍ୟ ସାମଗ୍ରୀ ରଖିଥା’ନ୍ତି। କେନ୍ଦ୍ର ସରକାର ଜନଜାତି ପାଇଁ ଗତ ବଜେଟରେ ଅର୍ଥ ବ୍ୟବସ୍ତା କରି ସେମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ସରକାରୀ କଳରେ ଅବହେଳା ସରକାରୀ ବାବୁଙ୍କ ଅନିଛା ପାଇଁ ଜନଜାତି ଡଙ୍ଗରିଆ ବିକାଶର ଦ୍ୱାରରେ ପହଞ୍ଚି ପାରିନି। ବ୍ଲକ ପ୍ରଶାସନ ଓ ସ୍ୱତନ୍ତ୍ର ଅଧିକାରୀଙ୍କ ଆଢୁଆଳରେ ରହିଯାଇଛନ୍ତି ଡଙ୍ଗରିଆମାନେ। ସେମାନଙ୍କ ଜବକାର୍ଡର ଅପ୍ଗ୍ରେଡ୍ ହୋଇନଥିବାରୁ କାର୍ଯ୍ୟ କରିଥିବା ବିଭିନ୍ନ ଯୋଜନାର ଅର୍ଥ ପାଇବାରୁ ବଞ୍ଚିତ ହୋଇଥିବା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବାରୁ ଡଙ୍ଗରିଆମାନେ ନିରାଶ ହୋଇ ପଡ଼ିଛନ୍ତି।
Comments are closed.