କଲମପୁର: ଜଣେ ମହିଳାଙ୍କୁ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମଙ୍ଗଳବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ମହିଳା ଜଣକ ଗତ ୨୦ ତାରିଖ ବିଳମ୍ବିତ ରାତିରୁ ନିଖୋଜ ହୋଇଯାଇ ମାଟିଆ ଜଙ୍ଗଲରେ ମୁମୁର୍ଷୁ ଅବସ୍ଥାରେ ପଡ଼ି ରହିଥିଲେ।
ସୂଚନା ଅନୁସାରେ, ଦୁଲକିବନ୍ଧ ଚଞ୍ଚରାପଡ଼ାର ବସନ୍ତ ପ୍ରଧାନୀଙ୍କ ପତ୍ନୀ ଡମେନ ପ୍ରଧାନୀ ଗତ ୨୦ ତାରିଖ ଦିନ ପରିବାର ସହ ନୂଆଁଖାଇ ସାରିବା ପରେ ଗାଁରେ ବିବାହ ଦେଇଥିବା ଝିଅ ଘରେ ରାତିରେ ଶୋଇଥିଲେ। କିନ୍ତୁ ରାତିରେ ସେ କେଉଁ ଆଡେ ଚାଲିଯାଇଥିଲେ। ପରିବାର ଲୋକ ଗୁରୁବାର ସକାଳେ ଘଟଣା ସମ୍ବନ୍ଧରେ ଜାଣିଥିଲେ। ଏହାପରେ ଖୋଜା ଖୋଜି କରିଥିଲେ ମଧ୍ୟ ମହିଳାଙ୍କ କୌଣସି ସନ୍ଧାନ ମିଳିନଥିଲା। ଏହାପରେ କଲମପୁର ପୁଲିସ ଥାନାରେ ମହିଳାଙ୍କ ନିଖୋଜ ନେଇ ଏକ ଲିଖିତ ଏତଲା ଦିଆଯାଇଥିଲା। କିନ୍ତୁ ଆଜି କିଛି ଲୋକ ଜାଳେଣୀ ସଂଗ୍ରହ ପାଇଁ ନିକଟସ୍ଥ ମାଟିଆ ଜଙ୍ଗଲକୁ ଯାଇଥିବା ବେଳେ ମହିଳା ଜଣକ ଅସହାୟ ଏବଂ ମୁମୁର୍ଷୁ ଅବସ୍ଥାରେ ପଡ଼ି ରହିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଲମପୁର ଅଗ୍ନିଶମ ବାହିନୀ ସହାୟତାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତମାନ ମହିଳାଙ୍କ ଚିକିତ୍ସା ଜାରି ରହିଛି। ମହିଳା ଜଣକ ମାନସିକ ଭାରସାମ୍ୟ ହରାଇ ନିଜେ ନିଜେ କେଉଁ ଆଡେ ଚାଲିଯାଇଥିଲେ ନାଁ ତାଙ୍କୁ କିଏ ନେଇ ସେଠାରେ ଛାଡିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାସହ ୨୦ ତାରିଖ ବିଳମ୍ବିତ ରାତିରୁ ୨୬ ତାରିଖ ଦୀର୍ଘ ୬ ଦିନ ଧରି ମହିଳା ଜଣକ କିଭଳି ପଡ଼ି ରହିଲେ? ଏହି ୬ ଦିନ ମଧ୍ୟରେ ବର୍ଷାର ପ୍ରକୋପ ମଧ୍ୟ ଦେଖା ଦେଇଥିଲା। ତେଣୁ ଘଟଣାର ଅଧିକ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।



