କଲମପୁର: ଯେଉଁ ଜାତି ଶିକ୍ଷାର ଅଗ୍ରଗତି କରିଛି ସେହି ଜାତିର ସାମୂହିକ ବିକାଶ ହେଉଛି । ଶିକ୍ଷାର ବିକାଶ ହେଲେ ସଂସ୍କୃତି ଓ ପରମ୍ପରା ବଜାୟ ରହିବ । ଭାଇଚାରା ବଜାୟ ରହିବ । ନିଜ ନିଜ ଭିତରେ ସହଯୋଗର ମନୋଭାବ ସୃଷ୍ଟି ହେବ । ତେଣୁ ଶିକ୍ଷାର ବିକାଶ ସହ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଏବଂ ଜାତି ଭିତ୍ତିକ ଜନଗଣନା ପାଇଁ ଦାବି କରିଛି ଯାଦବ ସମାଜ । କଲମପୁର ବ୍ଲକ ମୀନଗୁର ଧାନ ମଣ୍ଡି ଠାରେ କଲମପୁର ବ୍ଲକ ଯାଦବ ସମାଜ ତରଫରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ଏହି ଦାବି କରିଛନ୍ତି ।
ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ସିଂ ଲହଜଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନବ ନିର୍ବାଚିତ ସଭାପତି ନୃପରାଜ ଯାଦବ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଜିଲ୍ଲା ଯାଦବ ମହିଳା ସେଲର ସଭାନେତ୍ରୀ ଇଲା ସଲମା, ପୂର୍ବତନ ଜିଲ୍ଲା ଯାଦବ ମହାସଭାର ସଭାପତି ଡମ୍ବରୁଧର ଲହଜଲ, ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ଗୋବିନ୍ଦ ବନଛୋର, ଉତ୍କଳ ଯାଦବ ମହାସଭା ସମ୍ପାଦକ କୀର୍ତ୍ତନ ନାଏକ, କଲମପୁର ବ୍ଲକ ଯାଦବ କର୍ମଚାରୀ ସଂଘର ସଭାପତି ତଥା ଶିକ୍ଷାବିତ ପ୍ରଭାକର ଲହଜଲ, ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ସୁଧିର ବାଗ ପ୍ରମୁଖ ମଞ୍ଚାସୀନ ହେଇଥିଲେ ।
ପ୍ରଥମେ ଯାଦବ ସମାଜର ଆରାଧ୍ୟ ଯଦୁପତି ଶ୍ରୀକୃଷ୍ଣଙ୍କ ପୂଜା ଅର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜାତି ସମାଜ ଓ ଶିକ୍ଷାର ବିକାଶ ସମ୍ବନ୍ଧରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଶିକ୍ଷାର ବିକାଶ ହିଁ ଜାତିର ବିକାଶର ମୁଖ୍ୟ ପଥ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ । ଏ ଅବସରରେ ଯାଦବ ମହାସଭାର ପୂର୍ବତନ ଜିଲ୍ଲା କାର୍ଯ୍ୟକର୍ତ୍ତା, ବ୍ଲକ ସଂଗଠନର ପୂର୍ବତନ କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧତି କରାଯାଇଥିଲା । ଏହି ସଭାକୁ ସଦା ଚନ୍ଦନ ପରିଚାଳନା କରିଥିଲେ ।



