ଇନ୍ଦ୍ରାବତୀ ଜଲଭଣ୍ଡାର ମଝିରେ ଅଚଳ ହେଲା ମଟର ଲଂଚ, ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

କଲମପୁର: ପୁଣି ଇନ୍ଦ୍ରାବତୀ ଜଳବନ୍ଦୀଙ୍କ ଦୟନୀୟ ଜୀବନ ଦେଖିବାକୁ ମିଳିଛି ଗୁରୁବାର ଦିନ। ଆସନ୍ନ ବିପଦର ଆଶଙ୍କାରେ ଲୋକେ ବିକଳ ହେଉଥିବାର ଦେଖାଯାଇଥିଲା। ଏକ ମଟର ଲଂଚ ଇନ୍ଦ୍ରାବତୀ ଜଳ ଭଣ୍ଡାର ସଂଲଗ୍ନ ପୋଡାଗଡ଼ ଜଳଭଣ୍ଡାରର ଗଭିର ଜଳ ମଧ୍ୟରେ ଅଚଳ ହେଇ ପଡ଼ିଲା। ମଟର ଲଂଚରେ ଥିବା ୨୫ ଯାତ୍ରୀଙ୍କ ଜୀବନ ଦୁର୍ବିସହ ହେଇ ପଡ଼ିଥିଲା। କିନ୍ତୁ ସୌଭାଗ୍ୟ ବସତଃ ଦେବଦୂତ ସାଜି ବୋଟ ଆମ୍ବୁଲେନ୍ସ ଆସିଯିବାରୁ ଏହି ୨୫ ଯାତ୍ରୀ ଓ ମଟର ଲଂଚ ଚାଳକ ବର୍ତି ଯାଇଛନ୍ତି।

ସୁଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ପୋଡପଦର ପଂଚାୟତ ଅନ୍ତର୍ଗତ ଗୁଞ୍ଜମାଳି ଗ୍ରାମର ୨୫ ଜଣ ଯାତ୍ରୀ ଏକ ଲଂଚ ଯୋଗେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧିନସ୍ଥ ଲମତାଗୁଡା ସାପ୍ତାହିକ ବଜାରକୁ ଆସୁଥିଲେ। ମଟର ଲଂଚର କିଛି ଯାନ୍ତ୍ରୀକ ତୃଟି ଯୋଗୁଁ ଜଳଭଣ୍ଡାର ଅଧା ବାଟରେ ଅଚଳ ହେଇ ପଡ଼ିଥିଲା।

ଏହି ସମୟରେ ଦକ୍ଷିଣ ପବନ ଯୋଗୁଁ ଲହଡି ମାରି ମଟର ଲଂଚ ଭିତରକୁ ପାଣି ପଶୁଥିଲା। କିଛି ଯାତ୍ରୀ ଓ ମଟର ଲଂଚ ଚାଳକ ତୁରନ୍ତ ବାରିଆ ଘାଟ ଠାରେ ଥିବା ବୋଟ ଆମ୍ବୁଲାନ୍ସ ସହ ଯୋଗାଯୋଗ କରି ମଟର ଲଂଚ ଅଚଳ ହେବା ସହ ୨୫ ଯାତ୍ରୀଙ୍କ ଜୀବନ ବିପନ୍ନ ସମ୍ବନ୍ଧରେ ସୁଚନା ଦେବା ପରେ ଦେବ ଦୂତ ସାଜି ବୋଟ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚି ୨୫ ବିପନ୍ନଙ୍କୁ ଉଦ୍ଧାର କରିଥିଲେ। ଏହି ୨୫ ଜଣଙ୍କ ମଧ୍ୟରୁ ୧୫ ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ଓ ୪ ଜଣ ଶିଶୁ ଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନେଇ ବାରିଆ ଘାଟ ଠାରେ ଛାଡିଥିଲେ। ଯଦି ସଠିକ୍‍ ସମୟରେ ବୋଟ ଆମ୍ବୁଲେନ୍ସ ପହଂଚି ନଥିଲେ ଜନ ଜୀବନ ବିପନ୍ନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ପାରିନଥାନ୍ତା।

Comments are closed.