ଝୁମ୍ପୁରା: ସଂପ୍ରତି ସରକାର ରାଜସ୍ୱ ବିଭାଗକୁ ଅଧିକ ଗୁରୁତ୍ୱ ଦେବା ସହିତ ପ୍ରତି ୨ରୁ ୩ ଟି ପଞ୍ଚାୟତକୁ ନେଇ ଗୋଟାଏ ରାଜସ୍ୱ କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ସରକାର ପକ୍ଷରୁ ପୂର୍ବରୁ ଖୋଲିଥିବା ରାଜସ୍ୱ କାର୍ଯ୍ୟାଳୟର ଗୃହ ଗୁଡିକ ବିଭାଗ ଠିକ୍ ଭାବରେ ରକ୍ଷଣା ବେକ୍ଷଣ କରୁନଥିବାରୁ ପୂର୍ବରୁ ନିର୍ମାଣ ହୋଇଥିବା ରାଜସ୍ୱ କାର୍ଯ୍ୟାଳୟ ଗୁଡିକ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକରେ। ଏହି ତହସିଲ ଅନ୍ତର୍ଗତ ଝୁମ୍ପୁରା ରାଜସ୍ୱ କାର୍ଯ୍ୟାଳୟ ବର୍ତ୍ତମାନ ଅତି ବିପଦ ସଂକୂଳ ଅବସ୍ଥାରେ ରହିଥିଲେ ମଧ୍ୟ ଏହି କାର୍ଯ୍ୟାଳୟକୁ ମରାମତି କରିବା ଦିଗରେ ବିଭାଗୀୟ ଅଧିକାରୀ କାହିଁକି ଦୃଷ୍ଟି ଦେଉ ନାହିଁ ବୋଲି ଏଠାରେ ପ୍ରଶ୍ନ ଉଠୁଛି। ଏହି ରାଜସ୍ୱ କାର୍ଯ୍ୟାଳୟ ଉପରେ ଝୁମ୍ପୁରା ପଞ୍ଚାୟତ ସମେତ, ଅର୍ଶଳା ଓ ଖୁଣ୍ଟାପଡା ପଞ୍ଚାୟତର ଲୋକ ନିର୍ଭର କରିଆସିଛନ୍ତି।
ରାଜସ୍ୱ କାର୍ଯ୍ୟାଳୟଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଅସରାଏ ବର୍ଷା ହେଲେ ଛାତରୁ ପାଣି ଝରି କାର୍ଯ୍ୟାଳୟରେ ଭର୍ତ୍ତି ହୋଇଯାଉଛି, ଯାହା ଫଳରେ ରାଜସ୍ୱ ଅଧିକାରୀମାନେ କାର୍ଯ୍ୟାଳୟରେ ବସି ଠିକ୍ ଭାବରେ କାମ କରିପାରୁ ନାହାନ୍ତି। କାର୍ଯ୍ୟାଳୟ ଭିତରେ ବର୍ଷା ପାଣି ଝରି ପଡୁଥିବାରୁ କାର୍ଯ୍ୟାଳୟର ଅତି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହିତ ନକ୍ସା ଗୁଡିକ ବର୍ଷା ପାଣିରେ ଭିଜି ଯାଉଛି। ତା’ ସହିତ କାର୍ଯ୍ୟାଳୟର ଭିତର ପଟ ଛାତରୁ ପଲସ୍ତରା ଖସୁଥିବାରୁ କାର୍ଯ୍ୟାଳୟରେ ବସି କାର୍ଯ୍ୟକରିବାରୁ ଅଧିକାରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ରାଜସ୍ୱ କାର୍ଯ୍ୟାଳୟ ସମ୍ମୁଖରେ ପୃର୍ତ୍ତି ବିଭାଗ ଏବଂ ଟିକେ ଆଗକୁ ବ୍ଲକ କାର୍ଯ୍ୟାଳୟ ରହିଛି। ଦୁଇ କାର୍ଯ୍ୟାଳୟର ଅଧିକାରୀମାନେ ଶୋଚନୀୟ ଅବସ୍ଥାରେ ରହିଥିବା ରାଜସ୍ୱ କାର୍ଯ୍ୟାଳୟକୁ ଦେଖୁଥିଲେ ମଧ୍ୟ ଏହି ଶୋଚନୀୟ ରାଜସ୍ୱ କାର୍ଯ୍ୟାଳୟକୁ ମରାମତି କରିବା ଦିଗରେ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି। ଏହି ବିପଦସଙ୍କୁଳ ଅବସ୍ଥାରେ ରହିଥିବା ରାଜସ୍ୱ କାର୍ଯ୍ୟାଳୟଟିକୁ ମରାମତି କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜନ ସାଧାରଣରେ ମତ ପ୍ରକାଶ ପାଉଛି।



