www.samajalive.in
Saturday, December 6, 2025
26.1 C
Bhubaneswar

୭୫%କୁ ଦେଢ଼ବର୍ଷ କଣ୍ଟ !

ବିଳମ୍ବ ପଛରେ ପରାମର୍ଶ ସଂସ୍ଥା-ଅଧିକାରୀଙ୍କ ମଧୁଚନ୍ଦ୍ରିକା

କଟକ : କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ଜାଇକା ପକ୍ଷରୁ ଚାଲିଥିବା ଡ୍ରେନେଜ ଓ ସ୍ୱେରେଜ କାର୍ଯ୍ୟ ୨୦୧୯ ସୁଦ୍ଧା ଶେଷ ହେବ ବୋଲି ଗତକାଲି ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢୀ ପ୍ରକାଶ କରିଛନ୍ତି। ତେବେ କଟକରେ ଯେଉଁଭଳି ଢଙ୍ଗରେ କାର୍ଯ୍ୟ ଚାଲିଛି ୨୦୧୯ ସୁଦ୍ଧା ଡ୍ରେନେଜ ଓ ସ୍ୱେରେଜ କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୧୩କିଲୋମିଟର ମୁଖ୍ୟ ଡ୍ରେନ ନିର୍ମାଣରୁ ୨୦୧୪ରୁ ଆଜି ପର୍ଯ୍ୟନ୍ତ ମାତ୍ର ୪କିଲୋମିଟର ନିର୍ମାଣ ହୋଇନାହିଁ।
କେବଳ ଡ୍ରେନ ନୁହେଁ; ଡ୍ରେନ ଉପରେ ହେବାକୁ ଥିବା ଛାତ ରାସ୍ତା ନିର୍ମାଣ ଅବସ୍ଥା ମଧ୍ୟ ସମାନ। ୪ବର୍ଷରେ ଡ୍ରେନ ଓ ରାସ୍ତା ନିର୍ମାଣ ୨୫ପ୍ରତିଶତ ଶେଷ ହୋଇନାହିଁ। ଦେଢବର୍ଷରେ ଅବଶିଷ୍ଟ ୭୫ପ୍ରତିଶତ ନିର୍ମାଣ କିପରି ଶେଷହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ମାଣରେ ମନ୍ଥରତା ପାଇଁ ଠିକା କମ୍ପାନୀ ଯେତିକି ଦାୟୀ ନୁହେଁ, ତା’ଠାରୁ ଅଧିକ ଦାୟୀ ହେଉଛନ୍ତି ବୈଷୟିକ ପରାମର୍ଶକାରୀ ସଂସ୍ଥା ଓ ସରକାରୀ ଅଧିକାରୀ। ପରାମର୍ଶକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ ସାଙ୍ଗକୁ ଅଧିକାରୀଙ୍କ ଅସହଯୋଗ ମନୋଭାବ ଯୋଗୁଁ କଟକରେ ଡ୍ରେନେଜ ନିର୍ମାଣ ଆଗେଇ ପାରୁନଥିବା ଜଣାପଡିଛି। ଯଦି ଏହିଭଳି ଢଙ୍ଗରେ ନିର୍ମାଣ କାର୍ଯ୍ୟ ଚାଲେ ତେବେ ୨୦୨୨ସୁଦ୍ଧା ଡ୍ରେନେଜ ନିର୍ମାଣ ଶେଷ ହେବ ନାହିଁ ବୋଲି ବହୁ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।
କଟକର ବିପର୍ଯ୍ୟସ୍ତ ସ୍ୱେରେଜ ଓ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜାଇକା (ଜାପାନ ଇଣ୍ଟରନେସନାଲ କୋ-ଅପରେସନ ଏଜେନ୍ସି) ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଅବଧି ଶେଷ ହେବାର ଏକବର୍ଷ ଗଡି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ୱେରେଜ ନିର୍ମାଣ ୭୦ପ୍ରତିଶତ ହୋଇଥିବାବେଳେ ଡ୍ରେନେଜ ନିର୍ମାଣ ମାତ୍ର ୨୫ପ୍ରତିଶତ ଶେଷ ହୋଇଛି। କାର୍ଯ୍ୟ ତଦାରଖ ଓ ଠିକାଦାରଙ୍କୁ ପରାମର୍ଶ ଦେବା ପାଇଁ ଜାଇକା ପକ୍ଷରୁ
ଆମେରିକା, ଜାପାନ ଓ ଫ୍ରାନସର ୩ଟି ସଂସ୍ଥା ଦ୍ୱାରା ସ୍ଥାପିତ ଟେକ କନସୋରଟିୟମକୁ ବୈଷୟିକ ପରାମର୍ଶ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥା କେବଳ ପରାମର୍ଶ ବାବଦରେ ସରକାରଙ୍କଠାରୁ ୪ବର୍ଷରେ ୧୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ନେଇସାରିଲାଣି। କାର୍ଯ୍ୟର ଅବଧି ବଢି ଚାଲିଥିବାବେଳେ ସଂସ୍ଥାର କାର୍ଯ୍ୟକାଳ ମଧ୍ୟ ସେହି ଅନୁଯାୟୀ ବଢୁଛି। ଏଥିପାଇଁ ବର୍ଷକୁ ସମ୍ପୃକ୍ତ ସଂସ୍ଥା ସରକାରଙ୍କଠାରୁ ବାର୍ଷିକ ୩୫କୋଟିରୁ ଊର୍ଦ୍ଧ୍ବ ଟଙ୍କା ନେଉଛି। କାର୍ଯ୍ୟ ତଦାରଖ ଓ ସୁପରିଚାଳନା ପାଇଁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ପିଏମ୍‌ସି( ପ୍ରୋଜେକ୍ଟ ମନିଟରିଂ ସେଲ ଗଠନ କରାଯାଇଛି। ବୈଷୟିକ ଅଭିଜ୍ଞତା ନଥିବା ଜଣେ ଅନଭିଜ୍ଞ ବ୍ୟକ୍ତିଙ୍କୁ ଆବାସିକ ପ୍ରୋଜେକ୍ଟ ମ୍ୟାନେଜରଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଉଠୁଛି। ସମ୍ପୃକ୍ତ ବ୍ୟକ୍ତି ନିଜ ପତ୍ନୀଙ୍କ ନାମରେ ଏକ ଫାର୍ମ ଖୋଲି ଠିକା ସଂସ୍ଥାକୁ ଶ୍ରମିକ ଯୋଗାଇ ଚାଲିଛନ୍ତି। ଏହି ଅଧିକାରୀଙ୍କ ପରାମର୍ଶରେ ହିଁ ଡ୍ରେନେଜ ଓ ସ୍ୱେରେଜ ନିର୍ମାଣ ଚାଲିଛି। କେବଳ ନାଁକୁ ମାତ୍ର ସରକାର ବିଭିନ୍ନ ପଦରେ କେତେକ ଅଧିକାରୀଙ୍କୁ ଅବସ୍ଥାପିତ କରିଛନ୍ତି। ଏହିସବୁ ଅଧିକାରୀ ସ୍ୱେରେଜ ଓ ଡ୍ରେନେଜ ନିର୍ମାଣ କାର୍ଯ୍ୟ ତଦାରଖ କରିବା ବଦଳରେ ଠିକାଦାରଙ୍କ ଅର୍ଥରେ ଅୟସ କରିଚାଲିଛନ୍ତି। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏହି ତଥାକଥିତ ପ୍ରୋଜେକ୍ଟ ମ୍ୟାନେଜର। ପରାମର୍ଶକାରୀ କମ୍ପାନୀ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ସଲାସୁତୁରା ଯୋଗୁଁ ଜାଇକା ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବିତ ହୋଇଚାଲିଛି। ଏ ପର୍ଯ୍ୟନ୍ତ ୨୦ଜଣରୁ ଊର୍ଦ୍ଧ୍ବ ଅଧିକାରୀ ଠିକାଦାରଙ୍କ ଅର୍ଥରେ ବିଦେଶ ଗସ୍ତ କରିସାରିଥିବା ସୂଚନା ମିଳିଛି। ପରୋକ୍ଷରେ ଏହି ଅଧିକାରୀମାନେ ଜାଇକା କାର୍ଯ୍ୟକୁ ବିଳମ୍ବିତ କରିବାରେ ମୁଖ୍ୟଭୂମିକା ଗ୍ରହଣ କରୁଛନ୍ତି। କାର୍ଯ୍ୟ ଅବଧି ବଢିବା ସହିତ ଏହି ଅଧିକାରୀଙ୍କ କାର୍ଯ୍ୟକାଳ ବି ବଢିଚାଲିଛି। ମୁଖ୍ୟଡ୍ରେନ ନିର୍ମାଣ ସକାଶେ ପ୍ରଶାସନ ସମସ୍ତ ପ୍ରକାର ସହାୟତା ନିର୍ମାଣକାରୀ ସଂସ୍ଥାକୁ ଯୋଗାଇଦେବ।
ଡ୍ରେନ ପାର୍ଶ୍ବ ଜବରଦଖଲ ଉଚ୍ଛେଦ ସମେତ ବିଦ୍ୟୁତଖୁଣ୍ଟ ଉଠାଇବା, ପାଣିପାଇପ ହଟାଇବା କାର୍ଯ୍ୟ ପ୍ରଶାସନ କରିବ। ଠିକା ନେଇଥିବା କମ୍ପାନୀକୁ ପ୍ରଶାସନ ଅସହଯୋଗ କରୁଛି। ‘ସମାଜ’ କାର୍ଯ୍ୟାଳୟଠାରୁ ସମ୍ରାଟ ସିନେମା ହଲ ପର୍ଯ୍ୟନ୍ତ ମୁଖ୍ୟଡ୍ରେନ ଓ ଛାତ ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି। ଯେଉଁଭଳି ଢଙ୍ଗରେ ଏହା ଚାଲିଛି ତାହା ୨୦୨୨ସୁଦ୍ଧା ଶେଷ ହେବା ନେଇ ଆଶଙ୍କା ରହିଛି ବୋଲି ବହୁ ବିଶେଷଜ୍ଞ ମତ ଦେଇଛନ୍ତି। ୧୩କିଲୋମିଟରର ଏହି ମୁଖ୍ୟ ଡ୍ରେନରୁ ବର୍ତ୍ତମାନ ମାତ୍ର ୩.୬କିଲୋମିଟର ନିର୍ମାଣ ହୋଇଥିବା ଜଣାପଡିଛି। କେତେକ ସ୍ଥାନରେ ଠିକା ସଂସ୍ଥା ପକ୍ଷରୁ ଡ୍ରେନ ନିର୍ମାଣ ପାଇଁ ଆନୁଷଙ୍ଗିକ କାର୍ଯ୍ୟ କରାଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟ, ପାଣି ପାଇପ ଓ ଜବରଦଖଲ ଉଚ୍ଛେଦ କରାଯାଉ ନ ଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। କେଶରପୁର, ପ୍ରଫେସରପଡା, ସାଆନ୍ତସାହି, ରାଜତରଙ୍ଗିଣୀ ସିନେମା ହଲ ନିକଟରେ ଥିବା ମୁଖ୍ୟ ଡ୍ରେନ ଓ ଛାତ କାର୍ଯ୍ୟ ଅଧାପନ୍ତରିଆ ହୋଇଛି। ସରକାର ଜାଇକା କାର୍ଯ୍ୟର ସଠିକ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories