କଟକ ବଡ଼ ଡାକ୍ତରଖାନା
କଟକ: କଟକ ବଡ଼ ଡାକ୍ତରଖାନାରେ ବୃକ୍କ, ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହ ହେଉଛି। ଲିଭର(ଯକୃତ) ପ୍ରତିରୋପଣ ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଲିଭର ପ୍ରତିରୋପଣ ଦିଗରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଉଥିବାବେଳେ ଭିତ୍ତିଭୂମି ଥାଇ ମଧ୍ୟ ହୃତପିଣ୍ଡ ପ୍ରତିରୋପଣ ହୋଇପାରୁନି। କଟକ ବଡ଼ ଡାକ୍ତରଖାନାରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ପଞ୍ଜୀକରଣ(ରେଜିଷ୍ଟ୍ରେସନ) ସହିତ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ରହିଛି। ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ କୌଣସି ତତ୍ପରତା ପ୍ରକାଶ କରୁନାହିଁ। ବିଭାଗର ଆନ୍ତରିକତା ଅଭାବ ଯୋଗୁଁ କଟକ ବଡ଼ ଡାକ୍ତରଖାନାରେ ହୃତପିଣ୍ଡ ପ୍ରତିରୋପଣ ସମ୍ଭବ ହୋଇପାରୁନାହିଁ। ମିଳିଥିବା ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ବ୍ୟାପିବା ପରେ ରାଜ୍ୟ ସରକାର କଟକ ବଡ଼ ଡାକ୍ତରଖାନା ହୃଦବକ୍ଷ ଶଲ୍ୟ ବିଭାଗକୁ ୯ଟି ଏକମୋ ମେସିନ ଯୋଗାଇ ଦେଇଥିଲେ।
ସଚେତନତା ଅଭାବରୁ ଏହି ମୂଲ୍ୟବାନ ମେସିନଗୁଡିକ ଏକପ୍ରକାର ଅଚଳ ହୋଇପଡ଼ିଛି। ହୃତପିଣ୍ଡ ପ୍ରତିରୋପଣ କ୍ଷେତ୍ରରେ ଏକମୋ ମେସିନର ଯଥେଷ୍ଟ ଆବଶ୍ୟକତା ରହିଛି।
ମେଡିକାଲରେ ବୃକ୍କ, ଅସ୍ଥିମଜ୍ଜା ପ୍ରତିରୋପଣ ହେବା ପରେ ଯକୃତ ପ୍ରତିରୋପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ବିଶେଷଜ୍ଞ ଡାକ୍ତରଙ୍କ ସମେତ ପାରାମେଡିକାଲ କର୍ମଚାରୀ, ସେବିକା ଓ ଆଇସିୟୁ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିମଧ୍ୟରେ ତାଲିମ ନେଇଥିବା ଅନେକ କର୍ମଚାରୀ ଓ ବିଶେଷଜ୍ଞ ଡାକ୍ତରଙ୍କୁ ଏସସିବିରୁ ଅନ୍ୟତ୍ର ବଦଳି କରିଦିଆଯାଇଥିବାରୁ ଯକୃତ ପ୍ରତିରୋପଣ ପ୍ରକ୍ରିୟା ବିଳମ୍ବ ହୋଇଚାଲିଛି। ଯକୃତ ପ୍ରତିରୋପଣଠାରୁ ଅପେକ୍ଷାକୃତ ସହଜ ଏବଂ ସୁବିଧାରେ ହୃତପିଣ୍ଡ ପ୍ରତିରୋପଣ ହୋଇପାରୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଏସସିବିରେ ହୃତପିଣ୍ଡ ପ୍ରତିରୋପଣ ଦିଗରେ କୌଣସି ଆନ୍ତରିକତା ପ୍ରକାଶ କରୁନାହିଁ। ହୃଦବକ୍ଷ ଶଲ୍ୟ ବିଭାଗରେ ପ୍ରତିରୋପଣ ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି। ବିଶେଷଜ୍ଞ ଡାକ୍ତର, ସେବିକା ଓ ପାରାମେଡିକାଲ କର୍ମଚାରୀ ରହିଥିବା ଜଣାପଡ଼ିଛି। ଏହାସତ୍ତ୍ବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୃତପିଣ୍ଡ ପ୍ରତିରୋପଣ ଆରମ୍ଭ ଦିଗରେ ତତ୍ପରତା ନ ଦେଖାଇ ବ୍ୟୟବହୁଳ ଯକୃତ ପ୍ରତିରୋପଣ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ହୃଦବକ୍ଷଶଲ୍ୟ ବିଭାଗରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ରେଜିଷ୍ଟ୍ରେସନ(ପଞ୍ଜୀକରଣ) ଶେଷ ହୋଇଛି। ବିଶେଷଜ୍ଞ ଡାକ୍ତର, ସେବିକା ଓ କର୍ମଚାରୀଙ୍କୁ ତାଲିମ ଦେବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି। ଏହାସତ୍ତ୍ବେ ସରକାର ଏ ଦିଗରେ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି। କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଉନଥିବାରୁ ବିଭାଗରେ ହୃତପିଣ୍ଡ ପ୍ରତିରୋପଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁନଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଜଣେ ମସ୍ତିଷ୍କ ମୃତ ବ୍ୟକ୍ତିଙ୍କର ୭ଟି ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ହୋଇପାରିବ। ୪ଘଣ୍ଟା ମଧ୍ୟରେ ଜଣେ ମସ୍ତିଷ୍କ ମୃତ ବ୍ୟକ୍ତିଙ୍କ ହୃତପିଣ୍ଡ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇପାରିବ। ଏଥିପାଇଁ ଏସସିବିରେ ୬ଜଣିଆ ବ୍ରେନ ଷ୍ଟେନ ଡେଥ କମିଟି ଗଠନ କରାଯାଇଛି। ଏହି କମିଟିରେ ସ୍ନାୟୁଶଲ୍ୟ, ସ୍ନାୟୁରୋଗ ବିଶେଷଜ୍ଞ ସଦସ୍ୟ ରହିଛନ୍ତି। ରାଜ୍ୟରେ ସୋଟୋ(ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ) ମଧ୍ୟ ଗଠନ କରାଯାଇଛି। କୌଣସି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ମସ୍ତିଷ୍କ ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ସଂକ୍ରାନ୍ତରେ ସୋଟୋ ପ୍ରମୁଖ ଭୂମିକା ଲିଭାଇଥାଏ।



