www.samajalive.in
Thursday, December 11, 2025
23.1 C
Bhubaneswar

ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ କମାଇବା ଉପରେ ଗୁରୁତ୍ୱ

ଆଇପିଏଲ୍‍ର ୧୩ଶ ସଂସ୍କରଣ ଆୟୋଜନ ପାଇଁ ବିସିସିଆଇ ସଜବାଜ ହେଉଛି। ଏଥର ଆଇପିଏଲ୍‍ ଆୟୋଜନ କରିବା ବିସିସିଆଇ ପାଇଁ ଏକ ସ୍ୱତନ୍ତ୍ର ଆହ୍ୱାନ ସୃଷ୍ଟି କରିଛି। ପ୍ରଥମତଃ ବିଦେଶରେ ୫୩ ଦିନ ଧରି ଆଇପିଏଲ୍‍ର ୬୦ଟି ମ୍ୟାଚ୍‍ ଖେଳାଯିବ। ପୁଣି ୨୦୦ରୁ ଅଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କ ସହ ଅନ୍ୟ ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷଙ୍କୁ ମିଶାଇ ୧ ହଜାରରୁ ଅଧିକ ଲୋକ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ ଯିବେ।

ଦ୍ୱିତୀୟ ଆହ୍ୱାନ ହେଉଛି ସାରାବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା। ଏହିସବୁକୁ ଦେଖି ରବିବାର ହେବାକୁ ଥିବା ଆଇପିଏଲ୍‍ ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନ୍‍ସିଲ) ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଏଥିରେ ଆଇପିଏଲ୍‍ ଆୟୋଜନ ପାଇଁ ସମସ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପୁଣି କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍‍ ଆୟୋଜନ ପାଇଁ ଆଦର୍ଶ କାର୍ଯ୍ୟ ପ୍ରଣାଳୀ (ଏସ୍‍ଓପି) ପ୍ରସ୍ତୁତ କରାଯିବ।

- Advertisement -

ରବିବାରର ଆଇପିଏଲ୍‍ ଗଭର୍ଣ୍ଣିଂ କାଉନ୍‍ସିଲ ବୈଠକରେ ଯେଉଁ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ; ତାହା ହେଉଛି ପ୍ରତି ଦଳର ଖେଳାଳି ସଂଖ୍ୟା। ସାଧାରଣତଃ ଏକ ଆଇପିଏଲ୍‍ ଦଳରେ ୨୫ରୁ ୨୮ ଖେଳାଳି ଏବଂ ୧୦ରୁ ୧୫ ଜଣ ସପୋର୍ଟ ଷ୍ଟାଫ୍‍ ରହିଥାଆନ୍ତି। ଏମାନଙ୍କ ସହ ଫ୍ରାଞ୍ଚାଇଜ ପରିଚାଳନା ପାଇଁ କିଛି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ରହିଥାଆନ୍ତି। ଆଇପିଏଲ୍‍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଥିବାବେଳେ ପ୍ରତି ଫ୍ରାଞ୍ଚାଇଜ ୧ ମାସ ଆଗରୁ ସେମାନଙ୍କ ଦଳବଳ ନେଇ ୟୁଏଇରେ ପହଞ୍ଚିବେ। ସେମାନେ ପ୍ରଥମେ ନିଜ ଖେଳାଳି, ସପୋର୍ଟ ଷ୍ଟାଫ୍‍ ଓ ମାଲିକ ଗୋଷ୍ଠୀଙ୍କୁ ନେଇ ଏକ ଜୈବ ନିରାପତ୍ତା ପରିଧି ତିଆରି କରିବେ। ଏଥି ପରିଧି ମଧ୍ୟରେ ଥିବା ବ୍ୟକ୍ତିଙ୍କୁ ଛାଡ଼ି ସେମାନେ କାହା ସହ ମିଶିପାରିବେ ନାହିଁ ବୋଲି ବିସିସିଆଇ ରୋକଠୋକ ଜଣାଇ ଦେଇଛି।

ପୂର୍ବରୁ ୨ ଥର ଆଇପିଏଲ୍‍ ବିଦେଶରେ ଖେଳାଯାଇଛି। ଦକ୍ଷିଣ ଆଫ୍ରିକା ଓ ୟୁଏଇରେ ଖେଳାଯାଇଥିବା ଏହି ୨ଟି ଆଇପିଏଲ୍‍ ପାଇଁ ପ୍ରତି ଫ୍ରାଞ୍ଚାଇଜ ନିଜ ଦଳରେ ଅଳ୍ପ ସଂଖ୍ୟକ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ ରଖିଥିଲେ। ଭାରତରେ ଆଇପିଏଲ୍‍ ଖେଳାଗଲେ ମଧ୍ୟ ଏହା ଦେଖା ଯାଇଥାଏ ଯେ ଯେଉଁ ଖେଳାଳି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାର କୌଣସି ସମ୍ଭାବନା ନାହିଁ; ସେମାନଙ୍କୁ ସିଜିନ୍‍ ଅଧାରୁ ଫ୍ରାଞ୍ଚାଇଜମାନେ ଘରକୁ ପଠାଇ ଦେଇଥାଆନ୍ତି। ଏଥର ୟୁଏଇରେ ଆଇପିଏଲ୍‍ ଖେଳାଯିବାର ଅଛି ଏବଂ କରୋନା ସଂକ୍ରମଣର ଆଶଙ୍କା ମଧ୍ୟ ଅଛି। ଏହାକୁ ଦୃଷ୍ଟିରେ ରଖି ପ୍ରତି ଫ୍ରାଞ୍ଚାଇଜଙ୍କୁ ଖେଳାଳିଙ୍କ ସଂଖ୍ୟା ୨୦ ମଧ୍ୟରେ ରଖିବା ପାଇଁ ବିସିସିଆଇ ପରାମର୍ଶ ଦେଇଛି। ଏହାର କାରଣ ହେଲା ଡ୍ରେସିଂରୁମ୍‍ରେ ଯେତେ ସମ୍ଭବ କମ୍‍ ଲୋକଙ୍କୁ ରଖିବା। ବିସିସିଆଇ ଏହା କହିଥିଲେ ଯେ କିଛି ଫ୍ରାଞ୍ଚାଇଜ ଖେଳାଳି କମାଇବା ସପକ୍ଷରେ ନାହାନ୍ତି। ଏହା ପରିବର୍ତ୍ତେ ସେମାନେ ସପୋର୍ଟ ଷ୍ଟାଫ୍‍ କମାଇବା ପାଇଁ ରାଜିଥିବା କୁହାଯାଉଛି।

ପୁଣି ଆଇପିଏଲ୍‍ ପୂର୍ବରୁ ପ୍ରତି ଫ୍ରାଞ୍ଚାଇଜ ୨ରୁ ୩ ସପ୍ତାହ ୟୁଏଇରେ ଅଭ୍ୟାସ କରିବେ। ଅଭ୍ୟାସ ବେଳେ ନେଟ୍‍ ବୋଲର ନିହାତି ଆବଶ୍ୟକ। କାରଣ ଦଳର ବୋଲରମାନେ ଦୀର୍ଘ ସମୟ ବୋଲିଂ କରିପାରିବେ ନାହିଁ। ପ୍ରତି ଫ୍ରାଞ୍ଚାଇଜ ୟୁଏଇରେ ପ୍ରାୟ ଅଢ଼େଇମାସ ରହିବେ। ତେଣୁ ନେଟ୍‍ ବୋଲର ସେମାନେ ଆବଶ୍ୟକ କରିବେ। କରୋନା ସଂକ୍ରମଣ ଯୋଗୁଁ ସ୍ଥାନୀୟ ବୋଲରଙ୍କୁ ବୋଲିଂ କରିବାକୁ ଡାକିବା ସପକ୍ଷରେ ବିସିସିଆଇ ନାହିଁ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories