ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ସୋମବାର ୧୫୦ ବର୍ଷ ପାଳନ କରୁଥିବାରୁ ଏହା ଦେଶ ପାଇଁ ଗର୍ବ ଏବଂ ଐତିହାସିକ ଦିନ। ଅନେକ ବାଧା ବିଘ୍ନ, ଘାତ ପ୍ରତିଘାତ ପର୍ଯ୍ୟାୟ ଅତିକ୍ରମ କରିଛି ଭାରତୀୟ ପାଣିପାଗ। ୧୮୭୫ ମସିହା ଜାନୁଆରୀ ୧୫ତାରିଖରେ ପ୍ରତିଷ୍ଠା ହୋଇଥିବା ଏହି ବିଭାଗ ଭାରତ ବର୍ଷକୁ ପାଣିପାଗ ସମ୍ପର୍କରେ ସଠିକ୍ ସୂଚନା ଦେବା ଓ ବନ୍ୟା, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ଲୋକଙ୍କୁ ସତର୍କ କରିଥାଏ। କେବେ ବର୍ଷା ହେବ, କେବେ ଲଘୁଚାପ, କେବେ ବାତ୍ୟା ଏବଂ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ। ଏସବୁର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିଥାଏ ପାଣିପାଗ ବିଭାଗ। ଆଉ ବିଭାଗର ସଠିକ୍ ଆକଳନ ଯୋଗୁ ଅନେକ ଧନ ଜୀବନ ରକ୍ଷା ହୋଇପାରିଛି।
ଏହି ୧୫୦ ବର୍ଷ ମଧ୍ୟରେ ଅନେକ ସମୟରେ ପାଣିପାଗର ପ୍ରାକ୍ ସୂଚନା ଦେଇଛି ଆଇଏମଡି। ଓଡ଼ିଶାରେ ଫନି, ହୁଡହୁଡ, ଫାଇଲିନ୍, ଅମ୍ଫାନ ଭଳି ବାତ୍ୟାର ସମ୍ମୁଖୀନ ହୋଇଥିଲେ ଲୋକେ। ଏହି ସମୟରେ ସତର୍କ ସୂଚନା ଦେଇଥିଲା ଭାରତୀୟ ପାଣିପାଗ ବିଭାଗ। ଏବେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଅଛନ୍ତି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ଯିଏକି ଜଣେ ଓଡ଼ିଆ।



