ନୂଆଦିଲ୍ଲୀ: ପିଓକେରେ ଭାରତ ବିମାନ ଆକ୍ରମଣ କରିବାର ଦିନକ ପରେ ଭାରତୀୟ ସେନା ଶିବିର ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା। ଏହାପରେ ଭାରତୀୟ ବାୟୁସେନା ଉକ୍ତ ଏଫ-୧୬ ଲଢୁଆ ଯୁଦ୍ଧ ବିମାନକୁ ଖସାଇଦେଇଥିଲା। ଆମେରିକାଠାରୁ ପାକିସ୍ତାନ ଏହି ଏଫ-୧୬ ବିମାନ କିଣିବା ବେଳେ ଏକ ଚୁକ୍ତି ହୋଇଥିଲା ଯେ, ଏହାକୁ କୌଣସି ରାଷ୍ଟ୍ର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନରେ ବ୍ୟବହାର କରାଯାଇପାରିବ ନାହିଁ। କିନ୍ତୁ ପାକିସ୍ତାନ ଏହି ଚୁକ୍ତିକୁ ଉଲ୍ଲଂଘନ କରିଥିବା ଭାରତ ଅଭିଯୋଗ କରିବା ପରେ ଆମେରିକା ଏହାର ତଦନ୍ତ ଆରମ୍ଭ କରିଛି। ଫଳରେ ପାକିସ୍ତାନ ଏବେ ଏହାକୁ ଲଚାଇବାକୁ ପ୍ରୟାସ କରିବା ସହ ସେ ଭାରତ ବିରୋଧରେ କରିଥିବା ବିମାନ ଆକ୍ରମଣରେ ଏଫ-୧୬ ବ୍ୟବହାର କରିନାହିଁ ବୋଲି ଦାବି କରିଛି।
ଇତିମଧ୍ୟରେ ଭାରତ ପକ୍ଷରୁ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି। ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନରୁ ମିଜାଇଲ ଆକ୍ରମଣ କରିଥିବା ନେଇ ଭାରତ ବଳିଷ୍ଠ ପ୍ରମାଣ ହାତେଇଛି। ଏହାକୁ ସେ ଆମେରିକାକୁ ହସ୍ତାନ୍ତର କରିଛି। ଭାରତୀୟ ବାୟୁସେନାର ଭାଇସ ମାର୍ଶଲ ଆର.ଜି.କେ କାପୁର କହିଛନ୍ତି, ପାକିସ୍ତାନ ଭାରତର ରଜୌରି ସେକ୍ଟରରେ ମିଜାଇଲ ଆକ୍ରମଣ କରିଛି। ମିଜାଇଲର ଭଗ୍ନାବଶେଷ ଠାବ ହୋଇଛି, ଯାହାର ନାଁ ହେଉଛି ‘ଆମରାମ’। ଏହି ମିଜାଇଲ କେବଳ ଏଫ୍-୧୬ ଯୁଦ୍ଧ ବିମାନ ଦ୍ବାରା ଆକ୍ରମଣ କରାଯାଇପାରିବ।
ଏହି ମିଜାଇଲର ଏକ ବିଶେଷତ୍ଵ ହେଉଛି ରାତି ହେଉ କି ଦିନ, ସମସ୍ତ ପ୍ରକାର ପାଣିପାଗରେ ଏହାକୁ ପ୍ରତିପକ୍ଷ ବିମାନ ଉପରେ ଆକ୍ରମଣ କରାଯାଇପାରିବ।



