www.samajalive.in
Monday, December 8, 2025
14.1 C
Bhubaneswar

ଆରୋଗ୍ୟ ସଂଖ୍ୟା ୧ କୋଟି ଟପିଲା : ଆରୋଗ୍ୟ ହାର ୯୬.୩୬ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ ୧ କୋଟିରୁ ଊର୍ଦ୍ଧ୍ବ ଲୋକ କୋଭିଡ୍‍ରୁ ଆରୋଗ୍ୟ ଲାଭ କରିବା ସହ ଭାରତ କୋଭିଡ୍‍ ମୁକାବିଲାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‍ସ୍ତମ୍ଭ ଅତିକ୍ରମ କରିଛି। ବର୍ତ୍ତମାନ ସୁଦ୍ଧା କୋଭିଡ୍‍ରୁ ଆରୋଗ୍ୟ ହୋଇଥିବା ଲୋକମାନଙ୍କ ସଂଖ୍ୟା ଗୁରୁବାର ୧ କୋଟି ୧୬ ହଜାରକୁ ଅତିକ୍ରମ କରିଯାଇଛି।
ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟ ୨୫ ହଜାରରୁ ନିମ୍ନରେ ରହିଛି। ମାତ୍ର ୨୦ ହଜାର ୩୪୬ ଜଣ ଲୋକ ଗତ ୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଥିବାବର ରିପୋର୍ଟ ମିଳିଛି। ଦେଶରେ ଆରୋଗ୍ୟ ହୋଇଥିବା ଲୋକ ଓ ଚିକିତ୍ସିତ ହେଉଥିବା ଲୋକମାନଙ୍କ ମଧ୍ୟରେ ତାରତମ୍ୟ ଆହୁରି ବୃଦ୍ଧି ପାଇ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟାର ୪୪ ଗୁଣ ଅଧିକ ରହିଛି। ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୨୮ ହଜାର ରହିଛି, ଯାହା ମୋଟ୍‍ ସଂକ୍ରମଣର  ୨.୧୯%। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ  ନିଜ ନିଜ ଘରେ ଆସୋଲେସନରେ ଅଛନ୍ତି। ସେହି ଲୋକମାନଙ୍କ ମଧ୍ୟରେ କରୋନା ଲକ୍ଷଣ ସ୍ୱଳ୍ପରୁ ମଧ୍ୟମ ଥିବାର ରିପୋର୍ଟ ମିଳିଛି। ଜାତୀୟ କୋଭିଡ୍‍ ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିବା ସହ ଏହା ବର୍ତ୍ତମାନ ୯୬.୩୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୫୮୭ରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ସ୍ୱାସ୍ଥ୍ୟ ମୌଳିକଢାଞ୍ଚାର ବିକାଶ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର, ଚିକିତ୍ସା ସହାୟକ କର୍ମୀ ଏବଂ କୋଭିଡ୍‍ ସ୍ୱେଚ୍ଛାସେବୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ଦେଶରେ ମୋଟ୍‍ ଆରୋଗ୍ୟ ହାର କ୍ରମାନ୍ୱୟରେ ବୃଦ୍ଧି ପାଇଚାଲିଛି।  ଏହାଯୋଗୁଁ ମୃତ୍ୟୁହାର ହ୍ରାସ ପାଇ ୧.୪୫ ଭାଗ ମଧ୍ୟରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ସେହିପରି ଗତ ୨୪ ଘଣ୍ଟା ଭିତରେ ୯ ଲକ୍ଷ ୩୭ ହଜାର କୋଭିଡ୍‍ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ମୋଟ୍‍ ୧୭ କୋଟି ୮୪ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଅଧିକ ନମୁନା ପରୀକ୍ଷା ପାଇଁ ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍‍ଆର୍‍ ଦେଶରେ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି। ଭାରତରେ ଦୈନିକ ୧୫ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯିବାର କ୍ଷମତା ହାସଲ କରାଯାଇଛି। ମନ୍ତ୍ରଣାଳୟ କହିଛି, ଅଧିକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତ ବ୍ୟକ୍ତିମାନଙ୍କର ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କୁ ପୃଥକ୍‍ କରି ରଖାଯାଉଛି ଓ ଶୀଘ୍ର ଚିକିତ୍ସା ମଧ୍ୟ କରାଯାଉଛି। ଏହାଯୋଗୁଁ ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବା ସହ ଏହା ୨.୩୦ % ରହିଛି। ଦେଶରେ ମୋଟ୍‍ ୨ ହଜାର ୩୦୫ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୨୦୨ଟି ସରକାରୀ ପରୀକ୍ଷାଗାର ଓ ୧ ହଜାର ୧୦୩ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories