ଦେଶ/ବିଦେଶ ଖବର
ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି କାରାଗାରଗୁଡିକରେ ଭିଡ କମାଇବାକୁ ଶନିବାର ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମାନ୍ୟବର ସର୍ବୋଚ୍ଚ ଅଦାଲତ ରାୟଦେଇ କହିଛନ୍ତି ଯେ ଜଣେ ଯଦି ଅତିକମରେ ସାତବର୍ଷରୁ କମ୍ ଜେଲ ଦଣ୍ଡରେ ଦଣ୍ଡିତ ହୋଇନାହାନ୍ତି ତେବେ ଆବଶ୍ୟକ ନଥିଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଉଚିତ। ଏଥିସହିତ କାରଗାର ଅନ୍ତେବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇଦେବାକୁ ସର୍ବୋଚ୍ଚ ଅଦାଲତ କାରଗାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେର୍ଶ ଦେଇଛନ୍ତି।
ଆଲ୍ଲାହାବାଦ: ହାଇଦରାବାଦ ପରେ ଉତ୍ତର ପ୍ରଦେଶର ଇଟାୱା ସଫାରି ପାର୍କରେ ଦୁଇ ସିଂହୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା କରାଯିବା ପରେ ସିଂହୀ ଦୁଇଟି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସମ୍ଭବତଃ ସେମାନଙ୍କର ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କଠାରୁ ସେମାନେ ସଂକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି।
ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହେଲା ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ବାରା ପ୍ରସ୍ତୁତ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି)। ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କଲା ଡିସିଜିଆଇ। ଏହି ଔଷଧ ବ୍ୟବହାର ଦ୍ବାରା ରୋଗୀଙ୍କୁ କମ୍ ଅମ୍ଳଜାନ ଦରକାର ପଡ଼ିବ।
ଇସଲାମାବାଦ: ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ଭାରତର ଆଭ୍ୟନ୍ତରୀୟ ବ୍ୟାପାର ବୋଲି କହିଛନ୍ତି ପାକିସ୍ତାନୀ ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେଶୀ। ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲ ସମା ଟିଭିକୁ ଦେଇଥିବା ସାକ୍ଷାତକାରରେ କୁରେଶୀ ସାର୍ବଜନିକ ଭାବେ ଏହା ସ୍ବୀକାର କରିଛନ୍ତି।
ଗୁଆହାଟି: ଆସାମ ବିଧାନିସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ କିଏ ସେଠାରେ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଅଙ୍କକଷା ଚାଲିଛି। ସେଥିପାଇଁ ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମା ଦୁଇ ଦାବିଦାର ଶନିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନେ ସେଠାରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରୁଥିବା ଜଣାଯାଇଛି।
ଇସଲାମାବାଦ: ପାକିସ୍ତାନରେ ଜଣେ ହିନ୍ଦୁ ମହିଳା ଦେଶର ସମ୍ମାନଜନକ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ (ସିଏସଏସ) ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାଦ୍ୱାରା ସେ ପାକିସ୍ତାନ ପ୍ରଶାସନିକ ସେବା (ପିଏଏସ)ରେ ଯୋଗଦେବେ। ପ୍ରଥମ ଥର ପାଇଁ ପାକିସ୍ତାନରେ ଜଣେ ହିନ୍ଦୁ ମହିଳା ଏହି ସଫଳତା ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ସାନା ରାମଚାନ୍ଦ।
ମୁମ୍ବଇ: କେନ୍ଦ୍ର ଆୟକର ବିଭାଗ ଦେଶରେ କୋଭିଡ ଚିକିତ୍ସା ନିମନ୍ତେ ଦାଖଲ କରାଯାଉଥିବା ନଗଦ ଅର୍ଥ କ୍ଷେତ୍ରରେ ଆୟକର ଆଇନରେ କିଛିଟା କୋହଳ କରିଛି। ଏଣିକି ଡାକ୍ତରଖାନାଗୁଡିକରେ କୋଭିଡ ଚିକିତ୍ସା ବାବଦରେ ଯଦି ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥାଏ ତେବେ ସେହି ଅର୍ଥ ନଗଦ ଆକାରରେ ଦିଆଯାଇପାରିବା ନେଇ ବ୍ୟବସ୍ଥା ହୋଇଛି। ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହାକୁ କୋହଳ କରାଯାଇଛି।
କଡପା: ଆନ୍ଧ୍ରପ୍ରଦେଶର କଡପା ଜିଲା କଲାସପାଡୁ ମଣ୍ଡଳର ଏକ ପଥର କ୍ବାରିରେ ଶନିବାର ବିସ୍ଫୋରଣ ଘଟି ୧୦ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ପଥର ଫଟାଇବା ଲାଗି ବିସ୍ଫୋରକକୁ ବ୍ୟବହାର କରାଯାଉଥିବା ସମୟରେ ତାହା ବିସ୍ଫୋରଣ ଘଟିଥିଲା।
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାର ୭୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୪୧୮୭ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୧୮ ଲକ୍ଷ ୮୬ ହଜାର ୬୧୧କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୮ ହଜାର ୨୬୫ରେ ପହଞ୍ଚିଛି।
ଲଣ୍ଡନ: ବ୍ରିଟେନରୁ ଭାରତକୁ ଆସୁଛି ୩ଟି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରୁ ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ବୋଝେଇ ହୋଇ ୧୮ ଟନ୍ ଓଜନର ପ୍ଲାଣ୍ଟ ଏବଂ ତାହାସହିତ ୧୦୦୦ ଭେଣ୍ଟିଲେଟର ଆସୁଛି। ଭାରତରେ ସଂପ୍ରତି ଦେଖାଦେଇଥିବା କରୋନା ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସଙ୍କଟ ପରିସ୍ଥିତିର ମୁକାବିଲା କରିବାକୁ ବ୍ରିଟେନ ସରକାର ଏହାକୁ ଯୋଗାଇ ଦେଇଛନ୍ତି।
ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରାଣ ହରାଇଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ତଥା ୧୯୮୦ ଅଲିମ୍ପିକର ସ୍ବର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ। ତାଙ୍କୁ ୬୦ ବର୍ଷ ହୋଇଥିଲା।
ମୁମ୍ବଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣୌତ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ତାଙ୍କ କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଇନ୍ଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଚେନ୍ନାଇ: ତାମିଲନାଡୁ ସରକାର କୋଭିଡ ସଂକ୍ରମଣ ରୋକିବା ସକାଶେ ରାଜ୍ୟରେ ଦୁଇ ସପ୍ତାହ ପାଇଁ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି। ଆସନ୍ତା ସୋମବାର ମଇ ୧୦ ତାରିଖ ଠାରୁ ସମଗ୍ର ରାଜ୍ୟରେ ଲାଗୁହେବ ତାଲାବନ୍ଦ। ରାଜ୍ୟରେ ଦିନକରେ ୨୬ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବାର ଦିନକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ।
ଶିମଲା: ହିମାଚଳପ୍ରଦେର ଧର୍ମଶାଳାରେ ଶନିବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩ ରେକର୍ଡ କରାଯାଇଛି। ଭୂକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ।
ମୁମ୍ବଇ: ଭାରତର ବିମାନବାହକ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ କିଛି ସମୟ ମଧ୍ୟରେ ତାହାକୁ ଆୟତ୍ତ କରାଯାଇଛି। ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିବା ନୌସେନାର ଜଣେ ମୁଖପାତ୍ର କହିଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବା ଲାଗୁ ତଦନ୍ତ ନିର୍ଦେଶ ଦିଆଯାଇଥିବା ପ୍ରବକ୍ତା ଜଣକ କହିଛନ୍ତି।
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଥିବାବେଳେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ସହଯୋଗର ହାତ ବଢାଇଛନ୍ତି। ବିରାଟ ଓ ଅନୁଷ୍କା କରୋନା ମହାମାରୀ ଲଢେଇ ପାଇଁ ୨ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ସହ ବିରାଟ ଓ ଅନୁଷ୍କା ଅନ୍ୟ ଲୋକମାନଙ୍କୁ ଏହି ଅଭିଯାନରେ ଆଗେଇ ଆସି ଦାନ କରିବାକୁ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀ: କୋଭିଡ ଚିକିତ୍ସାରେ ଗାୟତ୍ରୀ ମନ୍ତ୍ରର ପ୍ରଭାବ ଉପରେ ଚାଲିଛି ଗବେଷଣା; କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ଯୋଗାଉଛି ପାଣ୍ଠି।
ଟୋକିଓ: ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରାରୁ ଓହରିଲେ ବିଶ୍ବର ବୟୋଜ୍ୟେଷ୍ଠ ବ୍ୟକ୍ତି।
ରାଜ୍ୟ ଖବର
କଟକ: ସାରା ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ୧୦ ହଜାର ଅତିକ୍ରମ କରୁଥିବା ବେଳେ କଟକରେ ଏବେ ଗୋଷ୍ଠୀ ସଂକ୍ରମଣ ଭଳି ପରିସ୍ଥିତି ଆସିଗଲାଣି ବୋଲି ନୋଡାଲ ଅଧିକାରୀ କହିଛନ୍ତି।
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୧ ହଜାର ୮୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ନାମଲେଖା କ୍ଷେତ୍ରରେ ପ୍ରବେଶିକା ପରୀକ୍ଷା କରିବାକୁ ଯୋଜନା କରାଯାଉଛି। ମେଧାବୀ ଛାତ୍ରଛାତ୍ରୀ ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢିବାର ସୁଯୋଗ ପାଇବେ ସେନେଇ ବୁଦ୍ଧିଜୀବୀ ଏବଂ ଶିକ୍ଷାବିତମାନଙ୍କ ମତକୁ ଆଧାର କରି ଏଭଳି ଯୋଜନା କରାଯାଇଛି। ଏ ନେଇ ଏଯାବତ୍ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବାବେଳେ ବିଚାରବିମର୍ଶ ଚାଲିଛି।
ମୋହନା: ଗଜପତି ଜିଲା ମୋହନାର ବରିଷ୍ଠ ଓକିଲ ତଥା ବିଜେଡି ନେତା ରାଜେନ୍ଦ୍ର କୁମାର ନାୟକଙ୍କର ଶୁକ୍ରବାର ମଧ୍ୟରାତ୍ରିରେ ପରଲୋକ ଘଟିଛି। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ସେ ମୋହନା ଓକିଲ ସଂଘର ପୂର୍ବତନ ସଭାପତି ଥିଲେ।
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁଛି। ଏବେ ଦୈନିକ ସଂକ୍ରମଣ ୧୦ରୁ ୧୨ ହଜାର ମଧ୍ୟରେ ଚିହ୍ନଟ ହେଉଛି। ଏଭଳି ସ୍ଥିତି ଆଉ ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଆସାନ୍ତା ୫ରୁ ୬ଦିନ ପରେ ଅର୍ଥାତ ୧୪ ତାରିଖରୁ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ ହେବ ବୋଲି ରାଜଧାନୀ ଡାକ୍ତରଖାନା ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି।
ବଲାଙ୍ଗୀର: କରୋନା ଡ୍ୟୁଟିରେ ଯୋଗଦେବା ଲାଗି ଏସସିବି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ବଲାଙ୍ଗୀର ଜିଲା ବାଣୀଗୋଚ୍ଛା ଥାନା ଅର୍ନ୍ତଗତ ଦୁର୍ଗାପ୍ରସାଦ ନିକଟରେ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଓଲଟି ପଡ଼ିବାରୁ ୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।
ଆଳି: କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ସର୍ପ ଦଂଶନରେ ଭାଇଭଉଣୀଙ୍କର ମୃତ୍ୟୁ ଘଟିଛି। ରାତିରେ ଶୋଇଥିବାବେଳେ ଉଭୟଙ୍କୁ କୌଣସି ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପୁଅର ବୟସ ୧୧ ବର୍ଷ ହୋଇଥିବା ବେଳେ ଝିଅର ବୟସ ୩ ବର୍ଷ ବୋଲି ଜଣାପଡିଛି।


