ଭୁବନେଶ୍ବର : ପ୍ରତି ବର୍ଷ ମାଟ୍ରିକ୍ ପରୀକ୍ଷା ଭଳି ପ୍ରମୁଖ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ସାରା ରାଜ୍ୟରେ ଏକ ଚର୍ଚାର ବିଷୟ ହୋଇ ରହିଥାଏ। ଭାଇରାଲ ଘଟଣା ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ଏକ ଚିନ୍ତାର ବିଷୟ ହୋଇ ରହିଥିାଏ। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆଗକୁ ଆସୁଥିବା ବେଳେ ଏହାକୁ ନେଇ ଆଲୋଚନା ଆରମ୍ଭ ଗଲାଣି। ତେବେ ଏହାରି ମଧ୍ୟରେ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସତର୍କବାଣୀ ଶୁଣାଇ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାକୁ ନେଇ ବ୍ୟାପକ ପ୍ରସ୍ତୁତି କରୁଛି। ପ୍ରତି ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ଘଟଣା ଘଟୁଥିଲେ ମଧ୍ୟ ଚଳିତ ବର୍ଷ କିଭଳି ଭାବରେ ପରୀକ୍ଷାକୁ ତ୍ରୁଟି ବିଚ୍ୟୁତ ଢଙ୍ଗରେ କରାଯିବ ସେନେଇ ବିଭିନ୍ନ ପ୍ରଚେଷ୍ଟା ଜାରି ରହିଛି।
ଚଳିତ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ କୋଡିଂ ବ୍ୟବସ୍ଥା କରାଯାଇଛି। ତେଣୁ ଏଥର ପ୍ରଶ୍ନପତ୍ର ଭାଇରାଲ ହେବନି ବୋଲି ଆଶା ରଖାଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହାବାଦ୍ ଯଦି ପ୍ରଶ୍ନପତ୍ର ଭାଇରାଲ୍ ଘଟଣା ସାମ୍ନାକୁ ଆସେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ସେଣ୍ଟରରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିବ ସଂପୃକ୍ତ ସେଣ୍ଟର ଦାୟିତ୍ଵରେ ଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଠୋରବାଣୀ ଶୁଣାଇ ଦେଇଛନ୍ତି ମନ୍ତ୍ରୀ।
ସୂଚନାଯୋଗ୍ୟ ଚଳିତବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ଏଥର ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨,୮୮୮ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି। ୨୨ଟି ପୁଲିସ୍ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ବେଦନଶୀଳ ୧୦୦୦ କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ୟ୍ୟ ଜାରି ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ନୋଡାଲ ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।



