ନୋଏଡା: ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସଚେତନ କରାଯିବା ସହ ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦିଆଯାଇଛି। ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏକ ନୂଆ ପଦକ୍ଷେପ ଉଠାଇଛି। ଏଣିକି ବିବାହ ଉତ୍ସବରେ ବାଣ ଫୁଟାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏମିତିକି ବରକୁ ମଧ୍ୟ ଗିରଫ କରାଯିବ ବୋଲି ଜିଲା ପ୍ରଶାସନ ନିର୍ଦେଶ ଦେଇଛି। ବିବାହ ଉତ୍ସବରେ ବାଣ ଫୁଟାଉଥିବା ଲୋକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଜିଲାର ସମସ୍ତ ଥାନା ଅଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦେଶ ହୋଇଛି।
ଅନ୍ୟପକ୍ଷରେ ରାଜ୍ୟ ସରକାର ପକ୍ଷରୁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ବିବାହ ଉତ୍ସବରେ ଲୋକେ ବାଣ ଫୁଟାଉଛନ୍ତି। ଏନେଇ ଜିଲା ମାଜିଷ୍ଟେଟ୍ ଶନିବାର ଏକ ଭିଡିଓ ଜାରି କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଛନ୍ତି। ଜିଲା ମାଜିଷ୍ଟେଟ୍ ଶୌଳେନ୍ଦ୍ର କୁମାର ମିଶ୍ର କହିଛନ୍ତି ଯେ, ସୁପ୍ରିମକୋର୍ଟ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। ହେଲେ କିଛି ଲୋକ ଏହାକୁ ଅମାନ୍ୟ କରି ବିବାହ ଉତ୍ସବରେ ଜୋରସୋର୍ ବାଣ ଫୁଟାଉଛନ୍ତି। ଏଥିପାଇଁ ଜିଲାର ସମସ୍ତ ଥାନା ଏବଂ ପିଆରଭି(ପାଟ୍ରୋଲିଂ)ରେ ମୁତୟନ ଥିବା ପୁଲିସକର୍ମୀଙ୍କୁ ନିର୍ଦେଶ ଦିଆଯାଇଛି ଯେ, କୌଣସି ବିବାହ ଉତ୍ସବରେ ବାଣ ଫୁଟୁଥିବା ସୂଚନା ମିଳିଲେ ତତ୍କାଳ ସେଠାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କର।



