ନୂଆଦିଲ୍ଲୀ: କରୋନା ସଂକ୍ରମଣଜନିତ ପରିସ୍ଥିତିରେ ଦେଶର ଅନେକ କ୍ରିକେଟର୍ ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା ବେଳେ ସେମାନଙ୍କ ନିମନ୍ତେ ଆର୍ଥିକ ସହାୟତାର ହାତ ବଢ଼ାଇଛି ଭାରତୀୟ କ୍ରିକେଟ୍ର୍ସ ଆସୋସିଏସନ୍ (ଆଇସିଏ)। ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଇତିମଧ୍ୟରେ ଆଇସିଏ ତରଫରୁ ୭୮ ଲକ୍ଷ ଟଙ୍କାର ଅନୁଦାନ ରାଶି ସଂଗୃହୀତ ହୋଇଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆଇସିଏ ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି ପ୍ରଥମେ ୨୫ରୁ ୩୦ ଜଣ ପୂର୍ବତନ କ୍ରିକେଟର୍ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ବିଭିନ୍ନ କ୍ରିକେଟର୍ଙ୍କଠାରୁ ବ୍ୟାପକ ଆର୍ଥିକ ଅନୁଦାନ ମିଳିଥିବାରୁ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର୍ଙ୍କୁ ମିଶାଇ ୫୭ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ସୂଚନାନୁଯାୟୀ ଦୃଷ୍ଟିବାଧିତ କ୍ରିକେଟର୍ ଶେଖର ନାଏକ ସହାୟତା ହାସଲକାରୀ ତାଲିକାରେ ରହିଛନ୍ତି। ଶେଖର ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ହାସଲ କରିଥିଲେ। ଏହାବାଦ୍ ପରଲୋକଗତ ୩ଜଣ ପୂର୍ବତନ କ୍ରିକେଟର୍ଙ୍କ ପତ୍ନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ୩ଟି ବିଭାଗରେ କ୍ରିକେଟର୍ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏ’ ବିଭାଗରେ ଥିବା କ୍ରିକେଟର୍ମାନେ ୧ ଲକ୍ଷ ଟଙ୍କା ପାଇବାକୁ ଥିବା ବେଳେ ବି’ ବିଭାଗରେ ଥିବା କ୍ରିକେଟର୍ ୮୦ ହଜାର ଓ ସି’ ବିଭାଗରେ ଥିବା କ୍ରିକେଟର୍ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ।



