ସାରନଗରୀ : ସବୁ ଅପେକ୍ଷାର ଅନ୍ତ ଘଟାଇ ବାହାରି ସାରିଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ମାଟ୍ରିକ ପାସ ହାର ଆଶାଜନକ ହୋଇଥିବା ବେଳେ, ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ଫଳ ସନ୍ତୋଷଜନକ ରହିଥିବା ଜଣାପଡ଼ିଛି। ମାଟ୍ରିକ ପରୀକ୍ଷା ଫଳ ବାହାରିବା ପରେ ଆଶ୍ୱସ୍ତି ଲାଭ କରିଛନ୍ତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ । ମାଟ୍ରିକ ପାହାଚ ଅତିକ୍ରମ କରି ସାରିବା ପରେ ଏବେ କଲେଜରେ କେଉଁ ପାଠ୍ୟକ୍ରମ( ବିଜ୍ଞାନ,କଳା, ବାଣିଜ୍ୟ)କୁ ନେଇ ଛାତ୍ରଛାତ୍ରୀ ମାନେ ପାଠ ପଢିବେ ତାହାକୁ ନେଇ ମାନସ ମନ୍ଥନ କରୁଛନ୍ତି ଅଭିଭାବକ । ବର୍ତମାନ ଚାଲିଛି କରୋନା ବେଳା । ତାଲା ବନ୍ଦ, ସଟ ଡାଉନ ପ୍ରକିୟା ଜୁନ ୩୦ ପର୍ଯ୍ୟନ୍ତ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ଚଳିତ ବର୍ଷ କଲେଜରେ ଆବେଦନ ଅନଲାଇନ ପ୍ରକିୟାରେ ହେବାକୁ ସ୍ଥିର ହୋଇଥିବା ବେଳେ ଏହା ମାଟ୍ରିକ ପାସ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉତ୍ସୁକତାକୁ ବଢାଇଛି। ଦକ୍ଷିଣ ରାଉରକେଲାର କିଛି ଛାତ୍ରଛାତ୍ରୀ ବର୍ତମାନ ଅନଲାଇନ ମାଧ୍ୟମରେ କୋଚିଙ୍ଗ ସେଂଟର ଗୁଡ଼ିକରେ ଶିକ୍ଷାଲାଭ କରୁଛନ୍ତି। ଅପରପକ୍ଷେ, ଗ୍ରାମାଂଚଳରେ ରହୁଥିବା ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଦଶବର୍ଷର ସ୍କୁଲ ଜୀବନକୁ ପଛରେ ପକାଇ କଲେଜ ଯିବାକୁ ତରବର ହେଉଥିବା ବିଦ୍ୟାର୍ଥୀ ଜଣଙ୍କ ବାଟ ଓଗାଳିଛି କରୋନା ରୂପୀ କାଳ ରାକ୍ଷସ! କରୋନା ଯୋଗୁ ଶିକ୍ଷାବର୍ଷ ପ୍ରଭାବିତ ହେଉଥିବାରୁ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀ ମାନେ ଏବେ ଠାରୁ ଯୁକ୍ତ ଦୁଇ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ କରୁଥିବା ସାରନଗରୀ ଅଂଚଳର ଜଣେ ଶିକ୍ଷାବିତ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଲାଠିକଟା ବ୍ଲକ ଦେଓକରଣ ବିଦ୍ୟାପୀଠର ବିଦୁସ୍ମିତା ଶତପଥି ୫୬୪ ନମ୍ବର ରଖି ଶୀର୍ଷରେ ରହିଛନ୍ତି। ସାରନଗରୀର ସୋନା ପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ,ଆଦର୍ଶ ବିଦ୍ୟାମନ୍ଦିର, ଜ୍ଞାନୋଦୟ ଉଚ୍ଚ ବିଦ୍ୟାଳୟ, ବିର୍ସା ମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରୀ ଗାନ୍ଧି ବାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ,ବିର୍ସାମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ,ଜଲଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଫକୀର ମହୋନ ସରକାରୀ ଉଚ୍ଚ ବିଦ୍ୟାଳୟ,ଜଲଦା ସରକାରୀ ଉଚ୍ଚ ବିଦ୍ୟାଳୟ,ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଫଳ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଫଳାଫଳକୁ ନେଇ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀ ଜଣଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଲାଠିକଟା ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ଶୀର୍ଷସ୍ଥାନ ରଖିବା ସହ ବିଦ୍ୟାଳୟର ଗର୍ବ ଓ ଗୌରବ ପାଲଟିଥିବା ଥିବା ଛାତ୍ରଛାତ୍ରୀ ମାନେ ଯାହା ମନକଥା ବଖାଣିଥିଲେ ତାହାକୁ ନେଇ ଏକ ଉପସ୍ଥାପନା….
ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ସୋପାନ । ତେବେ ଚଳିତ ବର୍ଷ ବିନା ପରୀକ୍ଷାରେ ଫଳ ପ୍ରକାଶ ପାଇ ଏଥର ଇତିହାସ ରଚିଛି । ପରୀକ୍ଷା ବିଧିବଦ୍ଧ ଭାବେ ହୋଇଥିଲେ ଅଧିକ ପ୍ରତିଶତ ନମ୍ବର ରଖିବାର ମୋର ଆଶା ଥିଲ।। ଆଗକୁ ଆହୁରି ପରିଶ୍ରମ କରିବି । ବିଦ୍ୟାଳୟରେ ମୋର ସ୍ଥାନ ଶୀର୍ଷରେ ରହିଛି । ଯୁକ୍ତ ଦୁଇ ବିଜ୍ଞାନ ପଢି ସାରିଲା ପରେ ଇଂଜିନିୟରି ହେବା ଲକ୍ଷ୍ୟ ରଖିଛି । ସେ କହନ୍ତି ଯେ ଏହି ସଫଳତା ପଛରେ ମୋର ସ୍କୁଲ ଶିକ୍ଷକ ,ଶିକ୍ଷୟିତ୍ର.ଟିଉସନ ଶିକ୍ଷକଙ୍କ ପରିଶ୍ରମ ଓ ବାପା ମା ଙ୍କ ଆର୍ଶୀିବାଦ ଯୋଗୁ ସମ୍ବବ ହୋଇଛି ।
ପ୍ରିୟଦର୍ଶିନୀ ମଲ୍ଲିକ, ଆଦର୍ଶ ବିଦ୍ୟାମନ୍ଦିର ,ସାରନଗରୀ
‘ମାଟ୍ରିକ ବୋର୍ଡ଼ ପରୀକ୍ଷା ପ୍ରତ୍ୟେକ ଛାତ୍ର ଜୀବନର ନିଆରା ଅନୁଭୂତି ,ଯାହାର ସ୍ୱାଦ ମୁଁ ଚାଖି ପାରିଲି ନାହିଁ । ଚଳିତ ମାଟ୍ରିକ ପରୀକ୍ଷାରେ ୫୬୪ ନମ୍ବର ରଖି ଏ-୧ଗ୍ରେଡ଼ ପାଇ ବିଦ୍ୟାଳୟରେ ମୋର ସ୍ଥାନ ଶୀର୍ଷରେ ରହିଛି । ପରୀକ୍ଷା ପୂର୍ବରୁ ୧୨ରୁ ୧୪ ଘଂଟା କଠିନ ପରିଶ୍ରମ କରୁଥିଲି । ଏହି ସଫଳତାର ଶ୍ରେୟ ମୁଁ ମୋର ପରିବାର ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଇଛି । ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରି ସାରିବା ପରେ ଆଇଏସ ହେବାକୁ ମୋର ଲକ୍ଷ୍ୟ । କରୋନା ମହାମାରୀ ଯୋଗୁ ବର୍ତମାନ ଘରେ ରହି ପଢାପଢି କରୁଛି’ ।
ବିଦୁସ୍ମିତା ଶତପଥି,ଦେଓକରଣ ବିଦ୍ୟାପୀଠ ,ଲାଠିକଟା
‘ବହୁଦିନ ଅପେକ୍ଷା କରିବା ପରେ ମାଟ୍ରିକ ପରୀକ୍ଷା ଫଳ ବାହାରିବା ଜାଣି ଖୁବ ଖୁସି ଲାଗିଲା । ଆଦର୍ଶ ବିଦ୍ୟା ମନ୍ଦିରରେ ମୋର ସ୍ଥାନ ଶୀର୍ଷରେ ରହିଛି । ପରୀକ୍ଷା ପୂର୍ବରୁ ୮ରୁ ୧୦ ଘଂଟା ଘରେ ପଢାପଢି କରୁଥିଲି । ମୋର ଏହି ସଫଳତାର ଶ୍ରେୟ ମୁଁ ମୋର ବାପା, ମା ଓ ବିଦ୍ୟାଳୟର ଗୁରୁ, ଗୁରୁମାଙ୍କୁ ଦେଉଛି । କିଛି ବିଷୟରେ ଆଉ କିଛି ମାର୍କ ରହିଥାନ୍ତା, ଏହି ଫଳରେ ମୁଁ ସନ୍ତୁଷ୍ଟ ନୁହେଁ । ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରି ସାରିବା ପରେ ଇଂଜନିୟର ହେବାକୁ ମୋର ଲକ୍ଷ୍ୟ ରଖିଛି । କରୋନା ମହାମାରୀ ଯୋଗୁ ଅନ୍ଲାଇନ ମାଧ୍ୟମରେ ପଢାପଢି କରୁଛି’ ।
ସବିତା ଦାସ, ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ,
‘କରୋନା ଯୋଗୁ ପରୀକ୍ଷା ହୋଇନାହିଁ । ଜ୍ଞାନୋଦୟ ଉଚ୍ଚ ବିଦ୍ୟାଳୟରେ ମୋର ସ୍ଥାନ ଶୀର୍ଷରେ ରହିଛି । ଏହା ଜାଣି ବହୁତ ଖୁସି ଲାଗିଲା । ପରୀକ୍ଷା ପୂର୍ବରୁ ୮ରୁ ୧୦ ଘଂଟା ଘରେ ପଢାପଢି କରୁଥିଲି । ମୋର ଏହି ସଫଳତାର ଶ୍ରେୟ ମୁଁ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ, ଟିଉସନ ଶିକ୍ଷକ ତଥା ମୋର ବାପା, ମା’ଙ୍କୁ ଦେଉଛି । ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରି ସାରିବା ପରେ ଡାକ୍ତର ହୋଇ ଗରିବ, ଅସହାୟଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି । କରୋନା ମହାମାରୀ ଯୋଗୁ ଅନ୍ଲାଇନ ମାଧ୍ୟମରେ ପଢାପଢି କରୁଛି’ ।
ରୁଦ୍ରାଣୀ ମହାନ୍ତି, ଜ୍ଞାନୋଦୟ ଉଚ୍ଚ ବିଦ୍ୟାଳୟ,ସାରନଗରୀ



