ସମାଜ ଡିଜିଟାଲ ଡେସ୍କ: ୧୦ ମେ ର ରାତି ପାକିସ୍ତାନ ପାଇଁ ଥିଲା କାଳରାତ୍ରୀ । ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପକିସ୍ତାନକୁ ସବକ୍ ଶିଖିାଇବା ପାଇଁ ସ୍ଥିର କରିଥିଲେ । ସେହି ଦିନ ରାତିରେ ପାକିସ୍ତାନକୁ ଧ୍ୱଂସ କରିବାକୁ ଲକ୍ଷ୍ୟ କରାଯାଇଥିଲା । ସେହି ଗୋଟିଏ ରାତିରେ ଭାରତରୁ ଆମେରିକା ଓ ପାକିସ୍ତାନ ପର୍ଯ୍ୟନ୍ତ କିଛି ଏପରି ଘଟିଥିଲା, ଯାହା ଯୋଗୁଁ ପାକିସ୍ତାନ ଧ୍ୱଂସ ବିଧ୍ୱଂସରୁ ଅଳ୍ପକେ ରକ୍ଷା ପାଇଯାଇଥିଲା । ଯଦି ଭାରତ ଦୟା ଦେଖାଇ ନଥାନ୍ତା ତେବେ ହୁଏତ ସେହି ରାତିରେ ପାକିସ୍ତାନ ବିଶ୍ୱ ମାନଚିତ୍ରରୁ ଲିଭିଯାଇଥାନ୍ତା । ହଁ ଏପର୍ଯ୍ୟନ୍ତ ଆପଣ ଯୁଦ୍ଧବିରତି ବିଷୟରେ ଭିନ୍ନ ଭିନ୍ନ କାହାଣୀ ଶୁଣିଥିବେ । ଯୁଦ୍ଧ ରୋକିଥିବା ଟ୍ରମ୍ପ ଗର୍ବ କରି କହୁଛନ୍ତି, ହେଲେ ବାସ୍ତବରେ ଭାରତ କେବଳ ନିଜ ହୃଦୟର କଥା ଶୁଣିଥିଲା । ଯୁଦ୍ଧବିରତିର ନିଷ୍ପତ୍ତି କେବଳ ଭାରତର ଥିଲା, ତାହା ମଧ୍ୟ ପାକିସ୍ତାନର ଅନୁରୋଧ ପରେ ।
ପାକିସ୍ତାନ ସହିତ ଯୁଦ୍ଧବିରତି ବନ୍ଦ କରିବାରେ ମଧ୍ୟସ୍ଥତାର ଭୂମିକା ଗ୍ରହଣ କରିବାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରକୃତରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ୧୦ ମେ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିଥିଲେ । ଜେଡି ଭାନ୍ସ କହିଥିଲେ ଯେ ପାକିସ୍ତାନ ଭାରତ ଉପରେ ଏକ ବଡ ଆକ୍ରମଣ କରିବାକୁ ଯାଉଛି । ଜେଡି ଭାନ୍ସଙ୍କ କଥା ଶୁଣି ମୋଦୀ ଆଦୌ ଆଶ୍ଚର୍ଯ୍ୟ ହୋଇନଥିଲେ । ପ୍ରତି ଉତ୍ତରରେ ମୋଦୀ ଜେଡି ଭାନ୍ସଙ୍କୁ ସ୍ପଷ୍ଟ କରିଦେଇଥିଲେ ଯେ ପାକିସ୍ତାନ ଦ୍ୱାରା ମାଡ ହୋଇଥିବା ପ୍ରତ୍ୟେକ ଗୁଳିର ଜବାବ ଗୋଳାରେ ଦିଆଯିବ । ସେମାନଙ୍କର ପ୍ରତ୍ୟେକ ଆକ୍ରମଣର ଉଚିତ ଜବାବ ଦିଆଯିବ ।
ଜେଡି ଭାନ୍ସ ଫୋନରେ କହିବାକୁ ଚାହୁଁଥିଲେ ଯେ ପାକିସ୍ତାନ ଏବେ ଭାରତ ଉପରେ ପରମାଣୁ ଆକ୍ରମଣ କରିବ । ହେଲେ ଏହା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ସମାନ ପରିମାଣରେ ଜବାବ ଦେବ । ଭାରତ ପ୍ରଥମେ ପରମାଣୁ ଆକ୍ରମଣ କରେ ନାହିଁ, କିନ୍ତୁ ପାକିସ୍ତାନର ଆକ୍ରମଣ ପରେ ଏହା ବନ୍ଦ ହୁଏ ନାହିଁ । ଭାରତର ଆକ୍ରମଣରେ ସମଗ୍ର ପାକିସ୍ତାନ ଧ୍ୱଂସ ହୋଇଯିବ । ଜେଡି ଭାନ୍ସ ପାକିସ୍ତାନକୁ ଭାରତର ଏହି ବାର୍ତ୍ତା ପହଞ୍ଚାଇଥିଲେ । ଜେଡି ଭାନ୍ସଙ୍କ ଏହି କଥା ଶୁଣିବା ମାତ୍ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଜ୍ୱରରେ ଥରି ଉଠିଥିଲେ । ପରେ ସେନା ମୁଖ୍ୟ ଅସୀମ ମୁନିରଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା । ଏବେ ଯୁଦ୍ଧ ବିରତି ହିଁ ଏକ ମାତ୍ର ବିକଳ୍ପ ବୋଲି ମୁନୀର କହିବା ପରେ ପାକିସ୍ତାନର ଡିଜିଏମଓ ଭାରତ ସହ କଥା ହୋଇଥିଲେ । ପାକିସ୍ତାନ ତୁରନ୍ତ ଭାରତକୁ ଯୁଦ୍ଧବିରତି ପାଇଁ ଅପିଲ କରିଥିଲା । ଯେତେବେଳେ ପାକିସ୍ତାନ ସମ୍ପୂର୍ଣ୍ଣ ପଛକୁ ହଟିଗଲା, ସେତେବେଳେ ଶାନ୍ତିପ୍ରିୟ ଦେଶ ଭାରତ ମଧ୍ୟ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲା ।



