ଲେଗାର୍ଡ: ଯଦି ମାଗଣାରେ ଘର ଖଣ୍ଡେ ପାଇବାକୁ ଚାହୁଛନ୍ତି, ତେବେ ଏହି ସ୍ଥାନକୁ ଆସନ୍ତୁ। ମାତ୍ର ୧୨ ଟଙ୍କା ଦେଲେ ଗୋଟିଏ ଘର ଆପଣଙ୍କୁ ମିଳିଯିବ। ଏକଥା କେହି ବିଶ୍ୱାସ କରିବେ ନାହିଁ, କିନ୍ତୁ ଏକଥା ସଂପୂର୍ଣ୍ଣ ସତ। କ୍ରୋଏସିଆର ଏକ ସହର ୧୨ଟଙ୍କାରେ ଘର ଯୋଗାଇଦେବାକୁ ଘୋଷଣା କରିଛି। ଘର ଖଣ୍ଡ କିଣିବାକୁ ବର୍ଗଫୁଟ ମୂଲ୍ୟ କେଉଁଠି ଦେଢ ହଜାରରୁ ଆରମ୍ଭ କରି କେଉଁଠାରେ ଦେଢଲକ୍ଷ ଅଥବା ତାହାଠାରୁ ଅଧିକ ପଡୁଥିବାବେଳେ ୧୨ ଟଙ୍କାରେ କେମିତି ଘର ମିଳୁଛି ତାହା ଆସନ୍ତୁ ଜାଣିବା।
କ୍ରୋଏସିଆର ଉତ୍ତର ଭାଗରେ ରହିଛି ଲେଗାର୍ଡ ସହର। ଏହି ସହରରେ ପୂର୍ବେ ଅନେକ ଲୋକ ବାସ କରୁଥିଲେ। କହିବାକୁ ଗଲେ ଏହା କ୍ରୋଏସିଆର ଦ୍ୱିତୀୟ ସର୍ବାଧିକ ଲୋକ ବାସକରୁଥିବା ସହର ଥିଲା। କିନ୍ତୁ ପ୍ରାୟ ଶହେ ବର୍ଷ ତଳେ ଅଷ୍ଟ୍ରୋ-ହଙ୍ଗେରୀ ସାମ୍ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟିହେବାରୁ ଏହି ସହରରେ ଜନସାଧାରଣ ଆଉ ବାସ କରିବାକୁ ଚାହିଁଲେ ନାହିଁ। ସେମାନେ ସମସ୍ତେ ଗାଁକୁ ପଳାଇଲେ। ଏବେ ଏହି ସହରରେ ମାତ୍ର ୨୨୫୦ ଜଣ ଲୋକ ବାସ କରୁଛନ୍ତି। ୭୦ ବଷ ପୂର୍ବେ ଏହାର ଦୁଇଗୁଣରୁ ଅଧିକ ଲୋକ ଏହି ସହରରେ ରହୁଥିଲେ। ହଙ୍ଗେରୀ ସୀମାକୁ ଲାଗିଥିବା ଏହି ସହର ଚାରିପଟେ ସବୁଜ ଶସ୍ୟକ୍ଷେତ୍ର ଓ ଜଙ୍ଗଲ ରହିଛି। ଏବେ ଏଠାରେ ଲୋକସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ସହରର ମେୟର ଇଭାନ ସାବୋଲିକ୍ ଏଠାରେ ଗୋଟିଏ ଘରକୁ ଏକ କୁନା (ଭାରତୀୟ ମୁଦ୍ରାରେ ୧୧ ଟଙ୍କା ୮୪ ପଇସା)ରେ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଇତିମଧ୍ୟରେ ୧୭ଟି ଘର ବିକ୍ରି ସରିଲାଣି।
ସବୁଠାରୁ ମୁଖ୍ୟ କଥା ହେଉଛି, ଅନେକ ଘର ଅର୍ଦ୍ଧନିର୍ମିତ ଅଥବା ସେଗୁଡିକ ଭଙ୍ଗାରୁଜା ଅବସ୍ଥାରେ ରହିଛି। କାହାର କବାଟ ନାହିଁ ତ କାହାର ଝରକା ନାହିଁ। ସେଠାରେ ରହିବାକୁ ହେଲେ ଘରକୁ ସଂପୂର୍ଣ୍ଣ ମରାମତି କରିବାକୁ ପଡିବ। ଅବଶ୍ୟ ଏଥିପାଇଁ ସ୍ଥାନୀୟ ମ୍ୟୁନିସିପାଲିଟି ୨୫,୦୦୦ କୁନା ଏବଂ ସହର ପରିଚାଳନା କର୍ତ୍ତୃପକ୍ଷ ଘର ମରାମତି ଖର୍ଚ୍ଚର ୨୦% ଅଥବା ୩୫,୦୦୦ କୁନା ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ତେବେ ଏଥିରେ ସର୍ତ୍ତ ରହିଛି। ଏହି ସହରରେ ଘର କିଣିବାକୁ ଚାହୁଁଥିବା ଜଣେ ବ୍ୟକ୍ତି ଅଥବା ଦମ୍ପତିଙ୍କ ବୟସ ୪୦ ବର୍ଷରୁ କମ୍ ହୋଇଥିବ ଏବଂ ସେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଥିବା ଆବଶ୍ୟକ। ତାହାସହିତ ସେମାନେ ଅନ୍ୟୂନ ୧୫ ବର୍ଷ ଉକ୍ତ ସହରରେ ରହିବାକୁ ଚୁକ୍ତିବଦ୍ଧ ହେବେ। ଘର ବିକ୍ରି ବିଜ୍ଞାପନ ପ୍ରକାଶ ପାଇବା ପରେ ରୁଷ, ୟୁକ୍ରେନ, ତୁର୍କୀ, ଆର୍ଜେଣ୍ଟିନା, କଲମ୍ବିଆ ଆଦି ଅନେକ ରାଷ୍ଟ୍ରରୁ ବହୁ ଲୋକ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିବା ଜଣାଯାଇଛି।



