ବାସହୀନ ସେବାୟତଙ୍କୁ ମିଳିବ ଘର

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ପାଇଁ ଏକ ସବ୍‌କମିଟି ଗଠନ କରାଯାଇଛି। ଏହାଛଡ଼ା ଅନ୍ୟ ୭ଟି ସବ୍‌କମିଟି ଗଠନ କରାଯାଇଛି। ଚାରି ଶହ ଆର୍ଥିକ ଦୁର୍ବଳଶ୍ରେଣୀ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇବ ବାସଭବନ। ୮ଏକର ଜମିରେ ସେବାୟତ ବାସଗୃହ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ମନ୍ଦିର ପ୍ରଶାସନ ଦରଖାସ୍ତ ଆହ୍ବାନ କରିବା ସହ ଏକ କମିଟି ମାଧ୍ୟମରେ ଯୋଗ୍ୟ ସେବାୟତଙ୍କୁ ଚିହ୍ନଟ କରାଯିବ। ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ସହ ଜଡ଼ିତଥିବା ବାସହୀନ ସେବାୟତଙ୍କୁ ବାସଗୃହ ଆବଣ୍ଟନରେ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି। ପ୍ରତ୍ୟେକ ବାସଗୃହ ଏବଂ ଜମିର ଆକାର ୬ଶହ ବର୍ଗଫୁଟ ରହିବ ବୋଲି ସେ କହିଛନ୍ତି। ଗୃହ ନିର୍ମାଣ ପାଇଁ ସେବାୟତଙ୍କୁ ବିଭିନ୍ନ ଯୋଜନାରେ ୨ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଅବଢ଼ା ଯୋଜନାରେ ସେଠାରେ ରାସ୍ତା, ଆଲୋକ, ପାନୀୟଜଳ ବ୍ୟବସ୍ଥା କରାଯିବ।
ଗୁରୁବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ସେଥିରେ ଅଧ୍ୟକ୍ଷତା କରିଥିଲେ। ମାଟିତୋଟା ମୌଜାର ୧୭ଏକର ଜମିରେ ଆଦର୍ଶ ଗୁରୁକୁଳ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି। ଗଜପତି ମହାରାଜା ଆଦର୍ଶ ଗୁରୁକୁଳ ପରିଚାଳନା ସମିତିର ସଭାପତି ରହିବେ। ଏହାର ନିର୍ମାଣ ଓ ପରିଚାଳନା ପାଇଁ ସ୍ବତନ୍ତ୍ର ପାଣ୍ଠି ଗଠନ କରାଯିବ। ୨୦୨୨-୨୩ ଶିକ୍ଷାବର୍ଷରୁ ସେଠାରେ ଛାତ୍ରଛାତ୍ରୀଙ୍କ ନାମଲେଖା ଏବଂ ପାଠପଢ଼ା ଆରମ୍ଭ କରାଯିବ। ଏଥିପାଇଁ ଅବଢ଼ା ଯୋଜନାରେ ୨୦କୋଟି ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ୫ବର୍ଷିଆ ସଂରକ୍ଷଣ ଯୋଜନା ପ୍ରସ୍ତୁତ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ମିଳିତ ଭାବେ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ। କେଉଁ ବର୍ଷ କେଉଁ କାର୍ଯ୍ୟ କରାଯିବ ସେଥିନେଇ ୫ବର୍ଷିଆ ଯୋଜନାରେ ନିର୍ଦ୍ଧାରଣ କରାଯିବ। ସଂରକ୍ଷଣ କାର୍ଯ୍ୟପାଇଁ ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନ ଆର୍ଥିକ ସହାୟତା ଯୋଗାଇ ଦେବେ।
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ମିଟର ଐତିହ୍ୟ କରିଡର ନିର୍ମାଣ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ ସମେତ ବିଭିନ୍ନ ସଂସ୍ଥାଠାରୁ ଅନୁମତି ମଗାଯାଇଥିବା ମୁଖ୍ୟ ପ୍ରଶାସକ ଡ. କୁମାର ସୂଚନା ଦେଇଛନ୍ତି। ସେବାୟତ କଲ୍ୟାଣ ଯୋଜନାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ସ୍ଥିର କରାଯାଇଛି। ବ୍ୟବହୃତ ରଥଚକ ବିକ୍ରି ବ୍ୟବସ୍ଥାରେ ସରଳୀକରଣ କରାଯିବାକୁ ସ୍ଥିର ହୋଇଛି। ଏଥିପାଇଁ ଏକ ସବ୍‌କମିଟି ଗଠନ କରାଯାଇଛି। ଆଗାମୀ ବୈଠକରେ ତାହାକୁ ଅନୁମୋଦନ କରାଯିବ। ସେପ୍ଟେମ୍ବର ମାସରେ ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ ଡକାଯାଇ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟବ୍ୟୟ ଅଟକଳ ଅନୁମୋଦନ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି। ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ, ଉଚ୍ଚନ୍ୟାୟାଳୟ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର, ପରିଚାଳନା କମିଟି ସଭ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ଜଗନ୍ନାଥ କର, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ଦୁର୍ଗାପ୍ରସାଦ ଦାସମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ର, ପଦ୍ମଭୂଷଣ ଡା. ରମାକାନ୍ତ ପଣ୍ଡା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବୈଠକରେ ଉପସ୍ଥିତ ଥିଲେ।

Comments are closed.