Patra electronics

ବିକାଶ ପାଇଁ ଶାନ୍ତି ଓ ସ୍ଥିରତା ନିହାତି ଜରୁରୀ – ଶାହା

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍ ଆରମ୍ଭ କରିଥିବା ଜାତୀୟ ସଂହତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂପୂର୍ଣ୍ଣ କରିଛନ୍ତି। ସେ କହିଛନ୍ତି ୧୯୪୮ ମସିହାରେ ସର୍ଦ୍ଦାର ପଟେଲ ହାଇଦ୍ରାବାଦକୁ ଭାରତରେ ମିଶାଇଥିଲେ ଏବଂ ଏବେ କାଶ୍ମୀରକୁ ଭାରତରେ ସଂପୂର୍ଣ୍ଣ ମିଶ୍ରଣ କରାଯାଇଛି। ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ୍‍ ଏକାଡେମୀରେ ଉତ୍ତୀର୍ଣ୍ଣ ହୋଇଥିବା ଭାରତୀୟ ପୁଲିସ୍‍ ସେବା ଅଧିକାରୀମାନଙ୍କ ପାସିଙ୍ଗ୍‍ ଆଉଟ୍‍ ପ୍ୟାରେଡ଼ରେ ଉଦବୋଧନ ଦେବା ଅବସରରେ ସେ ଏହା କହିଛନ୍ତି।

ସେ କହିଛନ୍ତି ଦେଶର ବିକାଶ ପାଇଁ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ନିହାତି ଜରୁରୀ। ଶାହା କହିଛନ୍ତି ଦେଶର ଆର୍ଥିକ ବିକାଶ ବିଶେଷକରି ୫ ଟ୍ରିଲିୟନ୍‍ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ପାଇଁ ଆଇନଶୃଙ୍ଖଳା ବଜାୟ ରଖିବା ଅତି ଜରୁରୀ। ପ୍ରଧାନମନ୍ତ୍ରୀ ସବୁବେଳେ ଚାହିଁଛନ୍ତି ଆଇପିଏସ୍‍ ପ୍ରୋବେସନରମାନେ ସ୍ମାର୍ଟ ପୁଲିସ୍‍ ହୁଅନ୍ତୁ ତେଣୁ ସେମାନେ ସେ ଦିଗରେ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଆଇପିଏସ୍‍ ପ୍ରୋବେସନରମାନେ ଦେଶକୁ ସ୍ଥିର, ସୁରକ୍ଷିତ ଓ ବିକାଶ ଦିଗରେ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ତେଣୁ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ଶାହା କହିଛନ୍ତି।

Comments are closed.