ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ଘଟଣାରେ ଆଜି ଆସିବ ଚୂଡାନ୍ତ ରାୟ । ଏଥିପାଇଁ ପାଟଣାଗଡ ଏଡିଜେ କୋର୍ଟରେ ପହଞ୍ଚଚିଛି ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ବୁଧବାର ସକାଳୁ କଡା ସୁରକ୍ଷାରେ ବଲାଙ୍ଗୀର ଜେଲରୁ ପୁଞ୍ଜିଲାଲଙ୍କୁ କୋର୍ଟକୁ ନିଆଯାଇଛି । ପୁଞ୍ଜିଲାଲ ମେହେରକୁ ଆଜି ସଜା ଶୁଣାଇବେ କୋର୍ଟ । ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାୟ ଶୁଣାଇବେ ପାଟଣାଗଡ ଏଡିଜେ କୋର୍ଟ । ସାଢେ ୭ବର୍ଷ ପରେ ଚୂଡାନ୍ତ ରାୟ ଆସିବାକୁ ଯାଉଥିବାରୁ ନ୍ୟାୟ ଅପେକ୍ଷାରେ ରହିଛନ୍ତି ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟ ଶେଖରଙ୍କ ପରିବାର । କୋର୍ଟ ତାଙ୍କ ପୁଅ ଓ ପରିବାରକୁ ନ୍ୟାୟ ଦେବେ ବୋଲି ଆଶାବାଦୀ ଅଛନ୍ତି ସୌମ୍ୟ ଶେଖରଙ୍କ ବାପା ଓ ମା । ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ।
ସୂଚନା ଅନୁସାରେ ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘରକୁ ଉପହାର ଆକାରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ସୌମ୍ୟଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ ।



