ପଶ୍ଚିମ ଓଡ଼ିଶାରେ ସୌର ଶକ୍ତିର ବ୍ୟାପକ ବିନିଯୋଗ ହେବ
କଣ୍ଟାମାଳରେ ୪୦ ମେଗାୱାଟ ସୌର ବିଦ୍ୟୁତ ସଯନ୍ତ୍ର ବସିବ
ଚାଷୀଙ୍କ ଜମିରେ ସୌର ପ୍ୟାନେଲ, ଏକରକୁ ମିଳିବ ୨୦ ହଜାର
ବରଗଡ଼ (ସୁରେନ୍ଦ୍ର ହୋତା): ହୀରାକୁଦ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶି ଉପରୁ ସଂଗ୍ରହ ହେବ ସୌର ଶକ୍ତି । ଭାସମାନ ସୌର ପ୍ୟାନେଲ ଜରିଆରେ ସୌର ଶକ୍ତି ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ବୌଦ୍ଧ ଜିଲାର କଣ୍ଟାମାଳରେ ସୌର ପ୍ରକଳ୍ପ ସ୍ଥାପନ ହେବ ଏବଂ ଆଗ୍ରହୀ ଚାଷୀଙ୍କ କ୍ଷେତରେ ସୌର ପ୍ୟାନେଲ ଲାଗିବାକୁ ଯୋଜନା ହୋଇଛି । ଭାରତ ସରକାରଙ୍କ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆର ଓଡ଼ିଶା ଦାୟିତ୍ୱରେ ଥିବା ଅଧିକାରୀ ଏମ.ମିଶ୍ର ଏଭଳି କିଛି ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ ଭାରତ ସରକାରଙ୍କ ନେସନାଲ ସୋଲାର ମିଶନ (ଏନ.ଏସ.ଏମ)କୁ ସମଗ୍ର ଦେଶରେ କାର୍ଯ୍ୟକାରୀ ପାଇଁ ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ ଗଠିତ ହୋଇଛି । ସଂପ୍ରତି ଓଡ଼ିଶାର ବରିଷ୍ଠ ଆଇ.ଏ.ଏସ ଅଧିକାରୀ ଯତୀନ୍ଦ୍ରନାଥ ସ୍ୱାଇଁ ଏହାର ସିଏମଡ଼ି ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଡ଼କ୍ଟର ପ୍ରମୋଦ ମିଶ୍ର ମଧ୍ୟ ଓଡ଼ିଶାରେ ସୌର ଶକ୍ତିର ବିକାଶ ପାଇଁ ଗୁରୁତ୍ୱାରୋପ କରି ଆସୁଛନ୍ତି । ଏହି କ୍ରମରେ ପଶ୍ଚିମ ଓଡ଼ିଶାର ହୀରାକୁଦ ଜଳଭଣ୍ଡାରରେ ରାଜ୍ୟର ପ୍ରଥମ ଭାସମାନ ସୌର ଶକ୍ତି ସଯନ୍ତ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ହୀରାକୁଦ ଜଳଭଣ୍ଡାରରୁ ଅନ୍ୟୂନ ୫୦୦ରୁ ୭୦୦ ମେଗାୱାଟ ସୌର ବିଦ୍ୟୁତ ଉତ୍ପାଦନର କ୍ଷମତା ରହିଛି । ତେବେ ପ୍ରାରମ୍ଭିକ ଅବସ୍ଥାରେ ଓଡ଼ିଶା ରାଜ୍ୟ ସରକାର ୪୦ ମେଗାୱାଟ ସୌର ବିଦ୍ୟୁତ ଉତ୍ପାଦନ ପାଇଁ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ବରଗଡ଼ କେନାଲର ଉତ୍ପତ୍ତି ସ୍ଥଳ (ଜିରୋ ପଏଣ୍ଟ)ରେ ୪୦ ମେଗାୱାଟ ସୌର ବିଦ୍ୟୁତ ଉତ୍ପାଦନ ହେବ ।

ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ ମାଧ୍ୟମରେ ବିଶ୍ୱବ୍ୟାଙ୍କ ସହାୟତାରେ ଭାସମାନ ସୋଲାର ପେନାଲ ସ୍ଥାପନା କରାଯିବ ଏବଂ ଏହାକୁ ସମ୍ବଲପୁର କଟାପାଲି ବିଦ୍ୟୁତ ଗ୍ରୀଡ଼ ସହ ସଂଯୋଗ କରି ସେଠାରୁ ଏନର୍ଜି ଡ଼ିଷ୍ଟ୍ରିବ୍ୟୁସନ କରାଯିବ ବୋଲି ଜଣାପଡ଼ିଛି । ଏଥି ସକାଶେ ସର୍ବେକ୍ଷଣ ସମ୍ପନ୍ନ ହେବା ସହ ଟେଣ୍ଡର ମଧ୍ୟ ସରିଯାଇଛି ଏବଂ ଆଗାମୀ ଡ଼ିସେମ୍ବରରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ବରଗଡ଼ ଜିଲାର ପଦ୍ମପୁର ଠାରେ ୨୦୧୮ ଡ଼ିସେମ୍ବରରୁ ୪୦ ମେଗାୱାଟ ସୋଲାର ପ୍ଳାଣ୍ଟ ସ୍ଥାପନା କରାଯାଇଛି ।ଏହା ବ୍ୟତୀତ ବୌଦ୍ଧ ଜିଲାର କଣ୍ଟାମାଲ ବ୍ଳକର ଜୁନାନୀ ଠାରେ ମଧ୍ୟ ୪୦ ମେଗାୱାଟ ସୋଲର ବିଦ୍ୟୁତ ପ୍ଳାଣ୍ଟ ସ୍ଥାପନ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଳିଛି । ବୌଦ୍ଧ ଜିଲାପାଳ ଏଥି ସକାଶେ ଆବଶ୍ୟକୀୟ ଜମି ଯୋଗାଇ ଦେଇଛନ୍ତି ।ଏହା କାର୍ଯ୍ୟକାରୀ ହେଲେ ଆଧିବାସୀ ଅଧ୍ୟୁଷିତ ବଉଦ ଅଞ୍ଚଳର ବିଦ୍ୟୁତ ସଙ୍କଟ ଦୂର ହେବା ସହ ବିକାଶ ସମ୍ଭବପର ହେବ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୃଷି କ୍ଷେତ୍ରରେ ସୌର ଶକ୍ତିର ବିନିଯୋଗ ଉପରେ ବିଶେଷ ଗୁରୁତ୍ୱାରୋପ ଦିଆଯାଉଛି । ଏଥି ସକାଶେ ସ୍ୱତନ୍ତ୍ର ରୂପେ ଏକ ଯୋଜନା ଓଡ଼ିଶାରେ ଲଞ୍ଚ ହେବାକୁ ଯାଉଛି । ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶା ସରକାରଙ୍କ ସହ ଏ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ ହେବାକୁ ଯାଉଛି ।ଏହି ଯୋଜନାରେ ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ଚାଷ ଉପଯୋଗୀ ଜମି ଉପରେ ସୋଲାର ପ୍ଳାଣ୍ଟ ସ୍ଥାପନା କରାଯିବ । ଚାଷ ଜମିର ଉପରେ ଭାର୍ଟିକାଲ ସୋଲାର ପ୍ୟାନେଲ ସ୍ଥାପନ କରାଯିବ ଏବଂ ପୂର୍ବପରି ଚାଷୀ ତହିଁର ତଲେ ପନିପରିବା ଓ ଅନ୍ୟାନ୍ୟ ଫସଳ ଉତ୍ପାଦନ କରିପାରିବେ । ଏହାର ପ୍ରତିବଦଳରେ ଚାଷୀଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଏକରପିଛା ୨୦ ହଜାର ଟଙ୍କା ଲେଖାଏଁ ବାର୍ଷିକ ଭଡ଼ା ମଧ୍ୟ ଦିଆଯିବାର ଯୋଜନା ରହିଥିବା ଜଣାଯାଏ । ତେବେ ବିଦ୍ୟୁତ ଗ୍ରୀଡ଼ ନିକଟରେ ଏକତ୍ର ରହିଥିବା ରହିଥିବା ୧୦ ଏକରରୁ ଉର୍ଦ୍ଧ୍ୱ ଚାଷଜମିରେ ୨୫ ବର୍ଷ ପାଇଁ ଚାଷୀଙ୍କୁ ଚୁକ୍ତିନାମା ସ୍ୱାକ୍ଷରିତ କରିବାକୁ ହେବ । ଗୋଟିଏ ପ୍ୟାଚରେ ଥିବା ଏକ କିମ୍ବା ଏକାଧିକ ଚାଷୀ ଏଥିସକାଶେ ମିଳିତ ରୂପେ ଚୁକ୍ତିନାମା କରିପାରିବେ
ବାସ୍ତବରେ ଏହି ଯୋଜନା କାଯ୍ୟକାରୀ ହେଲେ ବରଗଡ଼ ଜିଲାର ପଦ୍ମପୁର, ଗାଇସିଲେଟ, ବିଜେପୁର, ଭଟଲି, ଅମ୍ବାବନା, ଝାରବନ୍ଧ ,ପାଇକମାଲ ପ୍ରଭୃତି ଅଞ୍ଚଳର ଚାଷୀଙ୍କ ପାଇଁ ଏହା ବରଦାନ ସଦୃଶ ହେବ । ଆଗାମୀ ୨୫ ବର୍ଷ ପାଇଁ ଜଣେ ଚାଷୀ ୧୦ ଏକର ଜମିରେ ସୌର ପ୍ୟାନେଲ ସ୍ଥାପନ ପାଇଁ ଅନୁମିତ ଦେଲେ ଆଗାମୀ ୨୫ ବର୍ଷ ପାଇଁ ସେ ବାର୍ଷିକ ୨ ଲକ୍ଷ ଟଙ୍କା ଲେଖାଏଁ ଭଡ଼ା କେନ୍ଦ୍ର ସରକାରଙ୍କ ଠାରୁ ପାଇ ପାରିବେ ଏବଂ ପ୍ୟାନେଲ ତଳେ ସେମାନେ ବିଭିନ୍ନ ଫସଲ ,ଛତୁ ଇତ୍ୟାଦି ଚାଷ କରି ଲାଭାନ୍ମିତ ହୋଇ ପାରିବେ ।ଏହି ସୌର ପ୍ୟାନେଲ ଗୁଡ଼ିକ ଜମି ଠାରୁ ୮ଫୁଟ ଉଚ୍ଚରେ ଭାର୍ଟିକାଲ ବସୁଥିବାରୁ ଚାଷ ବାଧାପ୍ରାପ୍ତ ହେବ ନାହିଁ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ଏବଂ ଆଗାମୀ ୪ ନଭେମ୍ବର ଦିନ ଏ ସମ୍ପର୍କରେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବାକୁ ଯାଉଛି । ଏହା ବାସ୍ତବରେ କାର୍ୟ୍ୟକାରୀ ହେଲେ ପଶ୍ଚିମ ଓଡ଼ିଶାର ଅଣ ଜଳସେଚିତ ଅଞ୍ଚଳର ଚାଷୀଙ୍କ ପାଇଁ ଏହା ବରଦାନ ସଦୃଶ ହେବ ବାଲି ଆଶା କରା ଯାଉଛି ।



