www.samajalive.in
Friday, December 5, 2025
27.1 C
Bhubaneswar

ଏବେଠୁ ଅସହ୍ୟ, ଆଗକୁ ଭୀଷଣ: ଏବର୍ଷ ଲମ୍ବା ସମୟ ରହିବ ଗ୍ରୀଷ୍ମ ପ୍ରବାହ !

ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ଉପରମୁହାଁ ହେଲାଣି ପାରଦ। ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୩୮ଡିଗ୍ରୀ ଟପିଲାଣି। ସାରା ଦେଶରେ ଫେବୃଆରୀ ତାତି ରେକର୍ଡ ଭାଙ୍ଗିଥିବା ବେଳେ ମାର୍ଚ୍ଚ, ଏପ୍ରିଲ ଏବଂ ମେ’ରେ ସ୍ଥିତି ଆହୁରି ଜଟିଳ ହୋଇପାରେ। ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ୩୮.୫ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୩୮.୨ ଓ ବଲାଙ୍ଗିରରେ ୩୮ ଡିଗ୍ରୀ ରହିଛି। ୧୧ ସହରରେ ଦିନ ତାପମାତ୍ରା ୩୭ଡ଼ିଗ୍ରୀ କିମ୍ବା ତା‘ଠାରୁ ଅଧିକ ରେକର୍ଡ କରାଯାଇଛି। ସୁବର୍ଣ୍ଣପୁର ଓ ଅନୁଗୋଳରେ ୩୭.୭, ସମ୍ବଲପୁର ୩୭.୬, ସୁନ୍ଦରଗଡ ୩୭.୫, ଭବାନୀପାଟଣା ୩୭.୨, ହୀରାକୁଦ ୩୭.୧, ବୌଦ୍ଧ ଓ ବାରିପଦାରେ ୩୭, ଭୁବନେଶ୍ବର ଓ କଟକରେ ୩୪.୨ ଡିଗ୍ରୀ ତାପମାତ୍ରା ରହିଛି। ଚଳିତ ବର୍ଷ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେବ। ତତଲା ଝାଞ୍ଜି ବହିବ। ଦିନ ଓ ରାତି ତାପମାତ୍ରା ବଢ଼ିବ। ଏପରିକି ପୂର୍ବ ବର୍ଷଗୁଡ଼ିକର ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ, ଅର୍ଥାତ ଉପକୂଳ ଜିଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବାକୁ ଥିବାବେଳେ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅପେକ୍ଷାକୃତ ଅଧିକ ରହିବ। ମାର୍ଚ୍ଚରୁ ଗ୍ରୀଷ୍ମଲହରୀ ଆରମ୍ଭ ହୋଇ ଏପ୍ରିଲ ଏବଂ ମେ’ ଯାଏ ଲାଗି ରହିବ। ମାର୍ଚ୍ଚରେ ଗଞ୍ଜାମ ଏବଂ ପୁରୀ ଜିଲାକୁ ଛାଡ଼ି ଦେଲେ ବାକି ଜିଲାଗୁଡ଼ିକରେ ଦିନ ତାପମାତ୍ରା ବୃଦ୍ଧି ପାଇବ। ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ରାଉରକେଲା, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼ ଏବଂ ମାଲକାନଗିରି ଜିଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ। ଉପରୋକ୍ତ ଜିଲାଗୁଡ଼ିକରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିବା ସମ୍ଭାବନା ରହିଛି। ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ମାର୍ଚ୍ଚରୁ ମେ’ ମଧ୍ୟରେ ସର୍ବାଧିକ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବା ଦ୍ବାରା ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବଢ଼ିବ। ଆଭ୍ୟନ୍ତରୀଣ, ଦକ୍ଷିଣ, ଉପକୂଳ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ନିଆଁ ବର୍ଷିବ। ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ମାର୍ଚ୍ଚରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବାର ସମ୍ଭାବନା ରହିଛି। ଏହି ମାସରେ ୩ରୁ ୪ଦିନ ଗ୍ରୀଷ୍ମଲହରୀ ଅନୁଭୂତ ହେବା ସମ୍ଭାବନା ରହିଛି। ବିଶେଷ କରି ନୂଆପଡା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଆଦି ଉତ୍ତର-ପଶ୍ଚିମାବର୍ତ୍ତୀ ଜିଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିପାରେ। ଅନ୍ୟାନ୍ୟ ଜିଲାଗୁଡ଼ିକରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ରହିବା ସମ୍ଭାବନା ରହିଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ; କିନ୍ତୁ କିଛି ସ୍ଥାନରେ ତାପମାତ୍ରା ୧ରୁ ୨ଡିଗ୍ରୀ ବଢ଼ିବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ, ସାରା ଦେଶରେ ରେକର୍ଡ ଭାଙ୍ଗିଛି ଚଳିତବର୍ଷ ଫେବୃଆରୀ ତାପମାତ୍ରା। ୧୯୦୧ ମସିହାରେ ଦେଶରେ ତାପମାତ୍ରା ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଉତ୍ତପ୍ତ ଫେବୃଆରୀ ଥିଲା। ୧୨୫ ବର୍ଷ ମଧ୍ୟରେ ଗତ ଫେବୃଆରୀ ସବୁଠାରୁ ଉତ୍ତପ୍ତ ଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories