ମ୍ୟାଲେରିଆ ପ୍ରବଣ ଲେଙ୍ଗରପାଜୁ ଗାଁରେ ପଂହଚିଲେ ଆମେରିକୀୟ ଡାକ୍ତରୀ ଦଳ

ହରଭଙ୍ଗା : ମ୍ୟାଲେରିଆ ରୋଗର ଗବେଷଣା ଏବଂ ବର୍ତମାନର ସ୍ଥିତି ଅନୁଧ୍ୟାନ ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ଅଂଚଳ ଲେଙ୍ଗରପାଜୁ ଗାଁରେ ଜାତୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନ (ଏନ.ଆଇ.ଏଚ) ଓାଶିଂଟନ ଆମେରିକାରୁ ଆସିଥିବା ମ୍ୟାଲେରିଆ ଗବେଷଣା ଡାକ୍ତର ମାଲ୍ଲା ରାଓଙ୍କ ସହିତ ଏକ ୧୦ ଜଣିଆ ଡାକ୍ତରୀ ଦଳ ସେଠାରେ ପଂହଚିଥିଲେ। ସେଠାରେ ରହୁଥିବା ଅଧିବାସୀଙ୍କ ସହିତ ମ୍ୟାଲେରିଆ ରୋଗ ସର୍ମ୍ପକରେ ବିସ୍ତୃତଭାବେ ଆଲୋଚନା କରିଥିଲେ। ଅଧିବାସୀଙ୍କ ଜୀବନଶୈଳୀ ,ପିଉଥିବା ପାଣି,ମଶାରୀ ବ୍ୟବହାର ଉପରେ ସେମାନଙ୍କ ସହିତ ମ୍ୟାଲେରିଆ ଗବେଷକ ଡାକ୍ତରୀ ଦଳ ପଙ୍ଖାନୁପଙ୍ଖ ଆଲୋଚନା କରିଥିଲେ।
ମ୍ୟାଲେରିଆ ନିରାକରଣ ଦିଗରେ ଲୋକଙ୍କୁ ବୁଝାଇବା ସହିତ ପିଇବା ପାଣି,ମଶାରୀ ବ୍ୟବହାର ଦିଗରେ ସଚେତନ କରିଥିଲେ। ନୂଆ ପ୍ରଜାତିର ମଶା, ମଶାଙ୍କ ପାର୍ଦୁଭାବ,ଔଷଧ ସଠିକ୍ କାମକରୁଛି କି ନାହିଁ ,ଲୋକଙ୍କ ଦେହରେ ମ୍ୟାଲେରିଆ ପ୍ରତିରୋଧକ ଶକ୍ତି କେତେ ମାତ୍ରାରେ ରହୁଛି ସେ ସବୁ ଦିଗରେ ଡାକ୍ତରୀ ଦଳ ଅନୁଧ୍ୟାନ କରିଥିଲେ।
ଏହି ଟିମରେ ଆମେରିକାରୁ ଆସିଥିବା ମ୍ୟାଲେରିଆ ପ୍ରୋଗାମ ଅଫିସର ଡାକ୍ତର ମାଲ୍ଲା ରାଓଙ୍କ ସହିତ ଡା.ସଂଜିବ ମହାନ୍ତି,ଡା.ପ୍ରଭିକର ସାହୁ,ଡା .ଏଚ.ଏ ହାକୁଭ୍,ଡା.ତିମିର କୁମାର ପ୍ରଧାନ,ଅସିତ କୁମାର ସାମଲ,ସତ୍ୟ ପାଣିଗ୍ରାହୀ,ଜୋହାନ ପି ଲାକର,ବୌଦ୍ଧ ମ୍ୟାଲେରିଆ ଅଫିସର ମଦନମୋହନ ପ୍ରଧାନ,ଭି.ବି.ଡି.ସି ସ୍ୱସ୍ତି କୁମାର ଏବଂ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆଡେଣିଗଡର ରବିନ କୁମାର ପ୍ରଧାନ,ଇନଚାର୍ଜ ପି.ଏଚ.ଇ.ଓ ଈଶ୍ୱର ବେହେରା,ଏଚଡବ୍ଲ୍ୟ ବିରେନ୍ଦ୍ର କହଁର,ମହିଳା ସ୍ୱାସ୍ଥ୍ୟ କର୍ମୀ ସାବିତ୍ରୀ,ଅଙ୍ଗନୱାଡି କର୍ମୀ ଜ୍ୟୋସ୍ନା ଯାନୀ,ଆଶାକର୍ମୀ ଜେମାମଣି ଯାନୀ ପ୍ରମୁଖ ସାମିଲ ଥିଲେ।
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରେ ମ୍ୟାଲେରିଆ ରୋଗ ନିୟନ୍ତ୍ରଣରେ ରହିଛି। ଜିଲ୍ଲାରେ ୩ଶହରୁ ଅଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଥିବାବେଳେ ଏହି ରୋଗର ମୂଳତ୍ପୋଟନ ପାଇଁ  ମ୍ୟାଲେରିଆ ଗବେଷକଙ୍କ ଏକ ଟିମ ମେଲେରିଆ ପ୍ରବଣ ଲେଙ୍ଗରପାଜୁରେ ପଂହଚି ରୋଗର ବର୍ତମାନର ସ୍ଥିତି ଅନୁଧ୍ୟାନ ସହିତ ନୂତନ ପ୍ରଜାତିର ମଶା ଉପରେ ବିଭିନ୍ନ ବୈଜ୍ଞାନିକ ଅନୁସନ୍ଧାନ କରିଥିଲେ। ପରେ ଏ ବିଷୟରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି।

Comments are closed.