ମୃତ କୁମ୍ଭୀର ଉଦ୍ଧାର ଘଟଣା: ଖିଅ ଖୋଜୁଛି ବନ ବିଭାଗ

ହରଭଙ୍ଗା: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ଫରେଷ୍ଟ ରେଞ ଅନ୍ତର୍ଗତ ତଳଗାଁସ୍ଥିତ ଡମକୁଜ ଡ୍ୟାମରୁ ଗତ ତିନିଦିନ ତଳେ ବନବିଭାଗ ଏକ ଗୋମୁହାଁ(ମଗର) ପ୍ରଜାତି କୁମ୍ଭୀରର ମୃତଦେହ ଉଦ୍ଧାର କରିଥିଲା। ମୃତ କୁମ୍ଭୀରର ଶବ ବ୍ୟବଛେଦ କଲାପରେ ଏହା ଏକ ମାଈ କୁମ୍ଭୀର ବୋଲି ସ୍ପଷ୍ଟ ହୋଇଥିଲା। କୁମ୍ଭୀର ପେଟରୁ ଅଣ୍ଡା ମଧ୍ୟ ବାହାରିଥିଲା। ମୃତ କୁମ୍ଭୀର ଲମ୍ବ ୮ଫୁଟ ହୋଇଥିବା ବେଳେ ବୟସ ୩୫ବର୍ଷରୁ ଅଧିକ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। କେଉଁ କାରଣରୁ କୁମ୍ଭୀରର ମୃତ୍ୟୂ ଘଟିଛି ତାକୁ ନେଇ ବନବିଭାଗ ଖୋଳତାଡ ମଧ୍ୟ ଆରମ୍ଭ କରିଛି।

ଏହି ଘଟଣାକୁ ନେଇ ଆଜି ବନ୍ୟପ୍ରାଣୀ ବିଭାଗ ଏବଂ ବନବିଭାଗ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଭୂବନେଶ୍ୱରରେ ବସିଥିବା ମଧ୍ୟ ସୂଚନା ମିଳିଛି। ଏଭଳି ପ୍ରଜାତିର କୁମ୍ଭୀର ଡମକୁଡ ଡ୍ୟାମରେ ୧୯୯୯ ମସିହା ବନ୍ୟାରେ ଆସିଥିବା ବନବିଭାଗ ଅନୁମାନ ଲଗାଇଛି। ମାଈ କୁମ୍ଭୀର ପେଟରୁ ଅଣ୍ଡା ମିଳିଥିବାରୁ ଡ୍ୟାମରେ ଅଣ୍ଡିରା କୁମ୍ଭୀର ଥିବା ମଧ୍ୟ ଅନୁମାନ କରାଯାଉଛି। ବିଶେଷକରି ଏହି ପ୍ରଜାତିର କୁମ୍ଭୀର ଗାଈ, ଗୋରୁ, ମଣିଷ ପାଇଁ ଅଧିକ ବିପଦ ଥିବାରୁ ଡ୍ୟାମ ମଧ୍ୟକୁ ଯିବାପାଇଁ ଲୋକଙ୍କୁ ବାରଣ କରାଯାଇଛି। ମାତ୍ର ଘଟଣାର ତିନିଦିନ ପରେ କୁମ୍ଭୀର ମୃତ୍ୟୂର କାରଣ ସ୍ପଷ୍ଟ ହେଉନଥିବାରୁ ତାକୁ ନେଇ ବନ ବିଭାଗ ଅଧିକ ଖୋଳତାଡ ଆରମ୍ଭ କରିଛି। ଏ ସର୍ମ୍ପକରେ ବୌଦ୍ଧ ଡି.ଏଫ.ଓ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ କୁମ୍ଭୀର ମୃତ୍ୟୂ ଘଟଣାର ସବୁଦିଗକୁ ନେଇ ତଦନ୍ତ ଜାରି ରହିଛି। ଏ ସର୍ମ୍ପକରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅତିଶୀଘ୍ର କୁମ୍ଭୀର ମୃତ୍ୟୂ ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Comments are closed.