BJD Bijuli 480×75 Mob

ହମାସ୍‌ର ରଣ ହୁଙ୍କାର : ଇସ୍ରାଏଲକୁ ନିଶ୍ଚିହ୍ନ କରିବା ପାଇଁ ସବୁ ମୂଲ୍ୟ ଦେବୁ

ରାତିଅଧିଆ ଆକ୍ରମଣରେ ହମାସ୍‌ କମାଣ୍ଡର, ବହୁ ସଦସ୍ୟ ମୃତ, ୭ହଜାର ବିଦେଶୀ ନାଗରିକଙ୍କୁ ଗାଜାରୁ ଖାଲି କରିବ ଇଜିପ୍ଟ

BJD Bijuli 480×75 Mob

ତେଲ୍‌ ଆବିଭ୍‌ : ଗାଜାରେ ଇସ୍ରାଏଲର ଭୂପୃଷ୍ଠରୁ ଆକ୍ରମଣ ଦିନୁଦିନ ଜୋର୍‌ଦାର ହେବାରେ ଲାଗିଛି। ଗୁରୁବାର ଯୁଦ୍ଧ ୨୭ ଦିନରେ ପହଞ୍ଚିଥିବାବେଳେ ଇସ୍ରାଏଲ ସେନା ଆଇଡିଏଫ୍‌ ଗାଜା ସହରର ଫାଟକ ଅତିକ୍ରମ କରିଛି। ଅପରପକ୍ଷରେ ହମାସ୍‌ ସୁଢ଼ଙ୍ଗ ଭିତରେ ପ୍ରବେଶ କରି ଆଇଡିଏଫ୍‌ ଏହାକୁ ଧ୍ବଂସ କରିବା ଉଦ୍ୟମ ଚଳାଇଛି। ଫଳରେ ହମାସ୍‌ ସହିତ ଏହାର ଏବେ ମୁହାଁମୁହିଁ ଯୁଦ୍ଧ ଚାଲିଛି। ଆଡିଏଫ୍‌ ହମାସ୍‌ର ଆଗୁଆ ବାହିନୀକୁ ଛିନ୍‌ଛତ୍ର କରିଦେଇଥିବା ଓ ଏଥିରେ ପୁଣି ଜଣେ ହମାସ୍‌ କମାଣ୍ଡର ମହମ୍ମଦ ଆସାରଙ୍କର ମୃତ୍ୟୁ ହୋଇଥିବା କହିଛି। ଆସାର ହମାସ୍‌ର ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ବାହିନୀ ମୁଖ୍ୟ ଥିଲେ। ବୁଧବାର ରାତିରେ ହୋଇଥିବା ଆକ୍ରମଣରେ ଡଜନେରୁ ଅଧିକ ହମାସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଆଇଡିଏଫ୍‌ କହିଛି। ହମାସ୍‌ ଆକ୍ରମଣରୁ ବର୍ତ୍ତିବା ପାଇଁ ମହିଳା ଓ ଶିଶୁଙ୍କୁ ଢ଼ାଲ କରୁଛି। ଏହାର ଘାଟିକୁ ସୁରକ୍ଷା ଦେବା ପାଇଁ ଗୁରୁବାର ହମାସ୍‌ ୧୦୦ରୁ ଅଧିକ ମହିଳା ଓ ଶିଶୁଙ୍କୁ ମୁତୟନ କରିଥିବା ଆଇଡିଏଫ୍‌ କହିଛି। ହମାସ୍‌ର ଗୁପ୍ତ ଆଡ୍ଡାକୁ ଠାବ କରିବା ପାଇଁ ଇସ୍ରାଏଲ କୃତ୍ରିମ ବୁଦ୍ଧିମତା (ଏଆଇ)ର ଉପଯୋଗ କରୁଛି। ଆଇଡିଏଫ୍‌ର ଗୁଇନ୍ଦା ନିର୍ଦେଶାଳୟ କହିଛି ଯେ ବିଭିନ୍ନ ସ୍ବୟଂକ୍ରିୟ ଯନ୍ତ୍ର ସାହାଯ୍ୟରେ ହମାସ୍‌ ଘାଟିକୁ ଠାବ କରିବା ସହ ଏ ସମ୍ପର୍କରେ ସେନାକୁ ସୂଚନା ଦିଆଯାଉଛି ଓ ତୁରନ୍ତ ଆକ୍ରମଣ କରାଯାଉଛି। ଅଦ୍ୟାବଧି ହମାସ୍‌ର ୧୨୦୦ ଘାଟିକୁ ଆଇଡିଏଫ୍‌ ସଫଳତାର ସହ ନିଶାଣ କରିଥିବା କୁହାଯାଇଛି।
ଅପରପକ୍ଷରେ ମଙ୍ଗଳବାର ଜାବାଲିଆ ଶରଣାର୍ଥୀ ଶିବିର ଉପରେ ଆଇଡିଏଫ୍‌ କରିଥିବା ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୯୫କୁ ବୃଦ୍ଧି ପାଇଛି ବୋଲି ହମାସ୍‌ ଦାବି କରିଛି। ଏଥିସହିତ ଉତ୍ତର ଗାଜାର ବେଟ୍‌ ଲାହିଆସ୍ଥିତ ସର୍ବବୃହତ୍‌ ଡାକ୍ତରଖାନା ଏବେ ବିଦ୍ୟୁତ୍‌ ଶକ୍ତି ଅଭାବରୁ ଅଚଳ ହୋଇପଡ଼ିଛି। ଇଣ୍ଡୋନେସିଆ ଦ୍ବାରା ପରିଚାଳିତ ଏହି ଡାକ୍ତରଖାନାର ଜେନେରେଟର୍‌ ମଧ୍ୟ ଇନ୍ଧନ ଅଭାବରୁ ବନ୍ଦ ହୋଇଯାଇଥିବା ହମାସ୍‌ କହିଛି। ୱେଷ୍ଟବ୍ୟାଙ୍କରେ ୧୩୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବାବେଳେ ଗାଜା ମୃତ୍ୟୁ ସଂଖ୍ୟା ୮ ହଜାର ୮୫୦ରେ ପହଞ୍ଚିଛି। ହମାସ୍‌ ଆକ୍ରମଣରେ ଇସ୍ରାଏଲର ଜଣେ ସେନାଧିକାରୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ହମାସ୍‌ ମୋଟ ୨୪୨ ଜଣଙ୍କୁ ପଣବନ୍ଦୀ ରଖିଥିବା ଇସ୍ରାଏଲ କହିଛି। ଇସ୍ରାଏଲ ଉପରେ ହମାସ୍‌ର ସହଯୋଗୀ ସଂଗଠନଗୁଡ଼ିକ ଆକ୍ରମଣ ଜାରି ରଖିଛନ୍ତି। ଲେବାନନ୍‌ରୁ ହେଜ୍‌ବୋଲ୍ଲା ଆକ୍ରମଣ ଚଳାଇଥିବାବେଳେ ଆଇଡିଏଫ୍‌ ଏହାର କଡ଼ା ଜବାବ ଦେଉଛି। ସେହିଭଳି ୟେମେନ୍‌ର ହାଉତି ବିଦ୍ରୋହୀମାନେ ଇରାନ୍‌ ସହାୟତାରେ ଇସ୍ରାଏଲ ଉପରେ ବିରୋଧରେ ଯୁଦ୍ଧ ଚଳାଇଛନ୍ତି। ସେମାନେ ବହୁ ସଂଖ୍ୟାରେ ଡ୍ରୋନ୍‌ ଆକ୍ରମଣ କରିଥିବା ଦାବି କରିଛନ୍ତି।
ଏପରିସ୍ଥଳେ ହମାସ୍‌ ମୁଖପାତ୍ର ଗାଜି ହମାଦ୍‌ ରଣହୁଙ୍କାର ଦେଇ କହିଛନ୍ତି ଯେ ହମାସ୍‌ ଏବେ ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ଲଢ଼ୁଛି। ଆଗକୁ ଆହୁରି ବହୁ ପର୍ଯ୍ୟାୟ ଯୁଦ୍ଧ ବାକି ରହିଛି। ଅକ୍ଟୋବର ୭ ଭଳି ଆହୁରି ଅତର୍କିତ ଓ ଅକଳ୍ପନୀୟ ଆକ୍ରମଣ କରାଯିବ। ଏଭଳି ଆକ୍ରମଣ ପାଇଁ ହମାସ୍‌ ଆଦୌ ଲଜ୍ଜିତ କିମ୍ବା ଅନୁତପ୍ତ ନୁହେଁ। ଇହୁଦିଙ୍କୁ ଉଚିତ ଶିକ୍ଷା ଦିଆଯିବ ଓ ସେମାନଙ୍କ ପରିଚୟ ଲିଭାଇ ଦିଆଯିବ। ଇସ୍ରାଏଲର ଅବସ୍ଥିତି ସମ୍ପୂର୍ଣ୍ଣ ଭାବେ ଅନୈତିକ। ଏହାକୁ ନିଶ୍ଚିହ୍ନ କରିଦିଆଯିବ। ସେମାନେ ପାଲେଷ୍ଟାଇନ୍‌କୁ ଜବରଦଖଲ କରିଛନ୍ତି। ସେମାନେ ଆବର ଓ ଇସ୍‌ଲାମିକ୍‌ ରାଷ୍ଟ୍ରସମୂହଙ୍କ ପାଇଁ ବିପଦ; ତେଣୁ ଯେକୌଣସି ଭାବରେ ସେମାନଙ୍କୁ ହଟାଇ ଦିଆଯିବ। ଏଥିପାଇଁ ଯେତେ ମୂଲ୍ୟ ଦେବାକୁ ପଡ଼ିବ ହମାସ୍‌ ସେଥିପାଇଁ ପ୍ରସ୍ତୁତ। ହମାସ୍‌ ଯାହା କରୁଛି ତାହା ଯଥାର୍ଥ। ରକ୍ତପାତ ପାଇଁ ଏହାକୁ ଦୋଷ ଦିଆଯାଇପାରିବ ନାହିଁ। ଇସ୍ରାଏଲର ଜବରଦଖଲରୁ ମୁକ୍ତ ନହେବା ପର୍ଯ୍ୟନ୍ତ ଅସଂଖ୍ୟକ ‘ଅଲ୍‌-ଆକ୍‌ସା ଫ୍ଲଡ’ (ହମାସ୍‌ ଅଭିଯାନର ନାମ) ଜାରି ରହିବ ବୋଲି ସେ କହିଛନ୍ତି।
ଯୁଦ୍ଧର ଘନଘଟା ମଧ୍ୟରେ ମାନବିକତା ଦୃଷ୍ଟିରୁ ଗାଜାରୁ ୬୦ ଦେଶର ୭ହଜାର ନାଗରିକଙ୍କୁ ଖାଲି କରିବା ପାଇଁ ଇଜିପ୍ଟ ପ୍ରସ୍ତୁତ ବୋଲି କହିଛି। ବୁଧବାର ଇଜିପ୍ଟ ଏହାର ରାଫା ଫାଟକ ଖୋଲିବା ପରେ ବହୁ ସଂଖ୍ୟକ ବିଦେଶୀ ନାଗରିକ ଓ ଗୁରୁତର ଅସୁସ୍ଥ ବ୍ୟକ୍ତି ଗାଜାରୁ ବାହାରିଛନ୍ତି। ଏଥିସହ ୬୧ଟି ରିଲିଫ୍‌ ସାମଗ୍ରୀ ଭର୍ତ୍ତି ଟ୍ରକ୍‌ ଗାଜାକୁ ପ୍ରବେଶ କରିଛି। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇଜିପ୍ଟକୁ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷରେ ଇସ୍ରାଏଲର ଆତ୍ମସୁରକ୍ଷା ଅଧିକାର ନାହିଁ ବୋଲି ଜାତିସଂଘରେ ଯୁକ୍ତି କରିଛି ରୁଷିଆ। ପାଲେଷ୍ଟାଇନ୍‌କୁ ଜବର ଦଖଲ କରିଥିବାରୁ ଇସ୍ରାଏଲର ଆନ୍ତର୍ଜାତିକ ଆଇନାନୁସାରେ ଏହି ଅଧିକାର ନଥିବା କହିଛନ୍ତି ସେଠାରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଭାସିଲି ନେବେନ୍‌ଜ୍ୟା। ସାଉଦି ଆରବ ଗସ୍ତରେ ଥିବା ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଇହୁଦି ଓ ପାଲେଷ୍ଟିନୀୟଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ପର୍କରେ ଆଲୋଚନା କରିଛନ୍ତି।

Comments are closed.