ହାତୀ ସୁରକ୍ଷା ଓ ସଚେତନତାରେ ଜନ ସହଭାଗିତା ଅପରିହାର୍ଯ୍ୟ

ଗୁରୁଡିଝାଟିଆ: ଦିନକୁ ଦିନ ହାତୀ ଓ ମଣିଷ ଭିତରେ ଦୂରତା ବଢିଚାଲିଛି ଓ ଲଢେଇ ବି ଚାଲିଛି। ଏଥିରେ କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷ । ଏହା ଏବେ ରାଜ୍ୟବାସୀଙ୍କୁ ଚିନ୍ତାଜନକସ୍ଥିତିକୁ ଠେଲିଦେଇଛି। ଏହି ଧାରାକୁ ଭାଙ୍ଗି ହାତୀ ଓ ମଣିଷ ଭିତରେ ସମନ୍ୱୟ ସ୍ଥାପନ କରିବାସହ ମୃତ୍ୟୁ ସଂଖ୍ୟାକୁ କମାଇବା ପାଇଁ ଜନ ସହଭାଗିତା ଏକାନ୍ତ ଅପରିହାର୍ଯ୍ୟ ବୋଲି ଆଠଗଡ ବନଖଣ୍ଡ ଓ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଖୁଣ୍ଟୁଣୀ ରାଧାନାଥ ରଥ ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଶଶିଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତପ୍ରକାଶ କରିଥିଲେ।

ଡଃ ମିଶ୍ର କହିଥିଲେ ଏଭଳି ପଦକ୍ଷେପ ନେବା ଓ ଉତ୍ତର ପିଢିଙ୍କ ପାଇଁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ପାଇଁ ପ୍ରୟାସ କରିଥିବା ଅନୁଷ୍ଠାନକୁ କୃତଜ୍ଞତା ଜ୍ଞାପନ କରିଥିଲେ। ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆଗାମୀ ପିଢି ପାଇଁ ପରିବେଶର ସୁସ୍ଥତା ଓ ଜଙ୍ଗଲ ସଂପଦର ବିକାଶ କ୍ଷେତ୍ରରେ ସଚେତନତା କରାଇବାଆମର କର୍ତ୍ତବ୍ୟ ବୋଲି କହିଥିଲେ। ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ହାତୀସାଥି ମୁଖ୍ୟ ସଂଯୋଜକ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ହାତୀ-ମଣିଷ ଲଢେଇ ରୋକିବା ପାଇଁ ବ୍ୟାପକମାତ୍ରାରେ ଜନସଚେତନତା ବ୍ୟାପକ କରିବା ସହ ବିଦ୍ୟାର୍ଥୀ ଓ ଜଙ୍ଗଲ ପାଶ୍ୱର୍ବର୍ତ୍ତି ଜନସାଧାରଣଙ୍କ ଊୂମିକା ଏଥିରେ ମହତ୍ୱପୂର୍ଣ୍ଣ ବୋଲି କହିଥିଲେ।

prayash

ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ଅବସରପ୍ରାପ୍ତ ବନସେବା ଅଧିକାରୀ ଜିତାଶତୃ ମହାନ୍ତି ଉତ୍ସବରେ ପୌରହିତ୍ୟ କରି ଜନସଚେତନତାକୁ ଆନ୍ଦୋଳନରେ ପରିଣତ କରିବା କ୍ଷେତ୍ରରେ ବନ ବିଭାଗର ଯେଭଳି ଭୂମିକା ରହିଛି ସେଥିରେ ସାଧାରଣ ଜନତାଙ୍କ ସଂଶ୍ଲିଷ୍ଟତା ରହିଲେ ଏହା ଅଧିକ ଫଳପ୍ରଦ ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ ହାତୀ-ମଣିଷ ଲଢେଇ ରୋକିବା କ୍ଷେତ୍ରରେ ଏକ ତର୍କ ପ୍ରତିଯୋଗିତା ଓ ଜଣାଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା।

ଅଧ୍ୟାପକ ଦୀପ୍ତିରଞ୍ଜନ ବାରିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ କୁନ୍ତଳା ବେଉରାୟ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପକ ଉଦୟନାଥ ପରିଡା ,ବିଶ୍ୱଜିତ୍ ପ୍ରଧାନ, ବନରକ୍ଷୀ ପ୍ରିୟମ୍ବଦା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.